Home Election ମଇ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ

ମଇ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ପାଞ୍ଚ ବର୍ଷର କ୍ଷମତା ରାଜନୀତି ଉପଭୋଗ କରିବାପାଇଁ ବିଭିନ୍ନ ଦଳ ଓ ସେମାନଙ୍କ ପ୍ରାର୍ଥୀମାନେ ନିଜ ନିଜର ରାଜନୈତିକ ଭାଗ୍ୟ ଓ ଭବିଷ୍ୟତକୁ ଏକ ପ୍ରକାର ବାଜିରେ ଲଗାଇ ଦେଇଥିବାବେଳେ ଚଳିତ ମଇ ମାସଟି ହେଉଛି ସେମାନଙ୍କ ପାଇଁ ନିର୍ଣ୍ଣାୟକ । ପୂର୍ବରୁ ଯିଏ ଯେତେ କ୍ଷେତ୍ର ପ୍ରସ୍ତୁତ କରିଥିଲେ ବି ସୁଦ୍ଧା ଏହି ମାସଟି ଯେତେ ପରିମାଣର ରାଜନୈତିକ ଚାଷବାସ କରିବେ ଜୁନ୍‍ ଚାରି ତାରିଖରେ ସେହି ଅନୁଯାୟୀ ଫସଲ ଅମଳ ହେବ ।

ଏଠାରେ ଉଲ୍ଲେଖନୀୟ ଯେ ଲୋକସଭା ଓ ବିଧାନସଭା ପାଇଁ ଓଡିଶାରେ ଚାରିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ମଇ ମାସର ୧୩, ୨୦ ଓ ୨୫ ତାରିଖରେ ଓ ଜୁନ୍‍ ପହିଲାରେ ୨୧ଟି ଯାକ ଲୋକସଭା ଓ ୧୪୭ଟି ବିଧାନସଭା ଆସନ ପାଇଁ ଭୋଟ ହେବ । ତେଣୁ ଓଡିଶା ପରିପ୍ରେକ୍ଷୀରେ ଏହି ନିର୍ବାଚନ ପାଇଁ ଚଳିତ ମଇ ମାସର କେବଳ ପ୍ରତିଟି ଦିନ ନୁହେଁ, ପ୍ରତିଟି ମୂହୂର୍ତ୍ତ ନିର୍ବାଚନର ରଣାଙ୍ଗନରେ ଅବତୀର୍ଣ୍ଣ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନଙ୍କ ଲାଗି ବେଶ୍‍ ଗୁରୁତ୍ୱପୂର୍ଣ୍ଣ ।

ଇତି ମଧ୍ୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଏବଂ ଏହା ଅର୍ନ୍ତଭୁକ୍ତ ୨୮ଟି ଯାକ ବିଧାନସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବାବେଳେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସିକା ଆସନ ପାଇଁ ମଇ ୩ତାରିଖରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହେବ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ର ସହିତ ଏହା ଅର୍ନ୍ତଗତ ବିଧାନସଭା ଆସନଗୁଡିକ ପାଇଁ ଏବେ ନାମାଙ୍କନପତ୍ର ଦାଖଲ ମଇ ୬ତାରିଖ ପର୍ଯ୍ୟନ୍ତ ଚାଲିବ । ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍‍ସିଂହପୁର ଓ ଯାଜପୁର ଲୋକସଭା ସମେତ ତାହା ଅର୍ନ୍ତଭୁକ୍ତ ବିଧାନସଭା କ୍ଷେତ୍ରଗୁଡିକ ପାଇଁ ମଇ ୭ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇ ୧୧, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୮, ତୃତୀୟ ପର୍ଯ୍ୟାୟ ପାଇଁ ୨୩ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ମଇ ୩୦ତାରିଖରେ ପ୍ରଚାର ଶେଷ ହେବ । ଏ ପରିପ୍ରେକ୍ଷୀରେ ବିଜେଡିର ଷ୍ଟାର ପ୍ରଚାରକ ଭି କାର୍ତ୍ତିକେୟନ ପାଣ୍ଡିଆନ ରାଜ୍ୟର ବିଭିନ୍ନ ର୍ନିବାଚନମଣ୍ଡଳୀକୁ ତୋଫାନି ଗସ୍ତକରି ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଅଭିଯାନକୁ ଜୋରଦାର କରୁଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ଦଳର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ।

କଂଗ୍ରେସ ନେତା ରାହୁଳ ଗାନ୍ଧୀ ନିର୍ବାଚନ ଘୋଷଣା ପରେ ସାଲେପୁର ଗସ୍ତରେ ଆସି ଏକ ବିଶାଳ ନିର୍ବାଚନୀ ସଭାରେ ଭାଷଣ ଦେଇ ଯିବାପରେ ଖୁବ୍‍ଶୀଘ୍ର ତାଙ୍କର ଦ୍ୱିତୀୟ ଗସ୍ତ ହେଉଛି । ରାହୁଳଙ୍କ ଛଡା କଂଗ୍ରେସର ଆଉ ବହୁ ନେତା ଓଡିଶାରେ ନିର୍ବାଚନ ପ୍ରଚାରକୁ ତ୍ୱରାନ୍ୱିତ କରିବାପାଇଁ ଆସୁଥିବା ଜଣାପଡିଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଇତି ମଧ୍ୟରେ ଓଡିଶାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୬ତାରିଖରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଅନୁଷ୍ଠିତ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାଛଡା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସମେତ ବିଜେପିର ବହୁ ତୁଙ୍ଗ ନେତା ଓଡିଶାରେ ନିର୍ବାଚନ ପ୍ରଚାରକୁ ତ୍ୱରାନ୍ୱିତ କରିବାପାଇଁ ଆସୁଛନ୍ତି ।

ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ମଇ ୧୩ତାରିଖରେ ହେବାକୁ ଥିବା ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଏବେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଏଥି ସହିତ ନିର୍ବାଚନୀ ହିଂସା ଓ ନିଶା କାରବାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)