Home News in Odia ମଇଦାନକୁ ଓହ୍ଲାଇଲେ ପରିବହନ କମିଶନର

ମଇଦାନକୁ ଓହ୍ଲାଇଲେ ପରିବହନ କମିଶନର

ଭୁବନେଶ୍ୱର : ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ନିଜେ ମଇଦାନକୁ ଓହ୍ଲାଇବା ସହିତ ଆମ ବସ୍‍ର ଯାଞ୍ଚ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଠାରୁ  ‘ଆମ ବସ୍’ରେ ଯାଞ୍ଚ କଡ଼ାକଡ଼ି କରାଯାଇଛି । ବାଣିଜ୍ୟ ଓ ‎ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱ ଓ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ‎ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଆମ ବସ୍’ ଚଳାଚଳ କରୁଥିବା ରାଜ୍ୟର ସମସ୍ତ ସ୍ଥାନରେ ଯାଞ୍ଚ ହୋଇଛି।

‎ଭୁବନେଶ୍ୱରରେ ପରିବହନ ଆୟୁକ୍ତ ଅମିତାଭ ଠାକୁର ସ୍ୱତନ୍ତ୍ର ଦଳ ସହ ମାଷ୍ଟରକ୍ୟାଣ୍ଟିନ ଡିପୋରେ ଯାଞ୍ଚ ‎କରିଥିଲେ। ଗାଡ଼କଣ, ଚନ୍ଦ୍ରଶେଖରପୁରରେ ମଧ୍ୟ କଡ଼ାକଡ଼ି ଯାଞ୍ଚ ହୋଇଥିଲେ। କେବଳ ଡିପୋ ନୁହେଁ, ବସ୍ ‎ଷ୍ଟପେଜରେ ମଧ୍ୟ ଯାଞ୍ଚ କରାଯାଉଛି। ସେହିଭଳି କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲାରେ ‎ଯାଞ୍ଚ ଜାରି ରହିଛି। ବସ୍ ଫିଟନେସ୍, ଚାଳକ ମଦ୍ୟପାନ କରିଛନ୍ତି କି, ମାନସିକ ଓ ଶାରିରୀକ ସ୍ଥିତି, ସଡ଼କ ‎ସୁରକ୍ଷାର ସମସ୍ତ ନିୟମ ପାଳନ କରାଯାଉଛି କି ନାହିଁ ଇତ୍ୟାଦି ବିଷୟକୁ ଯାଞ୍ଚ ବେଳେ ଗୁରୁତ୍ୱ ‎ଦିଆଯାଇଛି। ‎

‎ ‘ଆମ ବସ୍’ ଜନିତ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି । ମାଷ୍ଟରକ୍ୟାଣ୍ଟିନ ଡିପୋରେ ପରିବହନ ‎ଆୟୁକ୍ତଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଦଳ ୫୦ରୁ ଅଧିକ ଆମ ବସ୍ ରେ କଡ଼ାକଡ଼ି ଯାଞ୍ଚ କରିଥିଲେ । ବ୍ରେଥ୍ ‎ଆନାଲାଇଜର୍ ସହାୟତାରେ ପରୀକ୍ଷା କରାଯାଇଥିଲା । ସେହିଭଳି ମାନସିକ ଓ ଶାରିରୀକ ଭାବରେ ଗାଡ଼ି ‎ଚଳାଇବାକୁ ଫିଟ୍ କି ନୁହେଁ, ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସଡ଼କ ସୁରକ୍ଷାର ସମସ୍ତ ନିୟମ ‎ଠିକ୍ ଭାବରେ ପାଳନ ହେଉଛି କି ନାହିଁ, ପ୍ରତିଟି ବସରେ ତାହା ଦେଖିଥିଲା ଏନଫୋର୍ସମେଣ୍ଟ ଟିମ୍ । ‎

ଏହାସହ ଚାଳକ, ଗାଇଡ, ଯାତ୍ରୀମାନଙ୍କ ସହ କଥା ହୋଇଥିଲେ ପରିବହନ ଆୟୁକ୍ତ । କାହିଁକି ଏଭଳି ‎ଦୁର୍ଘଟଣା ଘଟୁଛି, କିଭଳି ଏହାର ନିରାକରଣ କରାଯାଇପାରିବ ମତାମତ ନେଇଥିଲେ । ଏହାସହ ‎ଭୁବନେଶ୍ୱରରେ ଚନ୍ଦ୍ରଶେଖରପୁର, ଗାଡ଼କଣରେ ଡିପୋ ସହ ବସ୍ ଷ୍ଟପେଜରେ ମଧ୍ୟ ‘ଆମ ବସ୍’ରେ ଯାଞ୍ଚ ‎କରାଯାଇଛି । ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ଯାଞ୍ଚ ବିଳମ୍ବିତ ସଂଧ୍ୟା ଯାଏଁ ଜାରି ରହିଛି । ପରିବହନ ଆୟୁକ୍ତ ‎କହିଛନ୍ତି, ଏଭଳି ଯାଞ୍ଚ ନିୟମିତ କରାଯିବ । ସରକାରଙ୍କ ନିର୍ଦ୍ଦେଶରେ ଆମ ବସ୍ ଚଳାଚଳ କରୁଥିବା ସମସ୍ତ ‎ଅଞ୍ଚଳର ଆରଟିଓମାନଙ୍କୁ ଏହା ଅବଗତ କରାଯାଇଛି । ‎

ସେହିଭଳି ଯାଞ୍ଚର ପ୍ରଥମ ଦିନରେ ସଂଧ୍ୟା ୭ଟା ସୁଦ୍ଧା, କଟକରେ ନେତାଜୀ ବସ୍ ଟର୍ମିନାଲରେ ୩୨ଟି ଆମ ‎ବସ୍, ବିଜୁ ପଟ୍ଟନାୟକ ଛକରେ ୧୩, ନରାଜରେ ୪୭ଟି ବସ, ରାଉରକେଲାରେ ପାନପୋଷ ଛକରେ ୨୦, ‎ମ୍ୟୁନିସିପାଲିଟି ଛକରେ ୨୨, ବଲୁରଘାଟ ଛକରେ ୬ଟି, ପୁରୀରେ ୧୨ ଓ ଗଂଜାମରେ ୧୦ରୁ ଅଧିକ ‎ବସରେ ଯାଞ୍ଚ କରାଯାଇଛି। ସମ୍ବଲପୁରରେ ୧୫ରୁ ଅଧିକ ବସରେ ଯାଞ୍ଚ କରାଯାଇଛି ।