Home Administration ଭିନ୍ନକ୍ଷମଙ୍କ ପ୍ରତି ବଦଳୁନି ଦୃଷ୍ଟିକୋଣ

ଭିନ୍ନକ୍ଷମଙ୍କ ପ୍ରତି ବଦଳୁନି ଦୃଷ୍ଟିକୋଣ

ଭୁବନେଶ୍ୱର : ଶାରୀରିକ ଭିନ୍ନକ୍ଷମଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖିବା କିମ୍ବା ସେମାନଙ୍କୁ କେନ୍ଦ୍ରୀୟ ଆଇନ୍‍ରେ ଦିଆଯାଇଥିବା ଅଧିକାରରୁ ବଞ୍ଚିତ କରିବା ଆଇନ୍‍ତଃ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ପ୍ରଶାସନିକ ବ୍ୟବସ୍ଥାର ଦୃଷ୍ଟିକୋଣ ବଦଳୁନଥିବାରୁ ଏବେ ବି ଅନେକ ଭିନ୍ନକ୍ଷମ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ଓଡିଶା ଲୋକସେବା ଆୟୋଗ ଏବଂ ଭିନ୍ନକ୍ଷମମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଥିବା ଜାତୀୟ ଓ ରାଜ୍ୟ ସ୍ତରର କମିଶନ ସକରାତ୍ମକ ଭୂମିକା ଗ୍ରହଣ କରିବାପାଇଁ ସେମାନଙ୍କର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି ।

ବିଶେଷକରି ଓଡିଶା ସିଭିଲ ସର୍ଭିସର ବିଭିନ୍ନ ପରୀକ୍ଷାରେ ଭିନ୍ନକ୍ଷମମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଉପେକ୍ଷା କରାଯାଉଛି ଏବଂ ବର୍ଷ ବର୍ଷ ଧରି ଆଇନ୍‍ ଅଦାଲତର ଲଢେଇ କରିବାପରେ ଯାଇ ସେମାନଙ୍କୁ ନ୍ୟାୟ ମିଳୁଛି । ଅଥଚ ଏମାନଙ୍କୁ ନିଯୁକ୍ତି ସୁବିଧାରୁ ଯେଉଁମାନେ ବଞ୍ଚିତ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏ ପରିପ୍ରେକ୍ଷୀରେ ଆଇନ୍‍ ଅଦାଲତର ଦ୍ୱାରସ୍ଥ ହୋଇପାରୁନଥିବା ଅନେକ ଭିନ୍ନକ୍ଷମ ଭାଗ୍ୟକୁ ଆଦରି ପଡି ରହିବାକୁ ବାଧ୍ୟ ହେଉଛନ୍ତି ।

ନିକଟରେ ଜଣେ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ଆବେଦନକୁ ବିଚାରପାଇଁ ଗ୍ରହଣ କରି ଓଡିଶା ହାଇକୋର୍ଟ ଓଡିଶା ସିଭିଲ ସର୍ଭିସ ଫଳ ପ୍ରକାଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ସମ୍ପୃକ୍ତ ଭିନ୍ନକ୍ଷମ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀ ନିଜକୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବୋଲି ଦାବି କରୁଥିବାବେଳେ କର୍ତ୍ତୃପକ୍ଷ କିନ୍ତୁ ତାଙ୍କୁ ୪୦ ପ୍ରତିଶତ ଭିନ୍ନକ୍ଷମ ବୋଲି କହି ମୌଖିକ ପରୀକ୍ଷା ଦେବାରୁ ବଞ୍ଚିତ କରିଥିବା ଘେନି ସେ ଅଭିଯୋଗ କରିଛନ୍ତି । ଅନ୍ତରୀଣ ଆଦେଶ ଜାରି କରିବା ସହ ମେଡିକାଲ ବୋର୍ଡ ସମ୍ପୃକ୍ତ ଆଦେଦନକାରୀ ପ୍ରାର୍ଥୀଙ୍କ ଭିନ୍ନକ୍ଷମତା ଯାଞ୍ଚ କରି ରିପୋର୍ଟ ଦେବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ରହିତାଦେଶ ଯୋଗୁଁ ଅନ୍ୟ ପ୍ରାର୍ଥୀମାନଙ୍କ ନିଯୁକ୍ତି କ୍ଷେତ୍ରରେ ବିଳମ୍ବ ଘଟିପାରେ ବୋଲି ମତପ୍ରକାଶ ପାଉଛି ।

ପୂର୍ବରୁ ଅନ୍ୟଜଣେ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ପ୍ରାର୍ଥୀଙ୍କୁ ଓଡିଶା ସଭିଲି ସର୍ଭିିସରୁ ବଞ୍ଚିତ କରାଯାଇଥିଲା । ସମ୍ପୃକ୍ତ ପ୍ରାର୍ଥୀ ସନ୍ୟସୀ ବେହେରା ଏହି ଅବିଚାର ବିରୁଦ୍ଧରେ ବିଭିନ୍ନ ଫୋରମରେ ଦୀର୍ଘ ଲଢେଇ କରିବାପରେ ଓଡିଶା ପ୍ରଶାସନିକ ସେବାରେ ଯୋଗଦେବାକୁ ସମର୍ଥ ହୋଇଛନ୍ତି । ଶ୍ରୀ ବେହେରା ଏବେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ କାର୍ଯ୍ୟ କରୁଛନ୍ତି ।

ଅନ୍ୟ ଜଣେ ଭିନ୍ନକ୍ଷମ ପ୍ରାର୍ଥୀ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୩୬୫ ନମ୍ବର ରଖିଥିବାବେଳେ ଅଣସଂରକ୍ଷିତ ବର୍ଗର ୧୩୦୨ ନମ୍ବର ଓ ଦୃଷ୍ଟିବାଧିତ ବର୍ଗର ୧୦୬୫ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ମେଧା ତାଲିକାରେ ସାମିଲକରି ନିଯୁକ୍ତି ଦିଆଯାଇଥିଲା ଏବଂ ଇତି ମଧ୍ୟରେ ୧୦୬୫ ନମ୍ବର ରଖିଥିବା ପ୍ରାର୍ଥୀ ଜଣଙ୍କ ଓଏଏସ୍‍ ଚାକିରି ଛାଡି ଚାଲି ଯାଇଛନ୍ତି । ୧୩୬୫ ନମ୍ବର ରଖିଥିବା ପ୍ରାର୍ଥୀ କେନ୍ଦ୍ରୀୟ ଆଇନ୍‍ ଓ ରାଜ୍ୟ ସରକାରଙ୍କ ବିଧି ବ୍ୟବସ୍ଥା ଅନୁଯାୟୀ ଅଣସଂରକ୍ଷିତ ପ୍ରାର୍ଥୀ ଭାବେ ନିଜ ଯୋଗ୍ୟତା ଆଧାରରେ ନିଯୁକ୍ତି ପାଇବାକଥା ବୋଲି ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନୁଭବ କରି ତାଙ୍କ ନାମକୁ ଆୟୋଗ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ମେଧା ତାଲିକାରେ ଯୋଡି ପଠାଇବାପାଇଁ ବାରମ୍ବାର କହିଥିଲେ ମଧ୍ୟ ସେଥିପ୍ରତି କେହି କର୍ଣ୍ଣପାତ ନକରିବାରୁ ସମ୍ପୃକ୍ତ ଭିନ୍ନକ୍ଷମ ପ୍ରାର୍ଥୀଜଣଙ୍କ ଚାରି ବର୍ଷ ଧରି ନ୍ୟାୟିକ ଓ ପ୍ରଶାସନିକ ସ୍ତରରେ ନ୍ୟାୟ ପାଇଁ ଲଢେଇ ଜାରି ରଖିଛନ୍ତି । ଏହି ମାମଲାର ଶୁଣାଣି ଓଡିଶା ହାଇକୋର୍ଟରେ ସରିଥିବାବେଳେ ରାୟ ସଂରକ୍ଷିତ ରହିଛି । ଏଭଳି ଅନେକ ଘଟଣା ଘଟୁଥିବାରୁ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଭିନ୍ନକ୍ଷମ ସଂଗଠନଗୁଡିକ ପକ୍ଷରୁ ଦାବି କରାଯାଉଛି । (ତଥ୍ୟ)