Home Environment ଭୟଙ୍କର ବାୟୁ ପ୍ରଦୂଷଣ ପରେ ବି ଫୁଟୁଛି ବାଣ

ଭୟଙ୍କର ବାୟୁ ପ୍ରଦୂଷଣ ପରେ ବି ଫୁଟୁଛି ବାଣ

ଭୁବନେଶ୍ୱର : ଭୁବନେଶ୍ୱରର ବାୟୁ ଗୁଣବତ୍ତା ମାନକ (ଏକ୍ୟୁଆଇ) ଭୟଙ୍କର ଭାବେ ଖରାପ (ସିଭିୟର୍‍) ସ୍ଥିତିକୁ ଆସିଥିଲେ ମଧ୍ୟ ଏହାର ନିୟନ୍ତ୍ରଣ ଓ ନିରାକରଣ କରାଯାଇପାରୁ ନାହିଁ । ଏମିତିକି ବାୟୁ ପ୍ରଦୂଷଣର ଅନ୍ୟତମ ଉତ୍ସ ବାଣ ଫୁଟା ଓ ବୋମା ବିସ୍ଫୋରଣ ହୋଇଥିଲେ ବି ରାଜଧାନୀରେ ବିବାହ ଶୋଭାଯାତ୍ରା ସମେତ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ପ୍ରଚୁର ମାତ୍ରାରେ ବାଣ ଫୁଟୁଛି । ଏଥିପାଇଁ କିଏ ଅନୁମତି ଦେଉଛି ଏବଂ ଫୁଟୁଥିବା ବାଣର ଶବ୍ଦ ସେମାନଙ୍କ କାନରେ ପଡୁଛି କି ନାହିଁ ସେଥିଘେନି ପରିବେଶବିତ୍‍ମାନେ ପ୍ରଶ୍ନ କରୁଛନ୍ତି ।

ଆଜି (ଗୁରୁବାର) ମଧ୍ୟାହ୍ନ ବେଳକୁ ରବୀନ୍ଦ୍ର ମଣ୍ଡପ ଛକନିକଟରେ ଲଗାଯାଇଥିବା ଏକ୍ୟୁଆଇ ବୋର୍ଡରେ ପ୍ରଦୂଷଣ ମାତ୍ରା ୩୮୨ ଉଲ୍ଲେଖ କରାଯିବା ସହିତ ତାହା ତଳକୁ ଭୟଙ୍କର ବୋଲି ସର୍ବସାଧାରଣଙ୍କ ଗୋଚରାର୍ଥେ ଜଣାଇ ଦିଆଯାଇଛି । ଖୋଦ୍‍ ରାଜ୍ୟ ବିଧାନସଭା ଓ ସଚିବାଳୟ ନିକଟରେ ପ୍ରଦୂଷଣର ମାତ୍ରା ଏଭଳି ଥିବାବେଳେ ଅନ୍ୟ ଅଞ୍ଚଳ କଥା ନକହିଲେ ଭଲ ।

ପୌଷ ମାସରେ ପାଞ୍ଜି ଅନୁଯାୟୀ ବିବାହ ଉତ୍ସବ କରାଯାଇନଥାଏ । ତେବେ ମାଘ ମାସ ଆସିଯାଇଥିବାରୁ ଏବେ ରାଜଧାନୀର ସବୁ ମଣ୍ଡପ, ହୋଟେଲ୍‍ ଆଦିରେ ବିବାହ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଚାଲୁଛି । ଏଥିସହିତ ବ୍ରତପୋନୟନ ବି ହେଉଛି । ଏହି ସାମାଜିକ କାର୍ଯ୍ୟକ୍ରମ ପାଇଁ ରୋଷଣୀ ଶୋଭାଯାତ୍ରା ଲାଗି କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାର ବ୍ୟବସ୍ଥା ଅଛି । ତେବେ ରାଜଧାନୀରେ ପ୍ରଦୂଷଣର ମାତ୍ରା ଅତି ଭୟଙ୍କର ସ୍ଥିତିକୁ ଆସିଥିବାବେଳେ ତାହାକୁ ରୋକିବା ପରିବର୍ତ୍ତେ ବାଣ ଫୁଟାଇ ବଢ଼ାଇବା ଲାଗି କିଭଳି ଅନୁମତି ଦିଆଯାଉଛି ତାହା ଚିନ୍ତାର ବିଷୟ । ଏଠାରେ ଉଲ୍ଲେଖନୀୟ ଯେ ବାଣ ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିବା କାରଣରୁ ଗତ ଦୀପାବଳି ଅବସରରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବାଣ ଫୁଟାଇବା ଉପରେ କଟକଣା ଜାରି କରିଥିଲେ । ସେତେବେଳେ ଭୁବନେଶ୍ୱରର ଏକ୍ୟୁଆଇ ପରିମାଣ ବର୍ତ୍ତମାନ ଭଳି ଉଦ୍‍ବେଗଜନକ ସ୍ଥିତିରେ ନଥିଲା ।

ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳରେ ବାୟୁ ପ୍ରଦୂଷଣ ରୋକିବା ଲାଗି ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ କଡ଼ା କଟକଣା ଜାରି କରାଯାଇଛି । ଏହା ସତ୍ତ୍ୱେ ବି ଉଭୟ ସରକାରୀ ଓ ବେସରକାରୀ ନିର୍ମାଣ ବହୁ ସ୍ଥଳରେ ନିଷିଦ୍ଧ ସମୟ ମଧ୍ୟରେ ଚାଲୁଥିବା ଦେଖାଯାଉଛି । କେବଳ ସେତିକି ନୁହେଁ, ନିର୍ମାଣ ସ୍ଥଳୀରୁ ଉଡୁଥିବା ଧୂଳିକଣାକୁ ରୋକିବା ଲାଗି ନୀଳ ଜରି ନେଟ୍‍ ବାନ୍ଧିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ତାହାର ଖୋଲା ଉଲ୍ଲଂଘନ କରାଯାଉଛି । ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ନିର୍ମାଣ ଶ୍ରମିକମାନେ ରାସ୍ତାକଡ଼ରେ ନିଆଁ ପୁଇଁଲେ ସେମାନଙ୍କ ଉପରେ ମୋଟା ଅଙ୍କର ଜରିମାନା କରାଯାଉଥିବା ସ୍ଥଳେ ନିର୍ମାଣକାରୀ ସଂସ୍ଥାମାନେ ଜରି, ଅଖା ଆଦି ପୋଡ଼ିବା, ମାର୍ବଲ ଟାଇଲ୍‍ କାଟିବା, ଫ୍ଲାଏ ଆସ୍‍ରେ ନିର୍ମିତ ଘର ବିଦ୍ୟୁତ ଓ ପାଣି ସଂଯୋଗ ପାଇଁ କାନ୍ଥ କାଟି ବ୍ୟାପକ ପ୍ରଦୂଷଣ କରୁଥିଲେ ମଧ୍ୟ ସେମାନଙ୍କୁ ଦଣ୍ଡିତ କରାଯାଉ ନାହିଁ ।
ପରିବେଶବିତ୍‍ମାନେ କହୁଛନ୍ତି ଯେ ଭୁବନେଶ୍ୱରରେ ଭୂତଳ ଜଳସ୍ତର ଉଦ୍‍ବେଗଜନକ ହାରରେ ହ୍ରାସ ପାଉଥିବାବେଳେ ମହାନଦୀ ଜଳ ସଂକଟ ଓ ଅନ୍ୟ ସୂତ୍ରର ଜଳ ପ୍ରଦୂଷଣ ଯୋଗୁ ଆଉ କିଛିବର୍ଷ ମଧ୍ୟରେ ରାଜଧାନୀ ଓ ତାହାର ଉପକଣ୍ଠବର୍ତ୍ତୀ ଅଞ୍ଚଳରେ ଉତ୍କଟ ଜଳ ସଂକଟ ପରିସ୍ଥିତି ଉପୁଜିବାକୁ ଯାଉଛି । ଏ ପରିପ୍ରେକ୍ଷୀରେ ଏବେଠାରୁ ନିର୍ମାଣ କାର୍ଯ୍ୟ ଉପରେ କଟକଣା ନଲଗାଇଲେ ଭବିଷ୍ୟତରେ ସମସ୍ୟା ଅଧିକ ଉତ୍କଟତର ହେବ । ଏଥିଲାଗି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ । (ତଥ୍ୟ)