Home General ଭିନ୍ନକ୍ଷମଙ୍କ ପାଇଁ ସଚେତନତା ଶିବିର

ଭିନ୍ନକ୍ଷମଙ୍କ ପାଇଁ ସଚେତନତା ଶିବିର

କେନ୍ଦୁଝର : ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, ଓଡ଼ିଶା ଏବଂ ଜିଲ୍ଲା ପ୍ରଶାସନ କେନ୍ଦୁଝରଙ୍କ ମିଳିତ ସହଯୋଗରେ ” ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ-୨୦୧୬ “ଉପରେ ଏକ ସଚେତନତା ଶିବିର ଏବଂ କ୍ୟାମ୍ପ କୋର୍ଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବିପ୍ଳବ କେଶରୀ ସାମନ୍ତରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମଙ୍କ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ ତୃଣମୂଳସ୍ତରରେ କାମ କରୁଥିବା କର୍ମଚାରୀ ଏବଂ ସ୍ୱେଛାସେବୀ ସଂଗଠନ ଓ ଗଣମାଧ୍ୟମର ପ୍ରତିନିଧି ସମସ୍ତେ ବ୍ୟାପକ ଜନଜାଗରଣ ସୃଷ୍ଟି କରିପାରିଲେ ଭିନ୍ନକ୍ଷମମାନେ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ ପାଇବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ଜୀବନକୁ ପୂର୍ଣ୍ଣାଙ୍ଗ କରିପାରିବେ ବୋଲି ମତ ଦେଇଥିଲେ।

ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ମାନେ ନିଜର ମନୋବଳ ସୁଦୃଢ କରି ସରକାରଙ୍କ ସମସ୍ତ ଯୋଜନାର ଫାଇଦା ନେବାକୁ ଆହ୍ୱାନ ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଭିନ୍ନକ୍ଷମଙ୍କ ଲାଗି ଉଦ୍ଦିଷ୍ଟ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଡ଼ା.  ବସନ୍ତ କୁମାର ପାତ୍ର ପ୍ରମୁଖ ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ ୨୦୧୬ର ବିଭିନ୍ନ ଦିଗକୁ ନିଜ ଅଭିଭାଷଣରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଉପଖଣ୍ଡ ଓ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ, କନିଷ୍ଠ ସହାୟକ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବ୍ଲକ ରିସୋର୍ସ ଟିଚର ଉପସ୍ଥିତ ଥିଲେ ।

ଭିନ୍ନକ୍ଷମ ଅଧିକାର ଅଧିନିୟମ-୨୦୧୬ ସଂକ୍ରାନ୍ତରେ ମୁଖ୍ୟ ବକ୍ତା ଶ୍ରୀ ରାମ କିଶୋର ଶର୍ମା ବିସ୍ତୃତ ଆଲୋଚନା କରିଥିଲେ ।