Home Cooperation ମତ୍ସ୍ୟ ସମବାୟ ସମିତି ଗଠନରେ ଓଡିଶା ପଛରେ

ମତ୍ସ୍ୟ ସମବାୟ ସମିତି ଗଠନରେ ଓଡିଶା ପଛରେ

ଭୁବନେଶ୍ୱର : ନୂତନ ମତ୍ସ୍ୟ ସମବାୟ ସମିତି ଗଠନ କ୍ଷେତ୍ରରେ ଉପକୂଳବର୍ତ୍ତୀ ରାଜ୍ୟ ଓଡିଶା ପଛରେ ପଡିଛି । ସମଗ୍ର ଦେଶରେ ୨୩ଶହରୁ ଅଧିକ ନୂତନ ମତ୍ସ୍ୟ ସମବାୟ ସମିତି ଗଠନ ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ହେଉଛି ମାତ୍ର ୬୧ ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମବାୟ ବ୍ୟବସ୍ଥା ଉପରେ ଜୋର ଦେବାରେ ଲାଗିଛନ୍ତି । କୃଷି ଋଣ ସମବାୟ ସମିତି ଠାରୁ ଆରମ୍ଭ କରି ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଗଠନ କରାଯାଉଛି । ଏହା ଜରିଆରେ ବ୍ୟବସାୟ କରି ଅଧିକ ଲାଭ ପାଇବାକୁ କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି । ତେବେ ରାଜ୍ୟରେ ନୂତନ ଭାବେ ହଜାରେରୁ ଅଧିକ କୃଷି ସମବାୟ ସମିତି ଓ ଦୁଗ୍ଧ ସମବାୟ ସମିତି ଗଠନ ହୋଇଥିବାବେଳେ ମତ୍ସ୍ୟ ସମବାୟ ସମିତି କିନ୍ତୁ ଶହେରେ ପହଞ୍ଚି ପାରିନାହିଁ ।

ଏହି ଆକଳନରୁ ଜଣାଯାଇଛି ଯେ ସମଗ୍ର ଦେଶରେ ୧୦,୨୩୦ଟି ନୂତନ ପାକସ୍‍ ଗଠନ ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୧୫୩୯ ରହିଛି । ଏ କ୍ଷେତ୍ରରେ ୨୦୦୩ ସଂଖ୍ୟା ସହିତ ରାଜସ୍ଥାନ ସବୁଠାରୁ ଆଗରେ ରହିଛି । ସେହଭଳି ସମଗ୍ର ଦେଶରେ ୨୫,୫୫୨ଟି ନୂତନ ଦୁଗ୍ଧ ସମବାୟ ସମିତି ଗଠନ ହୋଇଥିବାବେଳେ ଓଡିଶାରେ ଏଥି ମଧ୍ୟରୁ ୧୦୦୯ଟି ରହିଛି । ଉତ୍ତରପ୍ରଦେଶରେ ସର୍ବାଧିକ ୪୪୫୦ ଦୁଗ୍ଧ ସମବାୟ ସମିତି ଗଠନ ହୋଇଥିବାବେଳେ ବିହାରରେ ୪ହଜାରରୁ ଅଧିକ ଏବଂ ରାଜସ୍ଥାନରେ ୩ ହଜାରରୁ ଅଧିକ ସମବାୟ ସମିତି ଗଢାଯାଇ ପାରିଛି । ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଓଡିଶାବେଶ୍‍ ସଫଳ ହୋଇଥିବାବେଳେ ଏବଂ ଏକ ଦୁଗ୍ଧ ବଳକା ରାଜ୍ୟରେ ପରିଣତ ହୋଇଥିବାବେଳେ ନୂତନ ଦୁଗ୍ଧ ସମବାୟ ସମିତି ଗଠନ କ୍ଷେତ୍ରରେ ସେଭଳି ଅଗ୍ରଗତି ହୋଇପାରୁ ନାହିଁ ।

ତେବେ ନୂଆ ମତ୍ସ୍ୟ ସମବାୟ ସମିତି ଗଠନ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ । ସମଗ୍ର ଦେଶରେ ୨୩୫୬ଟି ନୂତନ ମତ୍ସ୍ୟ ସମବାୟ ସମିତି ଗଠନ ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୬୧ ରହିଛି । ତେବେ ଉତ୍ତରପ୍ରଦେଶରେ ସର୍ବାଧିକ ୫୧୪ଟି ମତ୍ସ୍ୟ ସମମବାୟ ସମିତି ଗଠନ ହୋଇଥିବାବେଳେ ଛତିଶଗଡରେ ୩୩୬ଟି ରହିଛି ।

କେନ୍ଦ୍ର ସରକାର ଏବେ ସମବାୟ ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ସମବାୟ ସଂସ୍ଥାଭାବେ ଗୁଜୁରାଟର ଅମୁଲ ଦେଶରେ ଶୀର୍ଷ ଲାଭଦାୟକ ସମବାୟ ସଂସ୍ଥା ହୋଇଥିବାବେଳେ କେନ୍ଦ୍ର ସରକାର ଏବେ ସମବାୟ ଭିତ୍ତିରେ ଟ୍ୟାକ୍ସି ଚଳାଚଳ ଆରମ୍ଭ କରିଛନ୍ତି । ଭାରତ ଟ୍ୟାକ୍ସି ନାଁରେ ଏହା ଆରମ୍ଭ ହୋଇଛି । ସେହିଭଳି ପାକସ୍‍ ଜରିଆରେ ଜନଔଷଧି ବିକ୍ରୟକେନ୍ଦ୍ର ଖୋଲିବାକୁ ସୁଯୋଗ ମିଳୁଛି ।

ତେବେ ଓଡିଶା ଏକ ଉପକୂଳବର୍ତ୍ତୀ ରାଜ୍ୟ ହୋଇଥିବାବେଳେ ମତ୍ସ୍ୟଜୀବି ଓ ମତ୍ସ୍ୟଚାଷ କ୍ଷେତ୍ରରେ ଢେର ଆଗରେ ରହିଛି । କିନ୍ତୁ ଅନ୍ୟ ରାଜ୍ୟଗୁଡିକରେ ଯେଭଳି ଭାବେ ସମବାୟ ସମିତି ସହିତ ମସ୍ୟଜୀବୀ ଓ ମତ୍ସ୍ୟବ୍ୟବାୟ ସାମିଲ ହେଉଛନ୍ତି ଓଡିଶାରେ ତାହା ଆଶାନୁରୂପ ହୋଇନପାରିବା ଏବେ ସମବାୟବିତ୍‍ମାନଙ୍କୁ ଚିନ୍ତାରେ ପକାଇଛି । (ତଥ୍ୟ)