Home General ଭୂ ରାଜସ୍ୱ ଆଦାୟ ୪୦୩ କୋଟିରୁ ଅଧିକ

ଭୂ ରାଜସ୍ୱ ଆଦାୟ ୪୦୩ କୋଟିରୁ ଅଧିକ

ଭୁବନେଶ୍ୱର : ନୂତନ ଜ୍ଞାନକୌଶଳ ଭିତ୍ତିକ ବ୍ୟବସ୍ଥା ଗ୍ରହଣ କରି ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ର ଜୁନ୍ ଶେଷ ସୁଦ୍ଧା ୪୦୩.୧୨ କୋଟି ଟଙ୍କାର ଭୂ ରାଜସ୍ୱ ଆଦାୟ କରିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନେତୃତ୍ୱରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ଷ୍ଟାମ୍ପ ଡ୍ୟୁଟିରୁ ୨୭୪.୩୨ କୋଟି ଟଙ୍କା ଏବଂ ପଞ୍ଜୀକରଣ ଟିକସ ବାବଦରେ ୧୨୮.୮୦ କୋଟି ଟଙ୍କା ଆଦାୟ କରିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫.୪୬ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବାବେଳେ କଟକ ଜିଲ୍ଲାରୁ ୪୧.୨୮ କୋଟି ଟଙ୍କା ଆଦାୟ ହୋଇଛି । ଏହା ପରେ ଗଞ୍ଜାମ ଜିଲ୍ଲାରୁ ମୋଟ ୩୪.୯୩ କୋଟି, କୋରାପୁଟରୁ ୩୧.୪୬ କୋଟି, ପୁରୀ ଜିଲ୍ଲାରୁ ୨୯.୩୯ କୋଟି ଏବଂ ବାଲେଶ୍ୱର ଜିଲ୍ଲାରୁ ୨୫.୦୯ କୋଟି ଟଙ୍କା ଆଦାୟ ହୋଇଛି ।

ଏହି ସମୟ ମଧ୍ୟରେ ସମୁଦାୟ ୧,୦୦,୪୬୨ଟି ବିକ୍ରୟ କାର୍ଯ୍ୟ ସମ୍ପନ୍ନ ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୭,୭୩୨ ଟି ବିକ୍ରି ଦସ୍ତାବିଜ ମଞ୍ଜୁର ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ୯,୫୨୧ ଟି ବିକ୍ରୟ ଦସ୍ତାବିଜ ଅନୁମୋଦନ କରାଯାଇଛି ।

ସେହିପରି କଟକ ଜିଲ୍ଲାରେ ଏପ୍ରିଲରୁ ଜୁନ୍ ମଧ୍ୟରେ ମୋଟ ୯୫୪୭ଟି ବିକ୍ରି ପତ୍ର ମଞ୍ଜୁର ହୋଇଥିବା ବେଳେ ବାଲେଶ୍ୱରରେ ୮୩୦୧, ପୁରୀରେ ୬୩୩୧, ଯାଜପୁରରେ ୫୨୮୫ ଓ ଭଦ୍ରକରେ ୪୪୪୫ଟି ବିକ୍ରି ହୋଇଛି ।

ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୧୮୦୫.୮୮ କୋଟି ଟଙ୍କାର ଭୂ ରାଜସ୍ୱ ଆଦାୟ ହୋଇଥିବା ବେଳେ ସେଥିମଧ୍ୟରୁ ଷ୍ଟାମ୍ପ ଡ୍ୟୁଟିରୁ ୧୨୪୦.୮୨ କୋଟି ଟଙ୍କା ଏବଂ ପଞ୍ଜିକରଣ ଶୁଳ୍କରୁ ୫୬୫.୦୭ କୋଟି ଟଙ୍କା ଆଦାୟ ହୋଇଛି ।

ଜମି ହେଉଛି ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପଦ ଏବଂ ରାଜସ୍ୱ ବିଭାଗ ସବୁବେଳେ ସମ୍ବଳର ସଠିକ ବ୍ୟବହାର ଉପରେ ଗୁରୁତ୍ୱ ଦେଇ ଆସୁଛି । ନିକଟରେ ଏସିଏସ୍ ଶ୍ରୀ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସରକାରୀ ଜମିରେ ଜବରଦଖଲ ଚିହ୍ନଟ କରି ପ୍ରଚଳିତ ନିୟମ ଅନୁଯାୟୀ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଶ୍ରୀ ସାହୁ ସରକାରୀ ଜମିରେ ବ୍ୟାପକ ଜବରଦଖଲକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଜବରଦଖଲ ହୋଇଥିବା ଜମିଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ହଟାଇବା ପାଇଁ ସର୍ଭେ କରିବାକୁ କହିଛନ୍ତି । (ତଥ୍ୟ)