ଭୁବନେଶ୍ୱର : ଭୂତଳ ଜଳସ୍ତର ରିଚାର୍ଜ ପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଯେଉଁଥିରେ ଆଗାମୀ ୫ବର୍ଷ ମଧ୍ୟରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ ହେବ । ଏହି ନୂତନ ଯୋଜନାରେ କୃତ୍ରିମ ରିଚାର୍ଜ ଯୋଗୁଁ ଭୂତଳ ଜଳସ୍ତର ବୃଦ୍ଧି ସହିତ ଜଳର ଗୁଣାତ୍ମକମାନ ମଧ୍ୟ ବୃଦ୍ଧି ପାଇବ ବୋଲି ଜଣାଯାଇଛି ।
ବିଶେଷଜ୍ଞଙ୍କ ମତରେ ବିଭିନ୍ନ ବିକାଶ ମୂଳକ ଓ ଉନ୍ନୟନ କାର୍ଯ୍ୟ ଯୋଗୁଁ ଜଳସ୍ତର ହ୍ରାସ ପାଉଛି । ବର୍ଷାଜଳ ଦ୍ୱାରା ଏହି ଜଳସ୍ତର ବୃଦ୍ଧି ହୋଇପାରୁ ନାହିଁ । ନିକଟରେ ଜଳସମ୍ପଦ ବିଭାଗ ପକ୍ଷରୁ ଆସନ୍ତା ୫ବର୍ଷ ପାଇଁ ୪୯.୨୩ କୋଟି ଟଙ୍କାରେ ଯୋଜନା କାର୍ଯ୍ୟକାରୀ ଲାଗି ବିଜ୍ଞପ୍ତି ଜାରି ହୋଇଛି । ଏହି ଅର୍ଥ ରାଜ୍ୟର ନିଜସ୍ୱ ପାଣ୍ଠିରୁ ଯୋଗାଇ ଦିଆଯିବ ।
୬୫ ପ୍ରତିଶତରୁ ଅଧିକ ଭୂତଳ ଜଳ ନିଷ୍କାସିତ ହେଉଥିବା ୩୨ ବ୍ଲକରେ ଏହା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ଭୂତଳ ଜଳସ୍ତର ରିଚାର୍ଜପାଇଁ ୨୪୦୦ ଟି ପୋଖରୀ ଓ ଜଳାଶୟରେ ଭୂତଳ ଜଳ ରିଜାର୍ଚ ପ୍ରକଳ୍ପ ସ୍ଥାପନ ହେବ । ପ୍ରଥମ ଚାରି ବର୍ଷରେ ବର୍ଷକୁ ୪୯୦ଟି କରି ଏଭଳି ପ୍ରକଳ୍ପ ସ୍ଥାପନ ହେବ ଏବଂ ଶେଷ ବର୍ଷ ଅର୍ଥାତ୍ ୨୦୨୬-୨୭ରେ ଅବଶିଷ୍ଟ ୪୪୦ଟି ପ୍ରତିଷ୍ଠା ହେବ ।
ବିଭାଗ ଦ୍ୱାରା ଯୋଗା ଯାଉଥିବା ଅର୍ଥରେ ପାଣିପଞ୍ଚାୟତଗୁଡିକ ଏହାର ରକ୍ଷଣା ବେକ୍ଷଣ କରିବେ । ନିକଟରେ ବର୍ଷାଜଳ ସଂରକ୍ଷଣ ପାଇଁ ରାଜ୍ୟ କ୍ୟାବିନେଟ୍ ‘ଛତା’ ନାମରେ ଏକ ଗୋଷ୍ଠି ଭିତ୍ତିକ ଯୋଜନାକୁ ମଞ୍ଜୁର କରିଛନ୍ତି । ଏହି ଯେଜାନା ୨୦୨୨-୨୩ ରୁ ୨୦୨୬-୨୭ ପର୍ଯ୍ୟନ୍ତ ରାଜ୍ୟର ୫୨ଟି ବ୍ଲକ ଓ ୨୭ଟି ପୌରାଞ୍ଚଳରେ ୨୯,୫୦୦ ଘରୋଇ କୋଠା ଏବଂ ୧୯୨୫ଟି ସରକାରୀ କୋଠାରେ କାର୍ଯ୍ୟକାରୀ ହେବ । ଏଥିରେ ୨୭୦ କୋଟି ଟଙ୍କା ବ୍ୟୟ ହେବାର ଯୋଜନା ରହିଛି । ଏହି ଯୋଜନାରେ ଯେଉଁମାନେ ନିଜ ଘରର ଛାତ ଉପରେ ବର୍ଷାଜଳ ଅମଳ ପ୍ରକଳ୍ପ କରିବେ ସେମାନଙ୍କୁ ରାଜ୍ୟ ସରକାର ପ୍ରକଳ୍ପର ୫୦ ପ୍ରତିଶତ କିମ୍ବା ସର୍ବାଧିକ ୫୫,୦୦୦ ଟଙ୍କାର ସବସିଡ୍ ପ୍ରଦାନ କରିବେ ।
