Home Culture ଭାଷା ହେଉଛି ଆମ ଐତିହ୍ୟ, ପରମ୍ପରା ଓ ପରିଚୟ

ଭାଷା ହେଉଛି ଆମ ଐତିହ୍ୟ, ପରମ୍ପରା ଓ ପରିଚୟ

ଭୁବନେଶ୍ୱର :  ଭାଷା ହେଉଛି ଆମ ଐତିହ୍ୟ, ପରମ୍ପରା ଓ ପରିଚୟର ଜୀବନ୍ତ ପ୍ରତିଛବି।ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ଅବହେଳା ଚାଲିଥିବା ହେତୁ  ତାହା ଅମପ୍ରତି ବିପଦ ସୃଷ୍ଟି କରୁଛି ବୋଲି ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଉଦବେଗ ପ୍ରକାଶ  ପାଇଛି। ଆଜି ଭୁବନେଶ୍ୱରରଗୀତ ଗୋବିନ୍ଦ ସଦନରେ ‘ମା ଓ ମାତୃଭାଷା’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି ।ଏହି ପରିପେକ୍ଷୀରେ ବିଶ୍ୱ ଓଡ଼ିଆ ପରିବାର ଅଧକ୍ଷ ସଜ୍ଜନ ଶର୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ବକ୍ତା ମାନେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଙ୍କଳ୍ପ ନେଇ ଥିଲେ ।

ଆଲୋଚନା ଚକ୍ରରେ ଵକ୍ତା ଗଁ କହିଛନ୍ତି ଯେ,ଭାଷା ସେତେବେଳେ ବଂଚି ରହେ, ଯେତେବେଳେ ଏହା କେବଳ ପୁସ୍ତକରେ ନୁହେଁ, ଆମ ଘରେ, ଆମ କଥାରେ, ଆମ ସୃଜନଶୀଳତାରେ ଓ ଆମ ଆଗାମୀ ପିଢ଼ିର ଜୀବନରେ ବଂଚି ରହେ। ସବୁଠାରୁ ବଡ଼ କଥା, ନିଜ ଭାଷା କହିବାରେ ଗର୍ବ ଅନୁଭବ କରିବା।ଭାଷାକୁ କେବଳ ଅତୀତର ଐତିହ୍ୟ ଭାବେ ନୁହେଁ, ଭବିଷ୍ୟତର ଜ୍ଞାନ ଓ ରୋଜଗାରର ମାଧ୍ୟମ ଭାବେ ବିକଶିତ କରିବା। ମନେ ରଖିବା ଦରକାର—ଭାଷାକୁ ସରକାର ଏକାକୀ ସୁରକ୍ଷା କରିପାରିବ ନାହିଁ। ପରିବାର, ଶିକ୍ଷକ, ଛାତ୍ର, ସାହିତ୍ୟିକ, କଳାକାର, ଗଣମାଧ୍ୟମ ଓ ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ସ୍ତରରେ ଭାଷାକୁ ବ୍ୟବହାର କଲେ ହିଁ ଭାଷା ଜୀବନ୍ତ ଓ ସମୃଦ୍ଧ ରହିପାରିବ।

