ଭୁବନେଶ୍ୱର : କେବଳ କଥାରେ ନୁହେଁ, ଦେଇଥିବା କଥାକୁ କାମରେ ପରିଣତ କରି ଦେଖାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ପ୍ରଚାର ସମୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରବାସୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ବାସ୍ତବତାର ରୂପ ଦେବାରେ ଲାଗିଛନ୍ତି ଅପରାଜିତା । ଯାହାର ସବିଶେଷ ତଥ୍ୟକୁ ଭୋଟରଙ୍କ ସାମ୍ନାରେ ରଖିଛନ୍ତି ସେ ।
ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜିବୀଙ୍କୁ ନେଇ ଆୟୋଜିତ ଏକ ବୈଠକରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିକାଶ କାର୍ଯ୍ୟ ନାମକ ଏକ ବୁକଲେଟ୍ ବାଣ୍ଟିଛନ୍ତି ଅପରାଜିତା । ଯେଉଁଥିରେ ଗତ ୬ ମାସ ମଧ୍ୟରେ ସାଂସଦ ହିସାବରେ ଲୋକଙ୍କ ଲାଗି କଣ କଣ ବିକାଶ ମୂଳକ ପଦକ୍ଷେପ ନେଇଛନ୍ତି ତାର ଏକ ଲମ୍ୱା ତାଲିକା ପ୍ରଦାନ କରିଛନ୍ତି । ୧୮ ପୃଷ୍ଠା ବିଶିଷ୍ଟ ଏହି ବୁକଲେଟରେ ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଜୟଦେବ, ଖୋର୍ଦ୍ଧା, ଜଟଣୀ, ବେଗୁନିଆ ନିର୍ବାଚନ ମଣ୍ଡଳୀଓ୍ୱାରି ଜାରି ରହିଥିବା ବିକାଶ ମୂଳକ କାର୍ଯ୍ୟର ତଥ୍ୟ ରଖାଯାଇଛି ।
ମୋଟ ଶହେ ଜଣଙ୍କୁ ଏହି ବୁକ୍ ଲେଟ୍ ପ୍ରଦାନ କରାଯାଇଛି । ଯେଉଁଥିରେ ସହିଦ ନଗରଠାରେ ସ୍ଥାୟୀ ହାଟଠୁ ଆରମ୍ଭ କରି ସତସଙ୍ଗ ବିହାର ନିକଟରେ ଫୁଟ୍ ଓଭରବ୍ରିଜ୍, ନୟାପଲ୍ଲୀ କମ୍ୟୁନିଟି ପାର୍କ ନିର୍ମାଣ ଲାଗି ଜମି ପ୍ରଦାନ, ଅତ୍ୟାଧିୁନିକ ଫିସ୍ ମାର୍କେଟ୍ ଓ ମଣ୍ଡି ଲାଗି ଜମି ପ୍ରଦାନ ସହ କାର୍ଯ୍ୟ ଆରମ୍ଭ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସଂସ୍କୃତି ହଲ୍ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ, ଖୋର୍ଦ୍ଧା ଟାଉନ ବାଇପାସ୍, ଜଟଣୀରେ କ୍ୟାନ୍ସର ହସପିଟାଲ ସ୍ଥାପନ ଭଳି ଉନ୍ନତି ମୂଳକ ପଦକ୍ଷେପମାନଙ୍କର ସବିଶେଷ ତଥ୍ୟ ରହିଛି ।
ସେହିଭଳି ବାଲିଅନ୍ତା ଯଶୁଆପୁରରେ ହେଲ୍ଥ-ସବ୍-ସେଣ୍ଟର ଉଦଘାଟନ ହେଉ କି ବାଲିଅନ୍ତା ବ୍ଲକର ଜଗନ୍ନାଥପୁର ପଞ୍ଚାୟତରେ ୨୫୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ସିଲେଇ ଶିଳ୍ପ ସମ୍ପର୍କରେ ମଧ୍ୟ ତଥ୍ୟ ରଖିଛନ୍ତି ଅପରାଜିତା । ଏହି ଶିଳ୍ପ ଦ୍ୱାରା ୧୦ ହଜାର ପୁରୁଷ ଏବଂ ମହିଳାଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ଦାବି କରିଛନ୍ତି ଅପରାଜିତା ଷଡ଼ଙ୍ଗୀ ।
