ଭୁବନେଶ୍ୱର : ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ତାଳଚେର ନିକଟରେ ୨୦ ଏକରରୁ ଅଧିକ ଜମି ଉପରେ ନିର୍ମିତ ହୋଇଥିବା ମେଡିକାଲ କଲେଜ ଶୌଧ ଏବେ ଏକପ୍ରକାର ଭୂତକୋଠି ଭଳି ପଡିଛି । ୩ବର୍ଷ ତଳୁ କୋଠା ନିର୍ମାଣ କାମ ସରିଥିଲେ ବି ଏଯାବତ୍ ଏଠାରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରିନାହିଁ ।
କେନ୍ଦ୍ର ସରକାରଙ୍କ ଅଗ୍ରଣୀ ଉଦ୍ୟୋଗ ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍ (ଏମସିଏଲ୍) ତାଳଚେରଠାରେ ମହାନଦୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ (ମିମ୍ସାର) ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର କରିଥିଲା । ରାଜ୍ୟ ସରକାର ବି ଏଥିଲାଗି ପ୍ରାୟ ୨୦ଏକର ଜମି ଯୋଗାଇ ଦେବାସହ ଭିତ୍ତିଭୂମି ବିକାଶ ଲାଗି ସହଯୋଗର ହାତ ବଢାଇଥିଲେ । ୨୦୧୪ରେ ଏହି ମେଡିକାଲ କଲେଜ ପାଇଁ ପରିକଳ୍ପନା କରାଯାଇ ୨୦୧୫ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୧୮ବେଳକୁ ଏହାର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି ।
ତେବେ ଏହି ମେଡିକାଲ କଲେଜ କେନ୍ଦ୍ର ସରକାରଙ୍କ ଏମ୍ସିଏଲ୍ ନିର୍ମାଣ କରିବା ସହ ତାହାର ନାମକରଣରେ ବି ସଂସ୍ଥାର ନାମକୁ ଯୋଡିଥିଲେ ମଧ୍ୟ ଏମ୍ସିଏଲ୍ର ମେଡିକାଲ କଲେଜ ପରିଚାଳନା ପାଇଁ ବୈଷୟିକ ଦକ୍ଷତା ନଥିବାରୁ ଏହି କଲେଜକୁ ରାଜ୍ୟ ସରକାର କିମ୍ବା କୌଣସି ଘରୋଇ ପ୍ରତିଷ୍ଠାନ ପରିଚାଳନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେତେବେଳେ ୨୦୧୯-୨୦ ଶିକ୍ଷାବର୍ଷରେ ଏହି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଥିଲା ।
କିନ୍ତୁ ଏଯାବତ୍ ଏହାକୁ ମେଡିକାଲ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ଏମ୍ସିଆଇ) ସ୍ୱୀକୃତି ଦେଇନଥିବାରୁ ମେଡିକାଲ କଲେଜରେ ନାମାଙ୍କନ ହୋଇପାରୁନାହିଁ । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ କୋଇଲା ବିଭାଗ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ସଂକ୍ରାନ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିସ୍ତୃତ ଆଲୋଚନା କରିବା ପରେ ଏହି ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ଓଡ଼ିଶା ସରକାର ହାତକୁ ନେବାପାଇଁ ଏମ୍ସିଏଲ୍ ପକ୍ଷରୁ ଅନୁରୋଧ କରାଯାଇଥିଲା ଏବଂ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଉପରେ ମଧ୍ୟ ମୋହର ବସାଇଛନ୍ତି ।
ନୂଆ ପ୍ରସ୍ତାବ ଅନୁଯାୟୀ ରାଜ୍ୟ ସରରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ମେଡିକାଲ କଲେଜ ଓ ହସ୍ପିଟାଲର ପରିଚାଳନା କରିବ ଏବଂ ଏଥିପାଇଁ ଆବଶ୍ୟକୀୟ ଅର୍ଥ ଏମ୍ସିଏଲ୍ ଯୋଗାଇଦେବ । ଏହି ମେଡିକାଲ କଲେଜ ହସ୍ପିଟାଲରେ ୧୦୦ଜଣ ଛାତ୍ରଛାତ୍ରୀ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମାଙ୍କନ କରିବାର ପ୍ରସ୍ତାବ ରହିଛି । ଏହି ଡାକ୍ତରଖାନାରେ ୫ଶହ ରୋଗୀଙ୍କ ପାଇଁ ଶଯ୍ୟା ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ରଖାଯିବାର ପ୍ରସ୍ତାବ ଅଛି । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜର ଯେଉଁ ଅଭାବ ରହିଛି, ତାହାକୁ ମିମ୍ସାର ପୂରଣ କରିବ ବୋଲି ଆଶା କରାଯାଉଛି ।
ତାଳଚେରରେ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ସେଠାକାର ସଚେତନ ନାଗରିକମାନେ ତାଳଚେର ସରକାରୀ କଲେଜ କ୍ରିୟାନୁଷ୍ଠାନ କମିଟି ଗଢିଛନ୍ତି । ଗତ ଡିସେମ୍ବର ମାସରେ ଏହି କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳଙ୍କୁ ସରକାରୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ଯେ, ଏହି ଡାକ୍ତରଖାନା ୨୦୨୩ ଫେବ୍ରୁଆରୀରୁ କାର୍ଯ୍ୟକ୍ଷମ ହେବ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପରେ ମେଡିକାଲ କଲେଜ ପାଇଁ ନାମାଙ୍କନ କରାଯିବ ।
ତେବେ ଇତିମଧ୍ୟରେ ଫେବ୍ରୁଆରୀ ଯାଇ ମାର୍ଚ୍ଚ ସରିବାକୁ ବସୁଥିବାବେଳେ ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏହି ମେଡିକାଲ କଲେଜର ଆକର୍ଷଣୀୟ ଶୌଧ ଏବେ ରୋଗୀ, ଡାକ୍ତର, ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଅପେକ୍ଷା କରି ରହିଛି । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନଥିଲେ ତାହାକୁ ନିର୍ବାଚନବେଳେ ରାଜନୈତିକ ଏଜେଣ୍ଡା କରାଯିବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ । ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ରାଜନୈତିକ ନେତାମାନେ ସ୍ପଷ୍ଟ ବିବୃତ୍ତି ନରଖି ମାପିଚୁପି କଥା କହୁଥିବାରୁ ଏହି ମେଡିକାଲ କଲେଜ ଓ ଡାକ୍ତରଖାନା ପାଇଁ କିଏ ଶ୍ରେୟ ନେବ ସେଥିଘେନି ଛକାପଞ୍ଝା ଲାଗି ରହିଛି । (ତଥ୍ୟ)