Home Health ଭିଭିଆଇପି ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ

ଭିଭିଆଇପି ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ

କଟକ : ଡାକ୍ତରଖାନାରେ ରାଜନୈତିକ ନେତା ଓ ଦେଖଣାହାରୀମାନଙ୍କ ଭିଡ଼ ଜମୁଥିବାରୁ ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କାର୍ଯ୍ୟରେ ଅସୁବିଧା ଉପୁଜୁଛି ବୋଲି କଟକ, ବାଲେଶ୍ୱର ଓ ଭଦ୍ରକର ବହୁ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ କହୁଛନ୍ତି । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଦେଖିବା ପାଇଁ ଫଟୋଗ୍ରାଫର ଓ ଟିଭି କ୍ୟାମେରା ସହିତ ବାରମ୍ବାର ନେତାମାନେ ୱାର୍ଡକୁ ଆସୁଥିବାରୁ ଏଭଳି ସମସ୍ୟା ଉପୁଯୁଛି ।

ଏଠାରେ ଉଲ୍ଲେଖନୀୟ ଯେ ଜୁନ୍‍ ୨ ତାରିଖ ସନ୍ଧ୍ୟାରେ ବାହାନଗା ରେଳ ଦୁର୍ଘଟଣାରେ ୨୫୦ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ହଜାରେରୁ ଅଧିକ ଆହତ ହୋଇଥିଲେ । ଇତିମଧ୍ୟରେ କେତେକ ଆହତ ଯାତ୍ରୀ ଚିକିତ୍ସା ପାଇ ଘରକୁ ଫେରିଛନ୍ତି । ଏବଂ ଆଉ କେତେକ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାକୁ ଯାଇଛନ୍ତି । ଚିକିତ୍ସାଧୀନ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକଙ୍କର ମୁଣ୍ଡ, ମେରୁଦଣ୍ଡରେ ଗଭୀର ଆଘାତ ଲାଗିବା ସହିତ ଶରୀରର ଅନେକ ସ୍ଥାନରେ ହାଡ ଭାଙ୍ଗିଛି ଆଉ କେତେକଙ୍କର ବ୍ୟାପକ ରକ୍ତାସ୍ରାବ ମଧ୍ୟ ହୋଇଛି । ଏହି ଗୁରୁତର ରୋଗୀମାନଙ୍କ ଭିତରୁ କେତେକଙ୍କର ଜଟିଳ ଅସ୍ତ୍ରୋପଚାର କରାଯିବାର ସମ୍ଭାବନା ଥିବା ଚିକିତ୍ସାରତ ଡାକ୍ତରମାନେ କହୁଛନ୍ତି । ସାଧାରଣତଃ ଏଭଳି ରୋଗୀଙ୍କର ସଂକ୍ରମଣ ସମ୍ଭାବନା ରହିଥିବା ଏବଂ ଏବେବି କୋଭିଡ୍‍ ସମ୍ପୂର୍ଣ୍ଣ ଦୂରୀଭୂତ ହୋଇ ନଥିବା ପରିପ୍ରେକ୍ଷୀରେ ଏମାନେ ଚିକିତ୍ସିତ ହେଉଥିବା ୱାର୍ଡରେ ଗହଳି ଜମିଲେ ରୋଗୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ।

ବାରମ୍ବାର ଭିଭିଆଇପିମାନଙ୍କ ସଦଳବଳେ ଗସ୍ତ ଯୋଗୁ ରୋଗୀସେବା ଛାଡି ଡାକ୍ତରମାନଙ୍କୁ ବି ଚିକିତ୍ସା ସମ୍ବଦ୍ଧୀୟ ତଥ୍ୟ ଏମାନଙ୍କୁ ଜଣାଇବାକୁ ପଡୁଛି । ଏମିତିକି ଏହି ଭିଭିଆଇପିମାନଙ୍କ ସହ ଆସୁଥିବା ଦଳୀୟ ବ୍ୟକ୍ତିମାନେ ଡାକ୍ତରମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଅସ୍ତବ୍ୟସ୍ତ କରିପକାଉଛନ୍ତି । ଏହାଛଡା ଡାକ୍ତରଖାନା ପରିସରକୁ ଏହି ଭିଭିଆଇପିମାନଙ୍କ ଗସ୍ତବେଳେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ଏକପ୍ରକାର ପୁଲିସ ଛାଉଣୀରେ ପରିଣତ କରାଯାଉଥିବାରୁ ଅନ୍ୟ ରୋଗୀ ଓ ସେମାନଙ୍କ ସାହାଯ୍ୟକାରୀମାନଙ୍କ ଚଳପ୍ରଚଳରେ ବି ବାଧା ଉପୁଜୁଛି । ଏହାଛଡା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନା ଶଯ୍ୟା ନିକଟରେ ଯେଉଁ ସ୍ୱେଚ୍ଛାସେବୀମାନେ ଦିନରାତି ସେବା ଯୋଗାଉଛନ୍ତି ସେମାନେ ବି ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।