ସେହିଭଳି ବ୍ରହ୍ମେଶ୍ୱର ମନ୍ଦିର, କପିଳେଶ୍ୱର ମନ୍ଦିର ଭଳି ବିଭିନ୍ନ ମନ୍ଦିରର ଉନ୍ନତିକରଣ ହେଉ କି ତରାବୋଇ ରେଳ ଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ, ତିନୋଟି ସୌର ଚାଳିତ ଶୀତଳ ଭଣ୍ଡାରର ଉଦଘାଟନ, ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ, ଲିଙ୍ଗରାଜ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନରେ ପରିଣତ କରିବା, ଜଟଣୀରେ ରେଳ ଓଭରବ୍ରିଜ୍ ନିର୍ମାଣର ତଥ୍ୟ ମଧ୍ୟ ଜନସାଧାରଣଙ୍କୁ ପ୍ରଦାନ କରିଛନ୍ତି । ସେହିଭଳି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୭୫୦୦ରୁ ଉର୍ଦ୍ଧ୍ୱ ସିଙ୍ଗଲ ସୋଲାର ଲାଇଟ୍ ଲଗାଇବା ସହ ୧୫୩ଟି ହାଇମାଷ୍ଟ ସୋଲାର ଲାଇଟ୍ ଏବଂ ୨୦ଟି ମିନି ମାଷ୍ଟ ସୋଲାର ଲାଇଟ୍ ଲଗାଇଥିବା ମଧ୍ୟ ଦର୍ଶାଇଛନ୍ତି ଅପରାଜିତା ।
ଖାଲି ଏତିକି ନୁହେଁ ଅପରାଜିତାଙ୍କ ଅନୁରୋଧରେ ବିଏମସି ପକ୍ଷରୁ ୧୬୦ଟି ଭିନ୍ନ ଭିନ୍ନ ପ୍ରକଳ୍ପ ଲାଗି ଡକାଯାଇଥିବା ଟେଣ୍ଡରର ସବିଶେଷ ତଥ୍ୟ ମଧ୍ୟ ଏହି ବୁକଲେଟରେ ସ୍ଥାନ ପାଇଛି । ଏହି ପ୍ରୟାସ ଦ୍ୱାରା ସାଧାରଣ ଲୋକ ମଧ୍ୟ ସାଂସଦଙ୍କର ଉନ୍ନତିମୂଳକ ପଦକ୍ଷେପ ସମ୍ୱନ୍ଧରେ ସବୁ ପ୍ରକାରର ତଥ୍ୟ ପାଇପାରୁଛନ୍ତି । ଆଉ ଆଗକୁ ଏସବୁ ପ୍ରକଳ୍ପ କିମ୍ୱା କାର୍ଯ୍ୟରେ କିଛି ବି ବ୍ୟତିକ୍ରମ ଦେଖିଲେ ବିଭାଗୀୟ ଅଧିକାରୀ କିମ୍ୱା ସାଂସଦଙ୍କୁ ଅଭିଯୋଗ ମଧ୍ୟ କରିପାରିବେ ।
ଅନ୍ୟପଟେ ଆାଗାମୀ ଦିନରେ ଭୁବନେଶ୍ୱରକୁ ପୂର୍ବ ଭାରତର ଏକ ନମ୍ୱର ସହର ରୂପେ ଗଢ଼ି ତୋଳିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଗକୁ ପ୍ରତି ୬ ମାସରେ ଏହିଭଳି ନିର୍ବାଚନ ମଣ୍ଡଳୀଓ୍ୱାରି ବିକାଶ ମୂଳକ କାର୍ଯ୍ୟର ଲିଷ୍ଟ ସବୁ ପ୍ରଦାନ କରିବେ ବୋଲି କହିଛନ୍ତି ସେ । ଆଉ ସାଂସଦକଙ୍କର ଏଭଳି କାର୍ଯ୍ୟକୁ ବେଶ୍ ନିଆରା ପଦକ୍ଷେପ ବୋଲି ଅଭିହିତ କରିବା ସହ ଖୁବ୍ ପ୍ରଶଂସା କରିଛନ୍ତି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବୀ ।