ଭୁବନେଶ୍ୱର : ନିର୍ବାଚନ କମିଶନ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରି ସାରିଥିଲେ ମଧ୍ୟ ଓଡ଼ିଶାରେ ୩ ପ୍ରମୁଖ ରାଜନୈତିକ ଦଳ ବିଶେଷ କରି ଏନ୍ଡିଏ ଓ ଇଣ୍ଡିଆ ମେଣ୍ଟର ଚୂଡାନ୍ତ ପ୍ରାର୍ଥୀ ଘୋଷଣା ଆଗାମୀ ମେ’ ମାସ ପର୍ଯ୍ୟନ୍ତ ଚାଲିପାରେ । ଏମିତିକି ଶେଷ ମୁହୁର୍ତ୍ତରେ ଘୋଷିତ ପ୍ରାର୍ଥୀଙ୍କ ବଦଳରେ ନୂତନ ପ୍ରାର୍ଥୀଙ୍କ ନାମ ବି ସ୍ଥାନ ପାଇପାରେ । ଏହି ଆଶଙ୍କା ବିଭିନ୍ନ ଦଳର ଟିକେଟ ଆଶାୟୀଙ୍କ ମଧ୍ୟରେ ରହିଥିବାବେଳେ ରାଜନୈତିକ ପର୍ଯ୍ୟବେକ୍ଷକମାନେ ବି ଏହାକୁ ଅସ୍ୱୀକାର କରିପାରୁନାହାନ୍ତି ।
ବିଜେପି ଓ କଂଗ୍ରେସ ପକ୍ଷରୁ ଜାତୀୟ ସ୍ତରରେ ବିଭିନ୍ନ ରାଜ୍ୟ ପାଇଁ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଘୋଷଣା ଚାଲିଥିଲେ ମଧ୍ୟ ଏଯାବତ୍ ଏହି ଦୁଇ ଦଳ ଓଡ଼ିଶାର କୌଣସି ଗୋଟିଏ ହେଲେ ଲୋକସଭା କିମ୍ବା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ନିଜ ଅକ୍ତିଆରରେ ୧୧୩ଟି ବିଧାନସଭା ଓ ୧୨ଟି ଲୋକସଭା ଆସନ ରଖିଥିବା ବିଜେଡି ମଧ୍ୟ ତାହାର ପ୍ରାର୍ଥୀ ତାଲିକା ଜାରି କରିନାହିଁ । ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଥିବା କେତେକ ବାମପନ୍ଥୀ ଦଳ ଏକତରଫା ଭାବେ ସେମାନଙ୍କ ଆସନ ଘୋଷଣା କରିଚାଲିଥିଲେ ମଧ୍ୟ ଶେଷରେ କଂଗ୍ରେସ ସହ ଏହି ଦଳମାନେ ମୂଲଚାଲ କରିପାରନ୍ତି । ସେହିପରି ମେଣ୍ଟ ଭାଙ୍ଗି ୧୫ବର୍ଷ ଧରି ପରସ୍ପର ବିରୋଧରେ ଲଢୁଥିବା ବିଜେଡି ଓ ବିଜେପି ଏଥର ଏକାଠି ଲଢିବେ ନା ଏକାକୀ ଲଢିବେ ସେଥିଘେନି ଏବେ ବି ସନ୍ଦେହର ବାତାବରଣ ଲାଗି ରହିଛି ।
ନିର୍ବାଚନ କମିଶନଙ୍କ କାର୍ଯ୍ୟସୂଚୀ ମୁତାବକ ପ୍ରଥମ ପର୍ଯ୍ୟାୟରେ ମଇ ୧୩ରେ ଓଡ଼ିଶାରେ ହେବାକୁ ଥିବା ନିର୍ବାଚନ ଲାଗି ପ୍ରାର୍ôଥପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ ୨୪ ଥିବାବେଳେ ମଇ ୨୦ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ମଇ ୩ ରହିଛି । ସେହିପରି ମଇ ୨୫ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ପ୍ରାର୍ôଥପତ୍ର ଦାଖଲର ଶେଷ ଦିବସ ମଇ ୬ ତାରିଖ ରହିଥିବାବେଳେ ଶେଷ ପର୍ଯ୍ୟାୟରେ ଜୁନ୍ ୧ରେ ହେବାକୁ ଥିବା ନିର୍ବାଚନ ପାଇଁ ମଇ ୧୪ରେ ପ୍ରାର୍ôଥପତ୍ର ଦାଖଲ ଶେଷ ହେବ । ପୂର୍ବରୁ ଅନେକ ନିର୍ବାଚନରେ ଶେଷ ଦିନରେ ପ୍ରାର୍ଥୀ ଅଦଳବଦଳ ହେବାର ବହୁ ନଜିର ରହିଛି ।
