ଭୁବନେଶ୍ୱର : ଆଜି ମକର ପର୍ବ ଉପଲକ୍ଷେ ବଡମ୍ବା ଗୋପୀନାଥପୁର ଠାରେ ଥିବା ସିଂହନାଥ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଓ ପରେ ଦଳା ଚକଟା ହେବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ପ୍ରାୟ ୧୦ଜଣ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
କଟକ ଜିଲ୍ଲା ବଡମ୍ବା ଗୋପୀନାଥପୁର ଠାରେ ମହାନଦୀ ଉପରେ ଥିବା ଟି ସେତୁ ଉପରେ ଆଜି ସକାଳୁ ଭକ୍ତମାନଙ୍କର ଭିଡ ଜମିଥିଲା । ହଜାର ହଜାର ସଂଖ୍ୟାରେ ଲୋକ ଏହି ଟି ସେତୁ ଦେଇ ସିଂହନାଥ ପୀଠକୁ ଦର୍ଶନ ପାଇଁ ଯାଇଥିଲେ । ତେବେ ମଧ୍ୟାହ୍ନ ସମୟରେ ଏଠାରେ ଲକ୍ଷାଧିକ ଲୋକଙ୍କର ଗହଳି ହୋଇଥିଲା ।
ଏତେ ସଂଖ୍ୟାରେ ଲୋକଙ୍କ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସଂଖ୍ୟକ ପୁଲିସ୍ କର୍ମଚାରୀ ନଥିବାରୁ ହଠାତ୍ ଠେଲା ପେଲା ଓ ଦଳା ଚକଟା ଆରମ୍ଭ ହୋଇଥିଲା । ଏଥିରେ ମହିଳା ଓ ଶିଶୁମାନେ ତଳି ପଡି ଯାଇଥିବାବେଳେ ସେମାନଙ୍କ ଉପରେ ଲୋକେ ଚଢି ଯାଇଥିଲେ । କିଛି ଲୋକ ପ୍ରାଣ ବିକଳରେ ପୋଲ ତଳେ ଥିବା ମହାନଦୀକୁ ଡେଇଁ ପଡିଥିଲେ । ତଳେ ବାଲି ଥିବାରୁ କିଛି ଲୋକ ଆହତ ହୋଇଥିଲେ ମଧ୍ୟ ଜୀବନ ବଞ୍ଚି ଯାଇଥିଲା ।
ତେବେ ଦଳାଚକଟାରେ ଆହତ ଲୋକଙ୍କୁ ତୁରନ୍ତ ଆଶଗଡ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ଜଣେ ମହିଳାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । କିଛି ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବାବେଳେ ଗୁରୁତରମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଆଜି ଏହି ଅଭାବନୀୟ ଦଳଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ନିକଟ ସମ୍ପର୍କୀୟକଙ୍କ ପାଇଁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେହିଭଳି ଆହତମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଆଜି ମକର ଉତ୍ସବରେ ହଠାତ୍ ଏତେ ସଂଖ୍ୟାରେ ଲୋକ ଏକତ୍ର ହୋଇଯିବାରୁ ଏଭଳି ଅଘଟଣ ଘଟିଲା ବୋଲି ଆଠଗଡ ଉପଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି ।