ଭୁବନେଶ୍ୱର : ମତଦାନ ସମୟରେ ବ୍ୟବହୃତ କାଳି ଯୋଗୁଁ ଭୁବନେଶ୍ୱର ଏଜି ଅଫିସର କର୍ମଚାରୀମାନେ ସଂକ୍ରମିତ ହୋଇଛନ୍ତି । କାଳିର ବିଷକ୍ରିୟା ପ୍ରଭାବରେ ସେମାନଙ୍କ ହାତ ଆଙ୍ଗୁଠି କୁଣ୍ଡାଇ ହୋଇ ଫୁଲିବା ସହିତ ଧିରେ ଧିରେ ତାହା ଘା’ର ରୂପ ନେଲାଣି ।
ଏଜି ଅଫିସର ତପସ୍ୱିନୀ ନାୟକ, ଗାୟତ୍ରୀ କର, ଫାରୁଖ ଶେଖ୍ ଓ ଶୁଭେନ୍ଦୁ ଦାସଙ୍କ ସହିତ ବହୁ କର୍ମଚାରୀ ନିର୍ବାଚନ ପରଚାଳନାରେ ନିୟୋଜିତ ହୋଇଥିଲେ । ଏମାନଙ୍କୁ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ମୁତୟନ କରାଯାଇଥିଲା । ମତଦାନ କେନ୍ଦ୍ରରେ ସେକେଣ୍ଡ ଅଫିସର ଭାବେ ମୁତୟନ ହୋଇଥିବା ଏହି କର୍ମଚାରୀମାନେ ସାଧାରଣତଃ ମତଦାତାଙ୍କ ହାତରେ କାଳି ଲଗାଇଥାନ୍ତି ।
ମତଦାତାଙ୍କ ହାତରେ କାଳି ଲଗାଇବା ସମୟରେ ଏହି ଅଫିସରମାନଙ୍କ ହାତରେ ବି କିଛି କାଳି ଲାଗିଥିଲା । ମତଦାନ କାର୍ଯ୍ୟ ସାରି ଫେରିବା ପରେ କାଳି ଲାଗିଥିବା ସ୍ଥାନ ପ୍ରଥମେ କୁଣ୍ଡେଇ ହୋଇଥିଲା । ପରେ ଏହା ଫୁଲିବା ସହିତ ଦରଜ ହୋଇଥିଲା । କେତେକ କର୍ମଚାରୀଙ୍କ ଏହି ସଂକ୍ରମିତ ଆଙ୍ଗୁଠିରୁ ଅଠାଳିଆ ପଦାର୍ଥ ବାହାରିବା ସହିତ ଯନ୍ତ୍ରଣା ଜାରି ରହିଛି ।
ଇତି ମଧ୍ୟରେ କର୍ମଚାରୀମାନେ ଡାକ୍ତରୀ ପରାମର୍ଶ କରି ଔଷଧ ସେବନ ଆରମ୍ଭ କରିଥିବାବଳେ ସଂକ୍ରମଣ ଯୋଗୁଁ ଛୁଟି ନେଇଛନ୍ତି । ଯନ୍ତ୍ରଣା ଭୋଗୁଥିବା କର୍ମଚାରୀମାନେ କହିଛନ୍ତି ଯେ କାଳିରେ ଥିବା ରସାୟନିକ ପଦାର୍ଥ ପ୍ରଭାବରେ ଏଭଳି ହୋଇଛି । ଏହାକୁ ଲୋକଙ୍କ ଶରୀରରେ ଲଗାଯିବା ପୂର୍ବରୁ ଭଲଭାବେ ପରୀକ୍ଷା କରାଯିବା ଆବଶ୍ୟକ ।