Home Health ଭ୍ରାମ୍ୟମାଣ ଚିକିତ୍ସା ସେବାରେ ପଛରେ

ଭ୍ରାମ୍ୟମାଣ ଚିକିତ୍ସା ସେବାରେ ପଛରେ

ଭୁବନେଶ୍ୱର : ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାପାଇଁ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍‍ ସହାୟକ ହେଉଥିବାବେଳେ ଓଡିଶାରେ କିନ୍ତୁ ଏଭଳି ଯାନ ସଂଖ୍ୟା ଅତି ନଗଣ୍ୟ । ପଡୋଶୀ ଝାଡଖଣ୍ଡରେ ୩୬ଟି ଭ୍ରାମ୍ୟମାଣ ଡାକ୍ତରଖାନା ଚିକିତ୍ସା ସେବା ଯୋଗାଉଥିବାବେଳେ ଓଡିଶାରେ ରହିଛି ଏହି ଧରଣର ମାତ୍ର ୯ଟି ଯାନ ।

ଚିକିତ୍ସା ଭିତ୍ତିଭୂମି ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଓଡିଶାରେ ମାତ୍ର ୯ଟି ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍‍ ଥିବାବେଳେ ୧୧୩୦ ଟି ଆମ୍ବୁଲାନ୍ସ ରୋଗୀ ସେବାରେ ନିୟୋଜିତ ଅଛନ୍ତି । ଏହି ଭ୍ରାମ୍ୟମାଣ ଯାନ ଓ ଆମ୍ବୁଲାନ୍ସଗୁଡିକ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟ କରୁଛନ୍ତି । ତେବେ ଆମର ପଡୋଶୀ ଛତିଗଡରେ ୩୦ଟି ଭ୍ରାମ୍ୟମାଣ ଚିକିତ୍ସା ଯାନ ଥିବାବେଳେ ଝାଡଖଣ୍ଡରେ ଏହି ସଂଖ୍ୟା ୩୬ଟି ରହିଛି । ଆନ୍ଧ୍ରପ୍ରଦେଶରେ ଏଭଳି ୬୭ଟି ଯାନ ରହିଥିବାବେଳେ ପଶ୍ଚିମବଙ୍ଗରେ ରହିଛି ୪୯ଟି । ତାମିଲନାଡୁରେ ସର୍ବାଧିକ ୪୨୫ ଟି ଭ୍ରାମ୍ୟମାଣ ଚିକିତ୍ସାଯାନ ଥିବାବେଳେ ରାଜସ୍ଥାନରେ ଦ୍ୱିତୀୟ ସର୍ବାଧିକ ୨୩୩ଟି ରହିଛି । ଉତ୍ତରପ୍ରଦେଶରେ ୧୭୦ଟି ଯାନ ସହିତ ଏ କ୍ଷେତ୍ରରେ ତୃତୀୟ ସ୍ଥାନରେ ଅଛି । ସମଗ୍ର ଦେଶରେ ମୋଟ୍‍ ୧୪୫୧ଟି ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍‍ ରହିଥିବା ଜଣାଯାଇଛି ।

ସେହିଭଳି ଆମ୍ବୁଲାନ୍ସ ସଂଖ୍ୟା କ୍ଷେତ୍ରରେ ମଧ୍ୟ ଆମ ରାଜ୍ୟ ଓଡିଶା ପଡୋଶୀଙ୍କ ତୁଳନାରେ ପଛରେ । ଓଡିଶାରେ ୧୧୩୦ଟି ଆମ୍ବୁଲାନ୍ସ ସେବା ଯୋଗାଉଥିବାବେଳେ ପଶ୍ଚିମବଙ୍ଗରେ ରହିଛି ୨୫୯୯ଟି । ଝାଡଖଣ୍ଡରେ ମଧ୍ୟ ୨୧୭୯ଟି ଆମ୍ବୁଲାନ୍ସ ଚଳାଚଳ କରୁଛି । ସମଗ୍ର ଦେଶରେ ୨୯,୪୫୭ଟି ଆମ୍ବୁଲାନ୍ସ ଚଳାଚଳ କରୁଥିବାବେଳେ ସର୍ବାଧିକ ୪୭୨୦ଟି ଆମ୍ବୁଲାନ୍ସ ଉତ୍ତରପ୍ରଦେଶରେ ଥିବାବେଳେ ମହାରାଷ୍ଟ୍ରରେ ୪୪୮୬ଟି ଅଛି ।

ସେହିଭଳି ଗାଁ ଗହଳରେ ଚିକିତ୍ସା ସେବାର ମଙ୍ଗ ଧରିଥିବା ଆଶା ଦିଦିଙ୍କ ସଂଖ୍ୟା ଓଡିଶାରେ ୪୯,୧୯୪ ଥିବାବେଳେ ସମଗ୍ର ଦେଶରେ ଏମାନଙ୍କ ସଂଖ୍ୟା ୧୦ଲକ୍ଷରୁ ସାମାନ୍ୟ ଅଧିକ ରହିଛି । ଛତିଶଗଡରେ ୭୧,୪୪୬ ଜଣ ଆଶାକର୍ମୀ ମୁତୟନ ହୋଇଥିବାବଳେ ଝାଡଖଣ୍ଡରେ ୪୨,୨୮୯ଜଣ ଅଛନ୍ତି । ପଶ୍ଚିମବଙ୍ଗରେ ଆଶାକର୍ମୀଙ୍କ ସଂଖ୍ୟା ୬୭,୮୦୨ ଥିବାବେଳେ ସର୍ବାଧିକ ୧,୭୦,୦୯୦ ଜଣ ଉତ୍ତରପ୍ରଦେଶରେ ରହିଥିବାବେଳେ ବିହାରରେ ଏମାନଙ୍କ ସଂଖ୍ୟା ପ୍ରାୟ ୯୫ହଜାର ରହିଛି ।

ତେବେ ଓଡିଶା ଏକ ପାହାଡ ପର୍ବତ ଓ ନଦୀ ନାଳ ଘେରା ରାଜ୍ୟ ହୋଇଥିବାରୁ ପଡୋଶୀ ରାଜ୍ୟଗୁଡିକ ଭଳି ଏଠାରେ ମଧ୍ୟ ଅଧିକ ସଂଖ୍ୟକ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍‍ ମୁତୟନ କରାଯାଇ ପାରିଲେ ଲୋକଙ୍କ ହାତ ପାଆନ୍ତାରେ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିବ ଚିକିତ୍ସା ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହାଦ୍ୱାରା କେବଳ ଡାକ୍ତରଖାନାଗୁଡିକ ଉପରେ ଚାପ କମିବ ନାହିଁ ବରଂ ଲୋକଙ୍କ ଗାଁରେ ବିଶେଷଜ୍ଞ ଡାକ୍ତରମାନେ ସ୍ୱଳ୍ପ ଖର୍ଚ୍ଚରେ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେଇପାରିବେ । ରୋଗୀମାନଙ୍କର ଖର୍ଚ୍ଚ କମିବା ସହିତ ଆମ୍ବୁଲାନ୍ସର ବୋଝ ମଧ୍ୟ ସରକାରଙ୍କ ଉପରୁ ହ୍ରାସ ପାଇବ । (ତଥ୍ୟ)