ଭୁବନେଶ୍ୱର : ରାଜଧାନୀରେ ୧୮୬୦ ଏକର ଜମି ଏବେ ଜବରଦଖଲରେ । ଏହାକୁ ମୁକୁଳାଇବାପାଇଁ ଏକାଧିକ ମାମଲା ରୁଜୁ ହୋଇଥିଲେ ମଧ୍ୟ ତାହା ସହଜରେ ସରକାରୀ ଖାତାକୁ ଫେରୁନାହିଁ ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ସହରରେ ସାଧାରଣ ପ୍ରଶାସନ ବିଭାଗର ୨୪,୯୯୦ ଏକର ଜମି ରହିଛି । ଏହା ଭିତରୁ ପାଖାପାଖି ୧୮୬୦ ଏକର ଏବେ ଜବରଦଖଲରେ । ରାଜଧାନୀର ପ୍ରାୟ ସବୁ ଅଞ୍ଚଳରେ ସରକାରୀ ଜମି ଜବରଦଖଲ ହୋଇଛି । ତେବେ ଏହି ଜବରଦଖଲ ଜମିକୁ ମୁକୁଳାଇବାପାଇଁ ରାଜ୍ୟ ସରକାର ଜବର ଦଖଲ ଉଚ୍ଛେଦ ୧୯୭୨ ଆଇନ୍ ଅନୁଯାୟୀ ମାମଲା ରୁଜୁ କରୁଛନ୍ତି ।
ତେବେ ମାଳ ମାଳ ମାମଲା ସତ୍ୱେ ଜବର ଦଖଲ ହୋଇଯାଉଥିବା ଜମି ମୁକୁଳାଇବା ସହଜ ହେଉନାହିଁ । ଜବରଦଖଲକାରୀମାନେ ସରକାରୀ ଜମିରେ ଘର ଓ ଦୋକାନ ଆଦି ତିଆରି କରି ଭଡା ଲଗାଇବା ସହିତ ସେହି ଅର୍ଥରେ ମାମଲା ପରିଚାଳନା କରୁଛନ୍ତି । ସେହିଭଳି ଏହିସବୁ ମାମଲା ପରିଚାଳନାରେ ଢିଲା ପଣ ଯୋଗୁଁ ଦୀର୍ଘଦିନ ଧରି ମାମଲା ଗଡି ଚାଲିବା ସହିତ ସରକାରଙ୍କ ହାତରୁ ଧିରେ ଧିରେ ଜମିଗୁଡିକ ଖସିବାରେ ଲାଗିଛି ।
ଅବସ୍ଥା ଏଭଳି ହେଲାଣି ଯେ ଜବରଦଖଲକାରୀଙ୍କ କବଳରୁ ସରକାରୀ ଜମିକୁ ବଞ୍ଚାଇବାପାଇଁ ସାଧାରଣ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ‘ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି, ଜବରଦଖଲ ଦଣ୍ଡନୀୟ ଅଟେ’ ଲେଖାଥିବା ବୋର୍ଡ ମାରିବାରେ ଲାଗିଛନ୍ତି । ତେବେ ଅଧିକାଂଶ ସ୍ଥାନରେ ବୋର୍ଡ ମାରିବାର କିଛିଦିନ ପରେ ଜବରଦଖଲକାରୀମାନେ ସେହି ସ୍ଥାନକୁ ବି ଧିରେ ଧିରେ ଅଧିକାର କରିବାରେ ଲାଗି ପଡୁଛନ୍ତି ।
ଭୁବନେଶ୍ୱରର ସହରରୁ ଜବରଦଖଲ ହଟାଇବାପାଇଁ ବିଡିଏ, ବିଏମ୍ସି ଓ ସାଧାରଣ ପ୍ରଶାସନ ବିଭାଗର ନିଜସ୍ୱ ଏନ୍ଫୋର୍ସମେଣ୍ଟ ସ୍କାଡ୍ ଥିବାବେଳେ ଜବରଦଖଲକାରୀମାନଙ୍କୁ କିନ୍ତୁ ହଟାଇବା ସହଜ ହେଉନାହିଁ । ଉଚ୍ଛେଦ ପାଇଁ ବହୁ ସ୍ଥାନକୁ ଦଳ ଦଳ ସହ ଯାଉଥିବା ଏନ୍ଫୋର୍ସମେଣ୍ଟ ଦଳ ଲୋକଙ୍କ ବିରୋଧକୁ ସାମ୍ନା କରିନପାରି ଫେରୁଛନ୍ତି ।
ଏଭଳି ସ୍ଥିତିର ଫାଇଦା ନେଇ ଏବେ ଭୁବନେଶ୍ୱର ସହରରେ ଆଉ ଯାହା କିଛି ଖାଲି ସ୍ଥାନ ବିଶେଷକରି ରାସ୍ତାପାଶ୍ୱର୍, ସରକାରୀ କ୍ୱାଟର୍ସ ମଝିରେ ଥିବା କନଜରଭେନ୍ସିଂ ଜମିକୁ ବି ଦଖଲ କରିଗଲେଣି । ଏମାନଙ୍କ ବିରୁଦ୍ଧରେ ବି ଏନ୍ଫୋର୍ସମେଣ୍ଟ ସ୍କାଡ୍ ଠିକଣା ଭାବେ ପଦକ୍ଷେପ ନେଇପାରୁ ନାହିଁ । ଫଳରେ ଲୋକସେବାଭବନ, ରାଜଭବନ ଆଖପାଖରେ ଥିବା ସରକାରୀ ଜମି ଉପରେ ବି ଜବରଦଖଲକାରୀମାନେ ଲୋଲୁପ ଦୃଷ୍ଟି ପକାଇବା ସହିତ ଏଠାରେ ମାଳ ମାଳ ଘର କରି ଭଡାଲଗାଇ ଦେଉଛନ୍ତି ନହେଲେ ବିକ୍ରି କରି ମୋଟା ଅଙ୍କର ମୁନାଫା ଉଠାଉଛନ୍ତି । ତେବେ ଏଭଳି ବେଆଇନ୍ ଘରକୁ କିଭଳି ବିଜୁଳି ଓ ପାଣି ସଂଯୋଗ ଦିଆଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । (ତଥ୍ୟ)