ରାଜ୍ୟ ଭୂତଳ ଜଳ ନିର୍ଦ୍ଦେଶାଳୟ ଏବଂ କେନ୍ଦ୍ର ଜଳ ବୋର୍ଡର ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ ରାଜ୍ୟରେ ବାର୍ଷିକ ଭୂତଳ ଜଳ ରିଚାର୍ଜ ପରିମାଣ ୧୭.୦୮ ବିଲିୟନ କ୍ୟୁବିକ ମିଟର (ବିସିଏମ) ହୋଇଥିବାବେଳେ ବାର୍ଷିକ ପ୍ରାକୃତିକ ନିଷ୍କାସନ ପରିମାଣ ୧.୩୭ ବିଏସିଏମ ରହିଛି । ସେହିଭଳି ବର୍ଷକୁ ମାଟିତଳୁ ୧୫.୭୧ ବିସିଏମ୍ ଜଳ ନିଷ୍କାସନ କରାଯାଉଛି । ଯାଜପୁର ଏବଂ ନୂଆପଡା ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଭୂତଳଜଳ ନିଷ୍କାସନ ହେଉଥିବାବେଳେ ମାଲକାନଗିରିରେ ଏହା ସବୁଠାରୁ କମ୍ ୧୬.୦୫ ପ୍ରତିଶତ ରହିଛି ।
ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୩୦୨ଟି ସୁରକ୍ଷିତ ଥିବାବେଳେ ୬ଟି ସାମାନ୍ୟ ଗୁରୁତର ଏବଂ ୬ଟି ଲବଣାକ୍ତ ରହିଛି । ଏହି ୬ଟି ସାମାନ୍ୟ ଗୁରୁତର ବ୍ଲକଗୁଡିକ ହେଉଛି ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡାର ଗରଦପୁର, ଖୋରଧାର ଭୁବନେଶ୍ୱର ଓ ବୋଲଗଡ ଏବଂ ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ । ଛଅଟି ଲବଣାକ୍ତ ଜଳଉତ୍ସ ଥିବା ବ୍ଲକ ହେଉଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ଜଗତ୍ସିଂହପୁର ଜିଲ୍ଲାର ଏରସମା, କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା, ମାର୍ଶାଘାଇ, ରାଜକନିକା ଏବଂ ରାଜନଗର । ତେବେ ରାଜ୍ୟର ୧୪ ପ୍ରତିଶତ ଅର୍ଥାତ୍ ୬୪ଟି ବ୍ଲକରେ ଭୂତଳ ଜଳ ନିଷ୍କାସନ ପରିମାଣ ୬୦ରୁ ୭୦ ପ୍ରତିଶତ ମଧ୍ୟରେ ରହିଥିବା ଜଣାଯାଇଛି । (ତଥ୍ୟ)