ଅନେକ ଡାକ୍ତର କହୁଛନ୍ତି ଭିଭିଆଇପିମାନେ ଡାକ୍ତରଖାନା ନଆସି ନିୟନ୍ତ୍ରଣ କକ୍ଷରୁ ଫୋନ୍‍ ଯୋଗେ ତଥ୍ୟ ପାଇପାରିବେ । ଯଦି ସେମାନେ ଡାକ୍ତରଖାନା ଆସିବା ପାଇଁ ଉଚିତ୍‍ ମଣୁଛନ୍ତି ତେବେ ସାଙ୍ଗରେ ଦଳୀୟ କର୍ମୀ, ଫଟୋଗ୍ରାଫର ଓ ନିରାପତ୍ତାରକ୍ଷୀଙ୍କ ଗହଳି ଜମାଇବା ଅନୁଚିତ୍‍ । ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଡାକ୍ତରଖାନା ଆସି ଦୁର୍ଘଟଣାଗ୍ରସ୍ତକୁ ଦେଖି ଯିବାପରେ ଆଉ ଏବେ ବାରମ୍ବାର ଭିଡ ଜମାଇବା ପ୍ରାସଙ୍ଗିକ ହେଉନାହିଁ ।

ନେତାମାନଙ୍କ ଘନ ଘନ ଡାକ୍ତରଖାନା ଗସ୍ତ ସହିତ ବହୁ ଦେଖଣାହାରୀ ବି ଡାକ୍ତରଖାନା ପରିସରରେ ଗହଳି ସୃଷ୍ଟି କରୁଛନ୍ତି । ଇତିମଧ୍ୟରେ ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଆସି ପହଞ୍ଚୁଛନ୍ତି ଏବଂ ସେମାନଙ୍କୁ ଭେଟିବା ପାଇଁ ଡାକ୍ତର ଖାନା କର୍ତ୍ତୃପକ୍ଷ ଅନୁମତି ଦେଉଛନ୍ତି । ତେବେ ଆହତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଓ ସେମାନଙ୍କୁ ସେବା ଶୁଶ୍ରୁଷା ଦେବା କ୍ଷେତ୍ରରେ ଯେଉଁ ସ୍ୱେଚ୍ଛାସେବୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ସେବାକୁ ପ୍ରଧାମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପ୍ରଶଂସା କରିଥିବାବେଳେ ଚିକିତ୍ସାକାରୀ ଡାକ୍ତରମାନେ ବି ଏମାନଙ୍କୁ ସାବାସୀ ଦେଉଛନ୍ତି ।

ଏହାଛଡ଼ା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କ ଲାଗି ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦେଇ ଚାଲିଛନ୍ତି ସେମାନଙ୍କ ପ୍ରତି ମଧ୍ୟ ଡାକ୍ତରମାନେ କୃତଜ୍ଞତା ଜଣାଉଛନ୍ତି । ଭିଭିଆଇପି ପରିଦର୍ଶକ ଓ ସେମାନଙ୍କ ଦଳବଳଙ୍କ ପାଇଁ ଯେପରି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଅନ୍ୟ ରୋଗୀମାନଙ୍କର ଚିକିତ୍ସା କାର୍ଯ୍ୟରେ ବ୍ୟାଘାତ ନହୁଏ ସେ ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ମତ ପ୍ରକାଶ ପାଉଛି ।(ତଥ୍ୟ)