ଭୁବନେଶ୍ୱର : ଓଡିଶାରେ ଭୋଟରଙ୍କ ଅପେକ୍ଷା ଗରିବ ଲୋକଙ୍କ ସଂଖ୍ୟା ବେଶି । ବିଭିନ୍ନ ସମୟରେ ରାଜ୍ୟର ପ୍ରଗତି ସଂକ୍ରାନ୍ତରେ ବହୁ ପ୍ରଚାର ହେଉଥିବାବେଳେ ଏଥିରୁ ଓଡିଶାର ବାସ୍ତବ ସ୍ଥିତି ଅନୁମେୟ ବୋଲି ଅର୍ଥନୀତି ବିଶାରଦମାନେ କହୁଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବେ ଯେଉଁ ହିସାବ ଦେଇଛନ୍ତି ତଦନୁଯାୟୀ ପ୍ରକାଶିତ ଚୂଡାନ୍ତ ଭୋଟର ତାଲିକାରେ ଓଡିଶାର ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୩,୧୬,୩୨,୭୫୪ । ଏଥି ମଧ୍ୟରୁ ୧,୬୧,୩୦,୩୧୯ ପୁରୁଷ ଭୋଟର ଥିବାବେଳେ ୧,୫୪,୯୯,୬୬୧ ଜଣ ମହିଳା ଓ ୨୭୭୪ ହେଉଛନ୍ତି ତୃତୀୟଲିଙ୍ଗୀ ଭୋଟର ।
ଅନ୍ୟ ପକ୍ଷରେ ସଂସଦର ଗତ ମୌସୁମୀ ଅଧିବେଶନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି ସେଥିରେ ଓଡିଶାର ୩,୨୧,୯୩,୦୫୯ ହେଉଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀ । ଗରିବମାନଙ୍କ କଲ୍ୟାଣ କଳ୍ପେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ନାମରେ ଯେଉଁ ଅନ୍ନ ଯୋଜନା ପ୍ରଚଳନ କରିଛନ୍ତି ସେଥିରେ ପ୍ରତି ହିତାଧିକାରୀଙ୍କୁ ମାସିକ ମୁଣ୍ଡପିଛା ୫ କିଲୋ କରି ଚାଉଳ ମାଗଣାରେ ଦିଆଯାଉଛି । ଏହାଛଡା ଏହି ହିତାଧିକାରୀଙ୍କ ଲାଗି ରାଜ୍ୟ ସରକାର ମୁଣ୍ଡପିଛା ଆଉ ୫କିଲୋ କରି ମାଗଣା ଚାଉଳ ବାଣ୍ଟୁଛନ୍ତି ।
ତେବେ ବିଶ୍ଳେଷକମାନଙ୍କ ମତରେ ରାଜ୍ୟର ବୈଧ ଭୋଟରଙ୍କ ଠାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୫ଲକ୍ଷ ଅଧିକ । ୧୮ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କ ନାମ ଭୋଟର ତାଲିକାରେ ରହୁଥିବାବେଳେ ବୟସ ନିର୍ବିଶେଷରେ ୧୮ବର୍ଷରୁ କମ୍ ଓ ଅଧିକ ବୟସର ଗରିବ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ବଣ୍ଟାଯାଉଛି । ଏହାଛଡା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବି ଓଡିଶା ସରକାର ଆଉ ପ୍ରାୟ ୧୦ଲକ୍ଷ ଲୋକଙ୍କୁ ଚାଉଳ ଯୋଗାଉଛନ୍ତି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶା ବର୍ଷକୁ ୧,୮୭,୬୫୨ ମେଟ୍ରିକ ଟନ୍ ଚାଉଳ କେନ୍ଦ୍ର ସରକାରଙ୍କ ଠାରୁ ପାଉଛି । ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶାର ହିତାଧିକାରୀମାନଙ୍କୁ ଉଭୟ ଚାଉଳ ଓ ଗହମ ଦିଆଯାଉଥିବାବେଳେ ଏବେ କିନ୍ତୁ କେବଳ ଚାଉଳ ମିଳୁଛି । ବିହାର, ଗୁଜୁରାଟ, ଝାଡଖଣ୍ଡ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁକାଶ୍ମୀର ଭଳି ରାଜ୍ୟ ଏହି ଯୋଜନାରେ ଉଭୟ ଚାଉଳ ଓ ଗହମ ପାଉଥିବାବେଳେ ଓଡିଶାକୁ କିନ୍ତୁ ଆଉ ଗହମ ଯୋଗାଯାଉନାହିଁ । ଫଳରେ ମଧୁମେହ ଓ ଅନ୍ୟାନ୍ୟ ରୋଗରେ ପଡୁଥିବା ଗରିବ ଲୋକମାନଙ୍କୁ ଡାକ୍ତର ଭାତ ବଦଳରେ ରୁଟି ଖାଇବାକୁ ସୁପାରିଶ୍ କରୁଥିବାବେଳେ ଅର୍ଥାଭାବରୁ ସେମାନେ ଅଟା କିଣିପାରୁ ନାହାନ୍ତି । ଏ ପରିପ୍ରେକ୍ଷୀରେ ଅନ୍ୟ ରାଜ୍ୟ ଭଳି ଓଡିଶାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉଭୟ ଚାଉଳ ଓ ଗହମ ଯୋଗାଇ ଦିଆଗଲେ ଯେଉଁମାନଙ୍କର ଅଟା ଆବଶ୍ୟକ ସେମାନେ ଗହମ ପାଇ ଉପକୃତ ହୋଇପାରନ୍ତେ । (ତଥ୍ୟ)

