Home News in Odia ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଯୋଜନା କର

ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଯୋଜନା କର

ଭୁବନେଶ୍ୱର : ରାଜଧାନୀ ରାସ୍ତାରୁ ଭିଡ କମାଇବାପାଇଁ ସରକାର ଏକାଧିକ ଯୋଜନା ଘୋଷଣା କରିଥିବାବେଳେ ଏସବୁ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଲୋକେ ଗାଡିମୋଟର ଭିଡରେ ନୟାନ୍ତହେବା ଏକ ପ୍ରକାର ଥୟ । ସହରରେ ଯାନବାହାନ ଯେଉଁ ହାରରେ ବୃଦ୍ଧି ପାଉଛି ସେହି ହାରରେ କିନ୍ତୁ ରାସ୍ତାଘାଟ ସମ୍ପ୍ରସାରିତ ହେଉନାହିଁ ।

ଯାନବାହାନ ବୃଦ୍ଧିକୁ ଦୃଷ୍ଟିରେ ରଖି ଭିଡ ନିୟନ୍ତ୍ରଣ ଲାଗି ପୂର୍ତ୍ତ ବିଭାଗ ଏକାଧିକ ଯୋଜନା ହାତକୁ ନେଇଛି । ଏଥି ମଧ୍ୟରେ ଜୟଦେବ ବିହାର ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲିଭେଟେଡ କରିଡର ନିର୍ମାଣ, ବାରଙ୍ଗ ଠାରୁ ପଟିଆ ଷ୍ଟେସନ, ୧୬ ନମ୍ବର ଜାତୀୟ ରାଜପଥ ଏବଂ ସୁଆଙ୍ଗ ମୌଜା ଦେଇ ଜଟଣୀକୁ ସଂଯୋଗ କରୁଥିବା ଦୟା ପଶ୍ଚିମ କେନାଲ ବନ୍ଧ ରାସ୍ତାର ଉନ୍ନତିକରଣ, କଳ୍ପନା ଛକ ଓ ମ୍ୟୁଜିୟମ ଠାରେ ଫ୍ଲାଇଓଭର ନର୍ମାଣ କରାଯିବ ।

ସେହିଭଳି କେଳୁଚରଣ ପାର୍କରୁ ପଟିଆ ଷ୍ଟେସନ ସହିତ ପଟିକ ଏବଂ ଗାଡକଣ ମଧ୍ୟରେ ଏକ ନୂତନ ଆରଓବି ୧୬ନମ୍ବର ଜାତୀୟ ରାଜପଥର ବରିମୁଣ୍ଡ-ଫୁଲନଖରା ପର୍ଯ୍ୟନ୍ତ ୪ଲେନ୍‍ ବିଶିଷ୍ଟ ହେବ । ପ୍ରସ୍ତାବିତ ରାସ୍ତାରେ ବରିମୁଣ୍ଡ ନିକଟରେ କୁଆଖାଇ ନଦୀ ଉପରେ ଏକ ୬ଲେନ୍‍ ସେତୁ ଏବଂ ପଟିଆ ଗାଡକଣ ମଧ୍ୟରେ ଏକ ୪ଲେନ୍‍ ଆରଓବି ନିର୍ମାଣ ହେବ । ସେହିଭଳି କଳାରାହାଙ୍ଗରୁ ଇନର ରିଙ୍ଗରୋଡ ଦେଇ ବରିମୁଣ୍ଡ ପର୍ଯ୍ୟନ୍ତ ୨ଲେନ୍‍ ସଂଯୋଗ ରାସ୍ତା ନିର୍ମାଣ କରାଯିବ । ଏଥି ସହିତ ଭୁବନେଶ୍ୱର ଇନର ଏବଂ ଆଉଟର ରିଙ୍ଗରୋଡ୍‍ ନିର୍ମାଣର ପ୍ରସ୍ତାବ ରହିଛି ।

ତେବେ ଏହିସବୁ ପ୍ରକଳ୍ପ ମଧ୍ୟରେ ଫ୍ଲାଇଓଭର ବ୍ରିଜ, ଆରଓବି ଏବଂ ରିଙ୍ଗରୋଡ୍‍ ଆଦି ଥିବାରୁ ଏହାର ନିର୍ମାଣ ସାରିବାପାଇଁ ବର୍ଷ ବର୍ଷ ସମୟ ଲାଗିଯିବ । ଗୋଟିଏ ଦୁଇଟି ସଡକ ପ୍ରକଳ୍ପକୁ ବାଦ୍‍ ଦେଲେ ଅନ୍ୟଗୁଡିକ ପାଇଁ ପାଣ୍ଠି ଓ ଜମି ଅଧିଗ୍ରହଣ ବଡ ଆହ୍ୱାନ ହେବ । କାରଣ ସହର ମଧ୍ୟରେ ଜମି ଅଧିଗ୍ରହଣ କରି ସଡକ ନିର୍ମାଣ କରିବା କେତେ କଷ୍ଟସାଧ୍ୟ ତାହା ସାଲିଆସାହି ନିକଟରେ ଅଧାପନ୍ତରିଆ ସଡକକୁ ଦେଖିଲେ ଯେ କେହି ଜାଣିପାରିବ ।

ରାଜଧାନୀର କ୍ରମବର୍ଦ୍ଧିଷ୍ଣୁ ଯାନବାହାନକୁ ଦେଖି ପୁଲିସ୍‍ କର୍ତ୍ତୃପକ୍ଷ ଦୁଇ ଦୁଇଟି ଟ୍ରାଫିକ ଥାନା ଖୋଲିଥିବାବେଳେ ଏବେ ସହରର କେନ୍ଦ୍ରସ୍ଥଳରେ ଥିବା ରାସ୍ତାଘାଟରେ ସଂଧ୍ୟା ସମୟରେ ଯିବା କଷ୍ଟକର ହୋଇପଡୁଛି । ବିଶେଷକରି ଜନପଥ, ଏଜି ଛକରୁ କଳ୍ପନା, ଜୟଦେବବିହାରରୁ ନନ୍ଦନକାନନ, କଟକ ରୋଡ୍‍ ଆଦିରେ ଅଧିକାଂଶ ସମୟରେ ଲୋକେ ଟ୍ରାଫିକ ଭିଡରେ ଫସୁଛନ୍ତି । ଉପସ୍ଥିତ ଟ୍ରାଫିକ କର୍ମଚାରୀମାନେ ଚାହିଁଲେ ବି ସହାୟତା କରିପାରୁ ନାହାନ୍ତି ।

ଅନ୍ୟ ପକ୍ଷରେ ସହରରେ ଚାରି ଚକିଆ ସହିତ ଦୁଇଚକିଆ ଯାନ ହୁ ହୁ ହୋଇ ବଢିବାରେ ଲାଗିଛି । ଏଗୁଡିକର ପାର୍କିଂ ପାଇଁ ସ୍ଥାନ ଅଭାବ ପଡିବାରୁ ସେମାନେ ଏବେ ରାସ୍ତାଘାଟରେ ଗାଡି ରଖି ପଳାଉଛନ୍ତି । ପୂର୍ବଭଳି ଆଉ ରାସ୍ତା ଅବରୋଧକାରୀଙ୍କ ଉପରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁନାହିଁ । ତେଣୁ ଘୋଷିତ ପ୍ରକଳ୍ପ ସବୁ କାର୍ଯ୍ୟକାରୀ ପୂର୍ବରୁ ସହରରେ ଗାଡିମୋଟର ଭିଡକୁ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଯୋଜନା କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)