Home General ଭୁବନେଶ୍ୱରରେ ସାଇନ୍ସ ସିଟି

ଭୁବନେଶ୍ୱରରେ ସାଇନ୍ସ ସିଟି

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ପ୍ରତିଷ୍ଠା ହେବ ‘ସାଇନ୍ସ ସିଟି’ । ଏଥିସହିତ ପୁରୀଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ସାତକୋଶିଆଠାରେ ପ୍ରାକୃତିକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ।

ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ପ୍ରଶ୍ନର ଉତ୍ତର ରଖୁଥିବା ବେଳେ ଏହି ସୂଚନା ଦେବା ପାଇଁ ମନ୍ତ୍ରୀ ବାଚସ୍ପତିଙ୍କ ଅନୁମତି ଲୋଡିଥିଲେ । ମନ୍ତ୍ରୀ କହିଥିଲେ ଯେ ମୁଁ ଗୃହରେ କିଛି ସୂଚନା ଦେବାକୁ ଚାହୁଁଛି, ଯାହା ରାଜ୍ୟ ପାଇଁ ହିତକର । ବାଚସ୍ପତି ଅନୁମତି ଦେଲେ ମୁଁ ଏହି ସୂଚନା ଦେବି ।

ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଥମେ କେବଳ ଭଦ୍ରକ ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତର ଦେବା ପାଇଁ କହିଥିବା ବେଳେ ପରବର୍ତ୍ତୀ ସମୟରେ ମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକରି ନୂତନ ସୂଚନା ଦେବା ପାଇଁ କହିଥିଲେ । ମନ୍ତ୍ରୀ କହିଥିଲେ ଯେ ଅନ୍ୟ ରାଜ୍ୟ ଢ଼ାଞ୍ଚାରେ ରାଜଧାନୀ ଉପକଣ୍ଠରେ ସାଇନ୍ସ ସିଟି ପ୍ରତିଷ୍ଠା ହେବ । ଏଥିସହିତ ପୁରୀରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି । ଏ ବାବଦରେ ୨୫ରୁ ୩୦ କୋଟି ଟଙ୍କା ବ୍ୟୟ ହେବ ଏବଂ ଏଠାରେ ବିଜ୍ଞାନ ପ୍ରଦର୍ଶନୀ ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିରର ଐତିହ୍ୟ ଆଦି ସ୍ଥାନ ପାଇବ ।

ଏଥିସହିତ ବଡମ୍ବା-ନରସିଂହପୁର ଅଞ୍ଚଳର ସାତକୋଶିଆଠାରେ ରାଜ୍ୟ ସରକାର ଜୈବ ବିବିଧତାକୁ ନେଇ ଏକ ପ୍ରାକୃତିକ ସଂଗ୍ରହାଳୟ ପ୍ରସ୍ତୁତ କରିବେ । ଏଥିରେ ଅନୁଗୁଳ, କଟକ ଓ ନୟାଗଡ ଆଦି ଜିଲ୍ଲାକୁ ସାମିଲ କରାଯିବ । ଏ ସଂକ୍ରାନ୍ତରେ ଜାତୀୟ ବିଜ୍ଞାନ ପରିଷଦକୁ ସୂଚନା ଦିଆଯାଇଛି । (ତଥ୍ୟ)