ଭୁବନେଶ୍ୱର : ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ବେଳେ ୧୯୫୪ର ଓଡ଼ିଶା ସରକାରୀ ଭାଷା ଆଇନ୍ ଆଧାରରେ ସରକାରୀ କାମ ସବୁ ଓଡ଼ିଆ ଭାଷାରେ କରିବା ଲାଗି ନଥିରେ ନିଷ୍ପତ୍ତି ହୋଇଥିବା ବେଳେ ଜମି ଓ ଟଙ୍କା ଥାଇ ବି ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଗୃହ ‘ଭାଷା ଭବନ’ ନିର୍ମିତ ହୋଇପାରୁନାହିଁ ।
ଭାଷା ଭବନ ନିର୍ମାଣ ଲାଗି ସାଧାରଣ ପ୍ରଶାସନ ବିଭାଗ ରାଜଧାନୀର ଖାରବେଳ ନଗର ମୌଜାରେ ୪୪୬ ନମ୍ବର ଖାତାର ୪୦୧ ନମ୍ବର ପ୍ଲଟ୍ରେ ୫୩,୨୫୦ ବର୍ଗଫୁଟ ପରିମିତ ଏକ ଜମି ୨୦୦୯ ମସିହାରେ ଯୋଗାