Home General ଭିକାରୀମୁକ୍ତ ଯୋଜନା ଫେଲ୍‍

ଭିକାରୀମୁକ୍ତ ଯୋଜନା ଫେଲ୍‍

ଭୁବନେଶ୍ୱର : ରାଜ୍ୟରୁ ଭିକାରୀମୁକ୍ତ କରିବାପାଇଁ ସରକାରଙ୍କ ଯୋଜନାରୁ ସେଭଳି ସଫଳତା ମିଳିପାରୁ ନାହିଁ । ଭିକାରୀମାନଙ୍କୁ ଥଇଥାନ, ପ୍ରଶିକ୍ଷଣ ଜରିଆରେ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ଆରମ୍ଭ ହୋଇଥିବା ସହାୟକ ଯୋଜନା ଏକ ପ୍ରକାର ଫେଲ୍‍ ମାରିଛି । କାରଣ ଏବେ ବି ରାଜ୍ୟରେ ସରକାରୀ ହିସାବରେ ୩ହଜାରରୁ ଅଧିକ ଭିକାରୀ ରହିଛନ୍ତି ।

ସହର ଠାରୁ ଆରମ୍ଭକରି ଗାଁ ଗହଳି ପର୍ଯ୍ୟନ୍ତ ଭିକ୍ଷାବୃତ୍ତି ଭଳି ହୀନ କାର୍ଯ୍ୟକୁ ଆପଣେଇ ନେଇଥିବା ଲୋକଙ୍କୁ ଏଥିରୁ ନିବୃତ୍ତ କରିବାପାଇଁ ସରକାର ଉଦ୍ୟମ ଆରମ୍ଭ କରିଥିଲେ । ଖୋଦ ରାଜ୍ୟ ରାଜଧାନୀରେ ଏଥିପାଇଁ ବହୁ ଆଡମ୍ବରରେ ସହାୟ ଯୋଜନା ଆରମ୍ଭ ହୋଇଥିଲା । ରାଜଧାନୀର ଗଳି କନ୍ଦିରେ ଥିବା ଭିକାରୀଙ୍କୁ ଚିହ୍ନଟ କରାଯାଇ ସହାୟ କେନ୍ଦ୍ରରେ ରଖାଗଲା । ସେମାନଙ୍କୁ ସେଠାରେ ମାଗଣାରେ ରହିବା ଖାଇବା ସହିତ ବିଭିନ୍ନ ପ୍ରକାର ଆତ୍ମନିଯୁକ୍ତି ତାଲିମ ବି ଦିଆଗଲା ।

ପ୍ରଥମେ ପ୍ରଥମେ ଭିକ୍ଷୁକମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କଲେ । କିଛି ଭିକାରୀ ବି ଭିକ୍ଷାବୃତ୍ତି ଛାଡି ଆତ୍ମନିର୍ଭରଶୀଳ ହେଲେ । ଏବେ ବି ଧିରେ ଧିରେ ପୂର୍ବାବସ୍ଥା ଫେରିଲାଣି । ଭିକାରୀମାନେ ରାଜଧାନୀର ବିଭିନ୍ନ ପ୍ରମୁଖ ଛକ ଗୁଡିକରେ ଭିକ ମାଗିବା ଆରମ୍ଭ କଲେଣି । ଏମାନେ ଦଳଦଳ ହୋଇ ଆସି ବିଭିନ୍ନ ସାମଗ୍ରୀ ବିକିବା ବାହାନାରେ ଭିକ ମାଗୁଛନ୍ତି ।

ତେବେ ରାଜଧାନୀ ଠାରୁ ଆରମ୍ଭକରି ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଭିକ ମାଗୁଥିବା ମହିଳାଙ୍କ ଠାରୁ ଆରମ୍ଭ କରି ଶିଶୁଙ୍କ ପର୍ଯ୍ୟନ୍ତ ଅଧିକାଂଶ ହେଉଛନ୍ତି ଅଣଓଡିଆ । ଏମାନେ ସାଧାରଣତଃ ବଞ୍ଜାରା ସମ୍ପ୍ରଦାୟର ହୋଇଥିବାବେଳେ ଦଳ ଦଳ ହୋଇ ଆସି ଭିକ ମାଗୁଛନ୍ତି । ଗୋଟିଏ ଦଳ ପୁଲିସ୍‍ ଉପରେ ନଜର ରଖୁଥିବାବେଳେ ଅନ୍ୟ ଗୋଟିଏ ଦଳ ସାମଗ୍ରୀ ବିକ୍ରି କରିବା ନାଁରେ କିମ୍ବା ଗାଡିମୋଟର ସଫା କରିବା ନାଁରେ ଭିକ ମାଗୁଛନ୍ତି । ଧିରେ ଧିରେ ସହରର ବିଭିନ୍ନ ସ୍ଥାନରେ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ସରକାରୀ ହିସାବରେ ରାଜ୍ୟରେ ୩୦୦୯ ଜଣ ଭିକାରୀ ଥିବା ଦର୍ଶାଯାଉଥିବାବେଳେ ଏମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୪୧୭ ଭିକରୀ ରହିଛନ୍ତି । କଟକ ଜିଲ୍ଲାରେ ୪୦୦ ଭିକାରୀ ଥିବାବେଳେ ପୁରୀରେ ୩୫୦, ସୋନପୁରରେ ୨୨୬, ରାୟଗଡାରେ ୧୯୫, ଢେଙ୍କାନାଳରେ ୧୮୯, ଖୋର୍ଦ୍ଧାରେ ୧୫୦, ଝାରସୁଗୁଡାରେ ୧୩୫ ଓ ବାଲେଶ୍ୱରରେ ୧୩୧ ଭିକାରୀ ରହିଛନ୍ତି । ଛଅଟି ଜିଲ୍ଲା ଯଥା ବୌଦ୍ଧ, ଗଞ୍ଜାମ, ଜଗତ୍‍ସିଂହପୁର, ଯାଜପୁର, ମାଲକାନଗିରି ଓ ଦେବଗଡରେ ଆଦୌ ଭିକାରୀ ନଥିବା ସରକାରୀ ଭାବେ ଦର୍ଶାଯାଇଛି ।

ତେବେ ସରକାର ଦର୍ଶାଇଥିବା ସଂଖ୍ୟାଠାରୁ ଢେର ଅଧିକ ଭିକାରୀ ରାଜ୍ୟରେ ରହିଥିବା ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । ସେମାନଙ୍କ ମତରେ ଗୋଟିଏ ମାଫିଆ ଗୋଷ୍ଠି ମହିଳା ଓ ଶିଶୁମାନଙ୍କୁ ରାଜ୍ୟରେ ଭିକ୍ଷାବୃତ୍ତି କାମରେ ଲଗାଉଛନ୍ତି । ଯାହା ଫଳରେ ସରକାରଙ୍କ ସହାୟ ଯୋଜନା ଫେଲ ମାରୁଛି । ତେଣୁ ଭିକ୍ଷାବୃତ୍ତିକୁ ଉସ୍‍କାଉଥିବା ଲୋକେ ଏବଂ ଏଥିରେ ସାମିଲ ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମତ ପ୍ରକାଶ ପାଉଛି । (ତଥ୍ୟ)