ଭୁବନେଶ୍ୱର : ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ନାଗରିକ ସମାଜ ମଧ୍ୟରେ ସହଭାଗିତାର ଗୁରୁତ୍ୱ ରହିଛି । ପର୍ଯ୍ୟାପ୍ତ ସୁଫଳ ସହିତ ହିତାଧିକାରୀମାନଙ୍କ ନିକଟତର ହେବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଉଦ୍ୟମ ଅବ୍ୟାହତ ରଖିଛି ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଭିନ୍ନକ୍ଷମଙ୍କ ସୁରକ୍ଷା ଓ କଲ୍ୟାଣ ଉଦ୍ଦେଶ୍ୟରେ ବିଭାଗ ଏବଂ ସାଇଟ୍ସେଭର୍ସ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ପଣ୍ଡା ଏହା ଉଲ୍ଲେଖ କରିଛନ୍ତି ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ସାଇଟ୍ସେଭର୍ସ ଇଣ୍ଡିଆ ମଧ୍ୟରେ ଏହି ବୁଝାମଣା କ୍ରମେ ସଂପୃକ୍ତ ସଂଗଠନ ଆଗାମୀ ତିନିବର୍ଷ ନିମନ୍ତେ ଭିନ୍ନକ୍ଷମଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟକରିବ । ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କହିଛନ୍ତି ଯେ ବୁଝାମଣାରେ ଉଲ୍ଲିଖିତ ବିଭିନ୍ନ ଲକ୍ଷ୍ୟର ସଫଳ ରୂପାୟନ ପାଇଁ ବିଭାଗ ସହଯୋଗ କରିବ । ସେ ସହଭାଗିତା ଉଦ୍ୟମରେ ହେଉଥିବା ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକରେ ଗୋଷ୍ଠୀ ସଂପୃକ୍ତିକୁ ଗୁରୁତ୍ୱ ଦେଇଥିଲେ ।
ସାଇଟସେଭର୍ସ ଇଣ୍ଡିଆ ଭିନ୍ନକ୍ଷମ ହିତାଧିକାରୀମାନଙ୍କ ମଧ୍ୟରେ ସଚେତନତା ପ୍ରସାର କରିବା ସହିତ ଆତ୍ମସୁରକ୍ଷା କୌଶଳ ତାଲିମ, କମ୍ପୁ୍ୟଟର ପ୍ରଶିକ୍ଷଣ ଏବଂ ବ୍ୟାପକ ଚକ୍ଷୁ ଚିକିତ୍ସା ସେବା ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟକରିବ । ୨୦୩୦ ପାଇଁ ରହିଥିବା ପୋଷଣୀୟ ବିକାଶ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସମସ୍ତ ମାନକ ଉପରେ ଗୁରୁତ୍ୱ ଦେଇ ଏହି ସଂଗଠନ କାର୍ଯ୍ୟ କରିବ ।
ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ କୁମାର ରାୟ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ବିଭାଗ ପକ୍ଷରୁ ଉପଶାସନ ସଚିବ ସନ୍ନ୍ୟାସୀ ବେହେରା ଓ ସାଇଟସେଭର୍ସ ଇଣ୍ଡିଆ ପକ୍ଷରୁ ନିର୍ଦ୍ଦେଶକ (କାର୍ଯ୍ୟକ୍ରମ ପରିଚାଳନା) ପ୍ରସନ୍ନ କୁମାର ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।