Home News in Odia ଭିଜିଲାନ୍ସ ଜାଲରେ ସର୍ବାଧିକ ତୃତୀୟଶ୍ରେଣୀ କର୍ମଚାରୀ

ଭିଜିଲାନ୍ସ ଜାଲରେ ସର୍ବାଧିକ ତୃତୀୟଶ୍ରେଣୀ କର୍ମଚାରୀ

ଭୁବନେଶ୍ୱର : ଦୁର୍ନୀତି ଅଭିଯୋଗରେ ଯେତେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡୁଛନ୍ତି ସେମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ହେଉଛନ୍ତି ତୃତୀୟ ଶ୍ରେଣୀ ପାହ୍ୟାର । ଗତ ଆଠବର୍ଷ ମଧ୍ୟରେ ଧରାପଡିଥିବା ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ତାଲିକାରୁ ଏହା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୫ ରୁ ଚଳିତବର୍ଷର ଫେବୃୟାରୀ ଶେଷ ସୁଦ୍ଧା ଭିଜିଲାନ୍ସ ଜାଲରେ ମୋଟ୍‍ ୧୭୬୮ଜଣ ପଡିଥିବାବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୧୭୧ ଜଣ ହେଉଛନ୍ତି ତୃତୀୟ ଶ୍ରେଣୀ କର୍ମଚାରୀ । ସେହିଭଳି ଏହି ସମୟ ମଧ୍ୟରେ ୨୨୪ଜଣ ପ୍ରଥମଶ୍ରେଣୀ ପାହ୍ୟାର କର୍ମଚାରୀ ଭିଜିଲାନ୍ସ ହାବୁଡରେ ପଡିଥିବାବେଳେ ୨୧୯ଜଣ ଦ୍ୱିତୀୟ ଶ୍ରେଣୀ, ୬୫ଜଣ ଚତୁର୍ଥଶ୍ରେଣୀ ଏବଂ ୮୯ଜଣ ଅନ୍ୟାନ୍ୟ ବର୍ଗର ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ଧରିଛି ।

ତେବେ ୨୦୨୨ ମସିହାରେ ସବୁଠାରୁ ଅଧିକ ୩୬ଜଣ ପ୍ରଥମଶ୍ରେଣୀ ପାହ୍ୟାର ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ଏହିବର୍ଷ ୧୦୬ଜଣ ତୃତୀୟଶ୍ରେଣୀ ପାହ୍ୟାର କର୍ମଚାରୀ ଧରାପଡିଥିଲେ । ୨୦୧୫ ମସିହାରେ କିନ୍ତୁ ସର୍ବାଧିକ ୧୯୫ଜଣ ତୃତୀୟଶ୍ରେଣୀ ପାହ୍ୟାର କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡିଥିଲେ ।

୨୦୧୮ରୁ ଚଳିତବର୍ଷ ଫେବୃୟାରୀ ଶେଷ ସୁଦ୍ଧା ଅଦାଲତଙ୍କ ଆଦେଶ ଅନୁସାରେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ୬ଲକ୍ଷରୁ ଅଧିକ ଟଙ୍କାର ମୂଲ୍ୟର ଆୟବର୍ହିଭୂତ ସମ୍ପତି ବାଜ୍ୟାପ୍ତି କରାଯାଇଛି । ସେହିଭଳି ଏହି ସମୟ ମଧ୍ୟରେ ୩୪୧ଟି ମାମଲାରେ ଅଧିକାରୀ ଓ କର୍ମଚାରୀମାନେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୪୮୧ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ଦୁର୍ନୀତି ଅଭିଯୋଗରୁ ଖଲାସ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ସର୍ବାଧିକ ୧୩୦ଜଣ ୨୦୨୨ରେ ଥିବାବେଳେ ୨୦୧୯ରେ ୧୦୦ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ତେବେ ୨୦୧୮ ମସିହାରେ ସର୍ବାଧିକ ୧୧୦ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୯୧ ରହିଥିଲା ।

ବର୍ତ୍ତମାନ ପ୍ରତିଦିନ ଯେଭଳି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି ତାହା ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ଧରାପଡୁଥିବା ବାବୁମାନଙ୍କ ନିକଟରୁ ଯେଭଳି ପୁଳା ପୁଳା ନଗଦ ଅର୍ଥ ଓ ଏକାଧିକ ଜମି ଏବଂ କୋଠାର ସନ୍ଧାନ ମିଳୁଛି ତାହା ପୂର୍ବରୁ ମଧ୍ୟ ସେଭଳି ଭାବେ ଦେଖିବାକୁ ମିଳୁନଥିଲା । (ତଥ୍ୟ)