Home Election ମତଦାନ ପାଇଁ ଟିପ ଚିହ୍ନ

ମତଦାନ ପାଇଁ ଟିପ ଚିହ୍ନ

ଭୁବନେଶ୍ୱର : ସାଧାରଣତଃ ଲେଖା ପଢା ଜାଣିନଥିବା ବ୍ୟକ୍ତି ଟିପଚିହ୍ନ ଦେଇଥାନ୍ତି । ହେଲେ ଚଳିତ ନିର୍ବାଚନରେ ରାଜ୍ୟର ସଂଖ୍ୟାଧିକ ଶିକ୍ଷିତ ଓ ଉଚ୍ଚଶିକ୍ଷିତ ବ୍ୟକ୍ତି ସନ୍ତକ ଭାବେ ନିଜର ଟିପି ଚିହ୍ନ ଦେଇଛନ୍ତି ।

ମତଦାନ ପାଇଁ ମତଦାତାମାନେ ଭୋଟ କେନ୍ଦ୍ରରେ ନିଜର ପରିଚୟପତ୍ର ଦେଖାଇବା ସହିତ ସନ୍ତକ ଭାବେ ନିଜର ଦସ୍ତଖତ ଦେଇଥାନ୍ତି । ଯେଉଁମାନେ ଲେଖାପଢା ଜାଣିନଥାନ୍ତି ସେମାନେ ନିଜର ଟିପଚିହ୍ନ ଦେଇଥାନ୍ତି । ସନ୍ତକ ଦେବାପରେ ମତଦାତାଙ୍କୁ ଭୋଟ ଦେବାର ସୁଯୋଗ ମିଳିଥାଏ ।

ତେବେ ଚଳିତ ନିର୍ବାଚନରେ ସଂଖ୍ୟାଧିକ ମତଦାନ କେନ୍ଦ୍ରରେ ଦାୟିତ୍ୱରେ ଥିବା ଅଧିକାରୀମାନେ ଲୋକଙ୍କ ଦସ୍ତଖତ କରାଇବା ବଦଳରେ ସେମାନଙ୍କ ଟିପଚିହ୍ନ ନେଇଛନ୍ତି । ଟିପଚିହ୍ନ ପାଇଁ କାଳିର ବ୍ୟବସ୍ଥା ଥିବାବେଳେ ମତଦାତାମାନେ ଦସ୍ତଖତ ପାଇଁ କଲମର କୌଣସି ବ୍ୟବସ୍ଥା ନାହିଁ । ତେଣୁ ପ୍ରଥମେ କ୍ରମିକ ନମ୍ବର ଦେଖାଇ ଆଗକୁ ଯିବା ଏବଂ ପରିଚୟପତ୍ର ଦେଖାଇଲା ପରେ ମତଦାତାଙ୍କ ଟିପଚିହ୍ନ ନିଆଯାଉଛି ।

ଅବଶ୍ୟ ଯଦି କୌଣସି ମତଦାତା ନିଜ ସାଙ୍ଗରେ କଲମ ନେଇ ଯିବା ସହିତ ଦସ୍ତଖତ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସେହି ସୁଯୋଗ ମିଳୁଛି । କିନ୍ତୁ ୯୦ ପ୍ରତିଶତରୁ ଅଧିକ ମତଦାତା ନିଜର ଟିପିଚିହ୍ନ ଦେଇ ଫେରୁଛନ୍ତି । ଏପରିକି ସ୍ନାତକ ଓ ସ୍ନତକୋତ୍ତର ଡିଗ୍ରୀଧାରୀମାନେ ମଧ୍ୟ ମତଦାନ କେନ୍ଦ୍ରରେ ଟିପଚିହ୍ନ ଦେଉଥିବା ଦେଖିବାକୁ ମିଳୁଛି ।

ମତଦାନ କେନ୍ଦ୍ରରେ ଭୋଟ ଦେବାପାଇଁ ନୂଆ ଭୋଟରଙ୍କ ସମେତ ଅନ୍ୟମାନଙ୍କୁ ସଚେତନ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବାବେଳେ ଶିକ୍ଷିତ ଭୋଟରମାନେ ଟିପ ଚିହ୍ନ ଦେବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ନୂଆ ଭୋଟରମାନେ ଏ ସଂକ୍ରାନ୍ତରେ ଅଜ୍ଞଥିବାରୁ ଅନେକ କଲେଜ ପଢୁଆ ଝିଅ ଓ ପୁଅମାନେ ନିଜ ନିଜର ଟିପ ଚିହ୍ନ ଦେଇ ଫେରିଛନ୍ତି । ସମସ୍ତଙ୍କୁ ଭୋଟ ଦେବାପାଇଁ ଯେଭଳି ଭାବେ କର୍ତ୍ତୃପକ୍ଷ ପ୍ରବର୍ତ୍ତାଉଛନ୍ତି ଠିକ୍‍ ସେହିଭଳି ସମସ୍ତେ ଦସ୍ତଖତ କରିବାପାଇଁ କୁହାଯିବା ଆବଶ୍ୟକ ବୋଲି କିଛି ନୂଆ ଭୋଟର ମତ ଦେଇଛନ୍ତି ।

ସାକ୍ଷରତା କ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବା ଖୋରଧା ଓ ଦ୍ୱିତୀୟ ସ୍ଥାନରେ ଥିବା ଜଗତ୍‍ସିଂହପୁର ଜିଲ୍ଲାରେ ସଂଖ୍ୟାଧିକ ଭୋଟର ନିଜ ନିଜର ଟିପଚିହ୍ନ ଦେଇଛନ୍ତି । ନିର୍ବାଚନ ସମୟରେ ପଡୁଥିବା ମତଦାନର ତଥ୍ୟକୁ ବିଭିନ୍ନ ଦିଗରୁ ଆଧାର କରି ଅନେକ ସରକାରୀ ଯୋଜନା ପ୍ରସ୍ତୁତ ହେଉଥିବା ଟିପଚିହ୍ନ ଦେଇଥିବା ବ୍ୟକ୍ତିଙ୍କୁ କେଉଁ ବର୍ଗରେ ହିସାବ କରାଯିବ ଓ ସେମାନଙ୍କ ପାଇଁ ଭବିଷ୍ୟତରେ କି ଯୋଜନା ହେବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଟିପ ଚିହ୍ନ ତାଲିକାରେ ଉଭୟ ନିରକ୍ଷର ଏବଂ ଉଚ୍ଚ ସାକ୍ଷର ରହିଛନ୍ତି । (ତଥ୍ୟ)