ଭୁବନେଶ୍ୱର : ରାଜ୍ୟରେ ଯେତିକି ଭିକାରୀ ଚିହ୍ନଟ ହୋଇଛନ୍ତି ସେମାନଙ୍କ ଠାରୁ ଅଧିକ କୁଷ୍ଠରୋଗୀ ରହିଛନ୍ତି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ୍ ୬୭୯୩ଜଣ ଭିକାରୀ ଚିହ୍ନଟ ହୋଇଥିବାବେଳେ ୨୨ଟି ଜିଲ୍ଲାରେ ୮୦୩୨ ଜଣ କୁଷ୍ଠରୋଗୀ ଅଛନ୍ତି । କଟକ ଜିଲ୍ଲାରେ ଉଭୟ କୁଷ୍ଠରୋଗୀ ଓ ଭିକାରୀଙ୍କ ସଂଖ୍ୟା ସର୍ବାଧିକ ରହିଛି ।
କଟକ ଜିଲ୍ଲାରେ ସର୍ବାଧିକ ୨୧୬୪ ଜଣ କୁଷ୍ଠରୋଗୀ ଥିବାବେଳେ ଭିକାରୀଙ୍କ ସଂଖ୍ୟା ବି ସର୍ବାଧିକ ୧୦୬୦ ରହିଛି । ତେବେ କୁଷ୍ଠରୋଗୀଙ୍କ ତାଲିକାରେ ଖୋର୍ଦ୍ଧାଜିଲ୍ଲା ୯୯୩ ରେଗୀଙ୍କ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପୁରୀରେ ୭୪୩, ସମ୍ବଲପୁରରେ ୫୯୯, ମୟୁରଭଞ୍ଜରେ ୫୨୩ ଓ ବରଗଡରେ ୫୦୩ ରହିଛନ୍ତି ।
ତେବେ କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନୟାଗଡ, ନୂଆପଡା, ରାୟଗଡା ଜିଲ୍ଲାରେ ଜଣେ ହେଲେ କୁଷ୍ଠରୋଗୀ ନାହାନ୍ତି । ତେବେ ଭିକାରୀ ସଂଖ୍ୟାରେ ୫୯୫ ସହିତ ବଗରଡ ଦ୍ୱିତୀୟ ସ୍ଥାନରେ ରହିଛି । ଗଞ୍ଜାମରେ ୫୪୫, ବଲାଙ୍ଗିରରେ ୫୦୨ ଓ ଖୋର୍ଦ୍ଧାରେ ୪୧୮ଜଣ ଭିକାରୀ ଅଛନ୍ତି । (ତଥ୍ୟ)