ଭୁବନେଶ୍ୱର : ଗତ ଦୁଇବର୍ଷ ମଧ୍ୟରେ ୭୬୧ ଜଣ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏମାନଙ୍କ ସହିତ ୨୨୫ ଜଣ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଓ ବ୍ୟବସାୟୀଙ୍କୁ ବି ଭିଜିଲାନ୍ସ ଧରିଛି ।
ଭିଜିଲାନ୍ସ ମାମଲା ସଂକ୍ରାନ୍ତରେ ବିଜେଡି ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୯ ମସିହାରେ ୬୭୭ଟି ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା । ଏଥିରେ ୧୪୯ ଜଣ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି/ ବ୍ୟବସାୟୀ ଓ ୪୫୬ ଜଣ ସରକାରୀ ବାବୁ ପଡ଼ିଥିଲେ । ଏହିସବୁ ବ୍ୟକ୍ତିଙ୍କ ବିରୁଦ୍ଧରେ ଭିଜିଲାନ୍ସ ୩୫୩ଟି ମାମଲା ରୁଜୁ କରିଛି ।
ସେହିଭଳି ୨୦୨୦ ମସିହାରେ ଭିଜିଲାନ୍ସ ୬୪୦ଟି ଚଢ଼ାଉ କରିଥିବା ବେଳେ ୩୦୫ ଜଣ ସରକାରୀ କର୍ମଚାରୀ ଓ ୭୬ ଜଣ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଓ ବ୍ୟବସାୟୀ ଧରାପଡ଼ିଥିଲେ । ଏହି ସମସ୍ତଙ୍କ ବିରୁଦ୍ଧରେ ୨୪୫ଟି ଭିଜିଲାନ୍ସ ମାମଲା ରୁଜୁ କରାଯାଇଛି ।
ସମସ୍ତ ମାମଲାରେ ଭାରତୀୟ ପିଙ୍ଗଳ କୋଡ୍ର ଦଫା ୧୦୯, ୪୦୬, ୪୦୯, ୪୧୯, ୪୨୦, ୪୬୭, ୪୬୮, ୪୭୧, ୪୭୭ (କ) ଓ ୧୨୦ (ଖ) ଧାରାରେ ମାମଲା ରୁଜୁ ହୋଇଛି । ତେବେ ଏହି ସମୟ ମଧ୍ୟରେ ୮୩ଟି ମାମଲାର ବିଚାର କରାଯାଇ ଦଣ୍ଡାଦେଶ ଶୁଣାଣି ହୋଇଛି ଏବଂ ୯୩ଜଣ ଦୁର୍ନୀତିଗ୍ରସ୍ତ ଅଫିସର ଓ କର୍ମଚାରୀଙ୍କୁ ସରକାର ଚାକିରିରୁ ବରଖାସ୍ତ କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।