ଭୁବନେଶ୍ୱର: ଆଜି ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ସହ ପାଛୋଟି ନେଇଥିଲେ । ସେଠାରୁ ସେ ସିଧାସଳଖ ରାଜଭବନ ଯାଇଛନ୍ତି । ରାଜଭବନରେ ଉପରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିବେ ବୋଲି ଜଣାଯାଇଛି ।
ଉପରାଷ୍ଟ୍ରପତି ରାଜଭବନରେ ପହଞ୍ଚିବା ପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଜଭବନ ଅଭିଷେକ ହଲରେ ଆୟୋଜିତ ଏହି ଉତ୍ସବରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଲିଖିତ ପୁସ୍ତକ ‘ନୀଳିମାରାଣୀ-ମାଇଁ ମଦର, ମାଇଁ ହିରୋ’କୁ ସେ ଉନ୍ମୋଚନ କରିଛନ୍ତି । ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ଥିଲେ ।
ଅପରାହ୍ଣ ୪ଟା ୪୫ରେ ରାଜଭବନରୁ ବାହାରି ସଡ଼କ ପଥରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନକୁ ଯିବେ । ଅପରାହ୍ଣ ୫ଟା ୩୦ରୁ ୬ଟା ୩୦ଟା ପର୍ଯ୍ୟନ୍ତ କଟକ ସାରଳା ଭବନଠାରେ ଆୟୋଜିତ ହେବାକୁ ଥିବା ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମ ଉତ୍ସବ ତଥା ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ସମାରୋହରେ ଉପସ୍ଥିତ ରହିବେ । ସନ୍ଧ୍ୟା ୬ଟା ୩୦ରେ ସାରଳା ଭବନରୁ ବାହାରି ୭ଟା ୫ରେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ ।
ଶନିବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ୧୦ଟା ୧୦ରେ ରାଜଭବନରୁ ବାହାରି ବିଶ୍ୱବିଦ୍ୟାଳୟ ଅଭିମୁଖେ ଯିବେ । ୧୦ଟା ୨୦ରେ କ୍ୟାମ୍ପସରେ ପହଞ୍ଚିବା ସହ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ସେଠାରେ ରହିବେ । ଏହାପରେ ରାଜଭବନକୁ ଯାଇ ସେଠାରେ ମଧ୍ୟାହ୍ନଭୋଜନ କରିବେ ଏବଂ ଅପରାହ୍ଣ ୫ଟାରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।