୨୦୦୦ରେ ପାଟକୁରା ଆସନରୁ ବିଜୟ ମହାପାତ୍ରଙ୍କ ଟିକଟ କାଟି ଅତନୁ ସବ୍ୟସାଚୀ ନାୟକଙ୍କୁ ଶେଷ ଦିନରେ ପ୍ରାର୍ଥୀ କରାଯାଇଥିଲା । ସେହିପରି ୨୦୦୯ରେ ଭୁବନେଶ୍ୱର ଉତ୍ତର ଆସନରୁ ଦଳୀୟ ପ୍ରାର୍ଥୀଭାବେ ନାମାଙ୍କନପତ୍ର ଉତ୍ତର ଭୁବନେଶ୍ୱର ଆସନରୁ ସୁରେନ୍ଦ୍ରନାଥ ନାୟକ ଦାଖଲ କରିଥିବାବେଳେ ଶେଷ ଦିନରେ ତାଙ୍କ ସ୍ଥାନରେ ଭାଗିରଥୀ ବଡଜେନାଙ୍କୁ ପ୍ରାର୍ଥୀ କରାଯାଇଥିଲା । ୮୦ ଦଶକରେ ଖୋର୍ଦ୍ଧାର ବିଧାୟକ ଥିବା ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ସ୍ଥାନରେ ବୈଦ୍ୟନାଥ ମିଶ୍ର ପ୍ରାର୍ôଥପତ୍ର ଦାଖଲ କରିଥିବାବେଳେ ଶେଷ ମୁହୁର୍ତ୍ତରେ ଶ୍ରୀ ପାଟ୍ଟଶାଣୀ ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ । ଅତୀତରେ ରାଜ୍ୟସଭା ପାଇଁ ଗଣତନ୍ତ୍ର ପରିଷଦ ଘୋଷିତ ପ୍ରାର୍ଥୀଙ୍କ ସ୍ଥାନରେ ଶେଷ ମୁହୂର୍ତ୍ତରେ ସୁରେନ୍ଦ୍ର ମହାନ୍ତି ମଧ୍ୟ ନିର୍ବାଚନ ଲଢିଥିଲେ ।
୨୦୧୯ରେ ବିଜେପି ଟିକେଟ ପାଇଥିବା ରଘୁନନ୍ଦନ ଦାସ ଓ ତୁଷାରକାନ୍ତି ବେହେରା ଶେଷରେ ବିଜେଡି ଟିକେଟରେ ନିର୍ବାଚନ ଜିଣି ମନ୍ତ୍ରୀ ହେବାର ନଜିର ମଧ୍ୟ ରହିଛି । ଏବେ କ୍ଷମତା ରାଜନୀତିର ନିଶା ଉପଭୋଗ କରିବା ପାଇଁ ବିଭିନ୍ନ ଦଳରେ ବହୁ ନିର୍ବାଚନ କ୍ଷେତ୍ରରୁ ଅନେକ ଆଶାୟୀ ମୁଣ୍ଡ ଟେକୁଥିବା ଦୃଷ୍ଟିରୁ ବିଭିନ୍ନ ଦଳ ଶେଷ ମୁହୁର୍ତ୍ତରେ ପ୍ରାର୍ôଥତ୍ୱ ଘୋଷଣା କରିବା ସମ୍ଭାବନା ଅଧିକ । ତେବେ ଆନୁଷ୍ଠାନିକ ଭାବେ ପ୍ରାର୍ଥୀଙ୍କ ନାମ ଘୋଷଣା ନହୋଇଥିଲେ ମଧ୍ୟ କିଛି ଆଶାୟୀ ପ୍ରାର୍ଥୀଙ୍କୁ ନିର୍ବାଚନମଣ୍ଡଳୀରେ କାମ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ସୂଚନା ଦିଆଯାଇଥିବା କୁହାଯାଉଛି ।
ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରାଗଲେ ଟିକେଟରୁ ବଞ୍ôଚତ ବିଭିନ୍ନ ଦଳର ବହୁ ଆଶାୟୀ ଅନ୍ୟଦଳକୁ ଚାଲିଯାଇ ସେଠାରୁ ଟିକେଟ ହାସଲ କରିବା ଏବଂ ଆଉ କେତେକ ବିଦ୍ରୋହୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିବା ଆଶଙ୍କା ଥିବା ଦୃଷ୍ଟିରୁ ପ୍ରାର୍ôଥପତ୍ର ଦାଖଲର ଶେଷ ଦିନ ପର୍ଯ୍ୟନ୍ତ କେତେକ ଆସନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ସେଥିଘେନି ଆଶା ଓ ଆଶଙ୍କା ଲାଗି ରହିବ ବୋଲି କୁହାଯାଉଛି । (ତଥ୍ୟ)