ଭୁବନେଶ୍ୱର : ଭିଜିଲାନ୍ସ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଜାତୀୟ ସ୍ତର ସହ ସମାନ ରହୁଥିଲେ ମଧ୍ୟ ସଂଖ୍ୟାଧିକ ମାମଲା ବର୍ଷ ବର୍ଷ ଧରି ଗଡିବା ଏବଂ ଯେଉଁ କେତୋଟି ମାମଲାରେ ଦଣ୍ଡବିଧାନ ହେଉଛି ତାହା ବିରୁଦ୍ଧରେ ଦୋଷୀସାବ୍ୟସ୍ତ ବ୍ୟକ୍ତିମାନେ ଉପର ଅଦାଲତକୁ ଯାଇ ଦଣ୍ଡବିଧାନ ଉପରେ ରହିତାଦେଶ ହାସଲ କରିବା ଫଳରେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଦଣ୍ଡଭୋଗିବା କ୍ଷେତ୍ରରେ ବିଳମ୍ବ ହେଉଛି ।
ଏବେ ଓଡିଶାରେ ପ୍ରାୟ ସାଢେ ୪ହଜାର ଭିଜିଲାନ୍ସ ମାମଲା ରହିଛି । ଏହାର ବିଚାର ପାଇଁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ସହିତ ମାମଲା ପରିଚାଳନ ପାଇଁ ବି ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତ ହେଉଛନ୍ତି । ଏହା ସତ୍ୱେ ମାମଲାଗୁଡିକର ତ୍ୱରିତ ଫଏସଲା ହୋଇପାରୁ ନାହିଁ । ଏମିତିକି କେତେକ କ୍ଷେତ୍ରରେ ଚାର୍ଜସିଟ୍ ଦାଖଲ କରିବାରେ ବିଳମ୍ବ ଘଟୁଥିବାରୁ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀମାନଙ୍କ ବିରୁଦ୍ଧରେ ବି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବାଧ୍ୟ ହେଉଛନ୍ତି ।
ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ୨୦୨୨ ମସିହାରେ ପ୍ରକାଶ କରିଥିବା ସର୍ବଶେଷ ରିପୋର୍ଟ ଅନୁଯାୟୀ ଓଡିଶାରେ ବିଚାର ପାଇଁ ଥିବା ଦୁର୍ନୀତି ନିବାରଣ ମାମଲାଗୁଡିକ ମଧ୍ୟରୁ ବର୍ଷରେ ମାତ୍ର ୩.୯ ପ୍ରତିଶତ ଫଏସଲା ହୋଇଛି ଏବଂ ପରବର୍ତ୍ତୀ ବର୍ଷକୁ ବାକିଆ ମାମଲା ଭାବେ ୯୬.୧ ପ୍ରତିଶତ ବଳିଛି । ଅବଶ୍ୟ ଜାତୀୟ ସ୍ତରରେ ବାର୍ଷିକ ହାରାହାରି ୪.୮ ପ୍ରତିଶତ ଦୁର୍ନୀତି ନିବାରଣ ମାମଲା ଫଏସଲା ହେଉଛି ।
ଫଏସଲା ହେଉଥିବା ମାମଲା ଭିତରୁ ୨୦୨୧ ବର୍ଷରେ ଦଣ୍ଡବିଧାନ ହାର ଥିଲା ୪୨.୫ ପ୍ରତିଶତ । ଜାତୀୟ ସ୍ତରରେ ଏହି ହାର ଓଡିଶା ସହ ସମାନ ରହିଛି । ତେବେ ଗତବର୍ଷ ଭିଜିଲାନ୍ସ ମାମଲାରେ ଦଣ୍ଡବିଧାନ ହାର ପୂର୍ବବର୍ଷ ଅପେକ୍ଷା ଅଧିକ ବଢିଛି ।