ଆମର ପ୍ରିୟ ଓଡ଼ିଆ ଭାଷା, ଜାଣତ ବା ଅଜାଣତରେ ବିକୃତ ଓ ପତନ ଆଡକୁ ଅଗ୍ରସର ହେଉଛି। ଘରେ ଓଡ଼ିଆର ବ୍ୟବହାର ହ୍ରାସ ପାଉଛି । ସମସ୍ତ ସୂଚନା (ନିମନ୍ତ୍ରଣ ଓ ବିଜ୍ଞାପନରେ) ବିଦେଶୀ ଭାଷାର ଆଧିପତ୍ୟ ବଢି ବଢି ଚାଲିଛି । ଯାହା ପରାଧୀନତା ବେଳେ ସମ୍ଭବ ହୋଇ ନଥିଲା ତାହା ଏବେ ସମ୍ଭବ ହୋଇପାରୁଛି। ସହରୀ ଜୀବନ ଆମଠାରୁଁ ଭାଷା, ସଂସ୍କୃତି ଓ ପରମ୍ପରା ଛଡାଇ ନେଇଛି।ଏହି ଅବସରରେ ଆମର ପୂର୍ବପୁରୁଷମାନଙ୍କ ସଂଘର୍ଷ ଓ ବଳିଦାନକୁ ସ୍ମରଣ କରିବାକୁ ନିବେଦନ କରାଯିବା ସହିତ ଗହ୍ମା ପୁନେଇଁ ଦିନ ରକ୍ଷାସୂତ୍ର ବାନ୍ଧିବା ସଂକଳ୍ପ ନେବା ପାଇଁ ସ୍ଥିର କରାଯାଇଛି। ଏହା ସହିତ ଏଣିକି  ଓଡିଆରେ ସ୍ୱାକ୍ଷର କରିବା, ସମସ୍ତ ସୂଚନା (ନିମନ୍ତ୍ରଣ  ଓ ବିଜ୍ଞାପନ ଓଡ଼ିଆରେ ) ପ୍ରଦାନ କରିବା ଏବଂ ଆମ ଭାଷା ଓ ସଂସ୍କୃତି ସୁରକ୍ଷା, ଆମ ପବିତ୍ର କର୍ତ୍ତବ୍ୟ ବୋଲି ଶପଥ ନେବାକୁ ବିଶ୍ୱ ଓଡ଼ିଆ ପରିବାରର ଅଧ୍ୟକ୍ଷ ସଜ୍ଜନ ଶର୍ମା ଆହ୍ୱାନ କରିଛନ୍ତି।
 ଏହି କାର୍ଯ୍ୟକ୍ରମରେ  ରାଜ୍ୟର ଅନେକ ବିଶିଷ୍ଟ ସାହିତ୍ୟିକ, ଭାଷାବିତ୍, ବୁଦ୍ଧିଜୀବୀ ଓ ଶିକ୍ଷାବିତମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଆ ମାତୃଭାଷାର ସୁରକ୍ଷା, ପ୍ରସାର ଏବଂ ନବପିଢ଼ି ମଧ୍ୟରେ ଏହାର ଆଦୃତି ବୃଦ୍ଧି କରିବା ।  ମୁଖ୍ୟ ବକ୍ତା ତଥା ବହୁଭାଷୀ କବି ସଞ୍ଜୟ ରଥ  ନିଜ ବକ୍ତବ୍ୟରେ ଦର୍ଶାଇଥିଲେ ଯେ, ଜନ୍ମଦାତ୍ରୀ ମାଆ ଏବଂ ମାତୃଭାଷାର ସ୍ଥାନ ଜୀବନରେ ସର୍ବୋପରି ଅଟେ । ପିଲାମାନଙ୍କର ପ୍ରାଥମିକ ଶିକ୍ଷା ଓ ଚିନ୍ତାଧାରାର ବିକାଶ କେବଳ ମାତୃଭାଷା ମାଧ୍ୟମରେ ହିଁ ସଠିକ୍ ଭାବେ ହୋଇପାରିବ ବୋଲି ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀରାମ ଦାଶ ମତବ୍ୟକ୍ତ କରିଥିଲେ । ଆଧୁନିକ ସମାଜରେ ଇଂରାଜୀ ଭାଷାର ପ୍ରଭାବ ସତ୍ତ୍ୱେ ନିଜ ଓଡ଼ିଆ ଭାଷାର ଗାରିମାକୁ ବଜାୟ ରଖିବା ପାଇଁ ଏହି ସଭାରେ ଆହ୍ୱାନ ଦିଆଯାଇଥିଲା ।

ଆଲୋଚନାଚକ୍ରରେ  ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାଶ,  ଡକ୍ଟର କିଶୋରେ ମହାନ୍ତି, ସୁଧୀର ଦାସ ସୁରେଶ  ଚନ୍ଦ୍ର ସାମନ୍ତରାୟ , ସ୍ତମ୍ଭକାର ଜୟଶ୍ରୀ ମହାପାତ୍ର , ଶ୍ରୀମତୀ ମଞ୍ଜୁଶ୍ରୀ ବରାଳ, ଆଶୁ କବି ହେମନ୍ତ ଜେନାଙ୍କୁ , ବାବାଜୀ ମହାନ୍ତ , ବିଶ୍ୱଂ ପ୍ରସାଦ ଆଚାର୍ଯ୍ୟ ଙ୍କୁ ସମ୍ମାନନୀତ କରାଯାଇଥିଲା ।   ସଂଗୀତା ଦାସ, ଶକୁନ୍ତଳା ମହାରଣା, ଦ୍ରୋପଦୀ ପଟେଲ, ସୁପ୍ରିୟା  ଶତପଥି, ବିଜୟଲକ୍ଷ୍ମୀ ପ୍ରହରାଜ , ମଞ୍ଜୁଶ୍ରୀ ବରାଳ, କୃଷ୍ଣ ଚନ୍ଦ୍ର ମିଶ୍ର, ଡ଼କ୍ଟର ବଂଶୀଧର ଦାସ, ନିରଞ୍ଜନ ମିଶ୍ର, ଅଞ୍ଜନ ଦେବତା ନିଜନିଜର ମତ ରଖିଥିଲେ ।

ବିଶ୍ୱ ଓଡ଼ିଆ ପରିବାରର ପରିଚାଚଳା ମୁଖ୍ୟ ଭବାନୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ସୁଜିତ ଦାସ, ସୁବ୍ରତ କିଶୋରେ ନାୟକ ,  ଡକ୍ଟର ହାଡିବନ୍ଧୁ  ପାଣିଗ୍ରାହୀ,ଅକ୍ଷୟ ବଳିୟାର ସିଂହ , ପ୍ରଦୀପ  ସାହୁ ସାହୁ, ଶ୍ରୀମତୀ ସ୍ଵାଗତିକ ଧଳ ଓ ସୁରେଶ କୁମାର ସାହୁ ଆଦି ଉପସ୍ଥିତ ଥିଲେ।