ଭୁବନେଶ୍ୱର : ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାଲାଗି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଆପ୍ରାଣ ଉଦ୍ୟମ ଚଳାଇଥିବାବେଳେ ସହରର ଗଳି କନ୍ଦିରେ ଆୟୋଜିତ ଭୋଜିଭାତ ଏବେ ଏଥିରେ ବଡ ବାଧକ ସାଜିଛି । ଭୋଜିଭାତ ପରେ ଅଇଁଠାପତ୍ର ଠାରୁ ଆରମ୍ଭକରି ବଳକା ଖାଦ୍ୟ ସବୁକୁ ଆୟୋଜନକାରୀମାନେ ଏଣେ ତେଣେ ଫୋପାଡୁଥିବାରୁ ଏଥିରୁ କିଭଳି ମୁକ୍ତି ମିଳିବ ତାହା ଏବେ ବିଏମ୍ସି ପାଇଁ ଚିନ୍ତାର କାରଣ ହୋଇଛି ।
ଏବେ ବିବାହ ଋତୁ ସହିତ ବିଭିନ୍ନ ପ୍ରକାର ପୂଜା ପାର୍ବଣ ଜାରି ରହିଛି । ସହରରେ ଥିବା କଲ୍ୟାଣମଣ୍ଡପ ଠାରୁ ଆରମ୍ଭକରି ବିଭିନ୍ନ ମନ୍ଦିର, ଗଳିକନ୍ଦି, ବସ୍ତି ଆଦିରେ ଏଥିପାଇଁ ଭୋଜିଭାତ ହେଉଛି । ତେବେ ଭୋଜିଭାତ ଆୟୋଜନ ପାଇଁ ଅନେକ ସ୍ଥାନରେ ଲୋକେ ବିଏମ୍ସି ଠାରୁ ଅନୁମତି ଆଣୁନଥିବା ଲକ୍ଷ୍ୟ କରାଯାଉଛି । ଫଳରେ ସେହିସବୁ ଭୋଜିଭାତ ଆୟୋଜନ ସ୍ଥାନରୁ ବାହାରୁଥିବା ଖାଦ୍ୟ ଓ ଅନ୍ୟାନ୍ୟ ବର୍ଜ୍ୟ ସହଜରେ ସଫା ହୋଇପାରୁ ନାହିଁ ।
ବିଶେଷକରି ରାତିରେ ଭୋଜି କରୁଥିବା ଆୟୋଜକ ଓ ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ବଳକା ସାମଗ୍ରୀକୁ ଏଣେ ତେଣେ ରାସ୍ତା ଉପରେ ଫିଙ୍ଗି ପଳାଉଛନ୍ତି । ତାହାକୁ ଉଠାଇବାକୁ ସଫେଇ କର୍ମଚାରୀମାନେ ନାକ ଟେକୁଛନ୍ତି । କାରଣ ରାସ୍ତା ସଫେଇ ଦାୟିତ୍ୱରେ ଥିବା କର୍ମଚାରୀମାନେ ଏଭଳି ଅଇଁଠା ସଫା କରିବା ସମ୍ଭବ ହେଉନାହିଁ । ବିଏମ୍ସି କର୍ମଚାରୀଙ୍କ କହିବାକଥା ଯେ ଯେଉଁମାନେ ବିଏମ୍ସିରୁ ଅନୁମତି ଆଣୁଛନ୍ତି ସେମାନଙ୍କର ଏହି ବର୍ଜ୍ୟ ଉଠାଇବାର ବ୍ୟବସ୍ଥା ବିଏମ୍ସି କରୁଛି ।
କିନ୍ତୁ ବିନା ଅନୁମତିରେ ଭୋଜିଭାତ ଆୟୋଜନ କରି ରାସ୍ତାଘାଟ ପୂତ୍ତି ଗନ୍ଧମୟ କରୁଥିବା ଆୟୋଜକ ଏବେ ବିଭିନ୍ନ ସ୍ଥାନରେ ସାନିଟାରୀ ଇନ୍ସପେକ୍ଟରମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । କାରଣ ରାସ୍ତାଉପରେ କୁଢ କୁଢ ଆବର୍ଜନା ଦେଖି ସ୍ଥାନୀୟ ଲୋକେ ଏହାର ଫଟୋ ଉଠାଇ ବିଏମ୍ସି କମିଶନରଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଧିକାରୀଙ୍କୁ ଟୁଇଟ୍ କରୁଛନ୍ତି । ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା ବେଳକୁ ଆୟୋଜନକାରୀ ଓ ଖାଦ୍ୟ ପ୍ରସ୍ତୁତକାରୀ କାହାରି ପତ୍ତା ମିଳୁନାହିଁ । ଯେହେତୁ ସେମାନେ ଅନୁମତି ନେଉନାହାନ୍ତି ତେଣୁ ସେମାନଙ୍କ ଠିକଣା ବି କାହାରି ପାଖରେ ନାହିଁ ।
ସେହିଭଳି ସହରର ବିଭିନ୍ନ ସ୍ଥାନରେ ଲୋକେ ନିଜ ନିଜ ବାଡିରେ ଥିବା ଗଛପତ୍ରକୁ ଆଣି ରାସ୍ତା ଉପରେ ଗଦା କରି ଦେଉଛନ୍ତି । ଏହି ସବୁଜ ବର୍ଜ୍ୟକୁ କିଏ ଉଠାଇବ ତାହାକୁ ନେଇ ଏବେ ଟଣାଓଟରା ଚାଲିଛି । କାରଣ ଗୋଟିଏ ସଫେଇ ଦଳ ଘରକୁ ଘର ବୁଲି ବର୍ଜ୍ୟ ସଂଗ୍ରହ କରୁଥିବାବେଳେ ଆଉ ଗୋଟିଏ ଦଳ ରାସ୍ତାଘାଟରେ ଝାଡୁମାରି ସଫା କରୁଛନ୍ତି । ଏମାନେ କେହି ଗଛଡାଳ ଭଳି ସବୁଜ ବର୍ଜ୍ୟ ନେବାକୁ ନାରାଜ । କାରଣ ଏହାକୁ ନେଲେ ସୋମନଙ୍କୁ ଏ ବାବଦରେ ଅର୍ଥ ମିଳିବନାହିଁ ବୋଲି କହୁଛନ୍ତି । ଫଳରେ ଏଭଳି ବର୍ଜ୍ୟ ଦୀର୍ଘଦିନ ଦରି ରାସ୍ତାଉପରେ ପଡି ରହୁଥିବା ଲକ୍ଷ୍ୟ କରାଯାଉଛି ।
ଅନ୍ୟ ପକ୍ଷରେ ଏବେ ବିଏମ୍ସି ସହରର ବିଭିନ୍ନ କନଜରଭେନ୍ସିଂରେ ଫେବରବ୍ଲକ ପକାଇବାପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ସେଠାରେ ଥିବା ଜବରଦଖଲ ଓ ଗଦା ଗଦା ନିର୍ମାଣ ବର୍ଜ୍ୟ ଏବେ ବହୁ ସ୍ଥାନରେ ଏଥିରେ ବାଧକ ସାଜିଛି । ଏହି କାମର ଠିକା ନେଇଥିବା ଠିକାଦାରମାନେ କିଭଳି ଜବରଦଖଲ ହଟାଇବେ ଓ ବର୍ଜ୍ୟ ଉଠାଇବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି । (ତଥ୍ୟ)