ଏନସିଆରବିର ତଥ୍ୟ ମୁତାବକ ୨୦୨୦ ଶେଷ ସୁଦ୍ଧା ଓଡିଶାରେ ୩୪୬୩ଟି ଭିଜିଲାନ୍ସ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ୨୦୨୧ ବର୍ଷରେ ଏଥିସହ ୨୪୨ଟି ନୂଆ ମାମଲା ଯୋଡିହୋଇ ମୋଟ ବିଚାରାଧିନ ମାମଲା ସଂଖ୍ୟା ୩୭୦୫କୁ ବୃଦ୍ଧି ପାଇଥିଲା । ଏଥି ମଧ୍ୟରୁ ଉକ୍ତ ବର୍ଷରେ ୧୪୬ଟି ମାମଲା ଫଏସଲା ହୋଇଥିବାବେଳେ ସେଥିରୁ ୫୦ଟିରେ ଅଭିଯୁକ୍ତମାନେ ଖଲାସ ହୋଇଛନ୍ତି ଏବଂ ୩୭ଟିରେ ଦଣ୍ଡବିଧାନ ହୋଇଛି । ତେବେ ୨୦୨୨ ଆରମ୍ଭ ବେଳକୁ ଓଡିଶାରେ ଭିଜିଲାନ୍ସ ଅଦାଲତଗୁଡିକରେ ୩୫୫୯ଟି ମାମଲା ବିଚାର ପ୍ରତୀକ୍ଷାରେ ରହିଥିଲା ।
ଦେଶର ବହୁ ରାଜ୍ୟ ତୁଳନାରେ ଓଡିଶାରେ ଦଣ୍ଡବିଧାନ ହାର ଭିଜିଲାନ୍ସ ମାମଲାରେ ଅଧିକ ରହୁଛି । କିନ୍ତୁ ବାସ୍ତବରେ ବର୍ଷରେ ମାତ୍ର ୩୭ଟି ମାମଲାରେ ଦଣ୍ଡବିଧାନ କରି ୫୦ଟି ମାମଲାରେ ଅଭିଯୁକ୍ତଙ୍କୁ ଛାଡିଦେଇ ଦଣ୍ଡବିଧାନ ହାର ୪୨.୫ ପ୍ରତିଶତ ଦର୍ଶଯାଉଛି । ଏମିତିକି ଆଉ କେତେକ ମାମଲାରେ ଅଭିଯୁକ୍ତଙ୍କ ଦେହାନ୍ତ ହୋଇଯାଉଥିବାରୁ ଆଇନତଃ ଏହି ମାମଲା ଏକ ପ୍ରକାର ଅକାମୀ ହୋଇଯାଉଛି । ବର୍ଷ ବର୍ଷ ଧରି ଭିଜିଲାନ୍ସ ମାମଲା ଗଡିଚାଲିବା ଫଳରେ ମାମଲା ପୁରୁଣା ହେବା ସହ ତଦନ୍ତକାରୀ ଅଧିକାରୀ ଓ ସାକ୍ଷୀମାନଙ୍କ ବୟସ ବୃଦ୍ଧି ଏମିତିକି ସ୍ଥଳ ବିଶେଷରେ ସେମାନଙ୍କ ଅବସରଗ୍ରହଣ ଓ ମୃତ୍ୟୁଜନିତ କାରଣରୁ ମାମଲା ଫଏସଲା ମଧ୍ୟ ପ୍ରଳମ୍ବିତ ହେଉଛି ।
ଆଇନ୍ ବିଶେଷଜ୍ଞମାନେ କହୁଛନ୍ତି ଯେ ମିଶନ ମୋଡରେ ଭିଜିଲାନ୍ସ କାର୍ଯ୍ୟାନଷ୍ଠାନ ଦୁଇ ତିନିମାସ ମଧ୍ୟରେ ତଦନ୍ତ ସାରି ନିର୍ଭୁଲ ଚାର୍ଜସିଟ୍ ଦାଖଲ କରାଯିବା ସହ ନୂଆ ମାମଲାଗୁଡିକର ବିଚାର ବର୍ଷକ ମଧ୍ୟରେ ଶେଷ କରିବା ଏବଂ ବାକିଆ ମାମଲାଗୁଡିକ ଭିତରୁ ବର୍ଷରେ ଅନ୍ତତଃ ପକ୍ଷେ ୩୦ ପ୍ରତିଶତ ଫଏସଲା କରାଯାଇ ପାରିଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୀଘ୍ର କଠୋର ଦଣ୍ଡବିଧାନ ହୋଇପାରିବ ଏଥିଯୋଗୁଁ ଦୁର୍ନୀତି ମଧ୍ୟ ହ୍ରାସ ପାଇବ । (ତଥ୍ୟ)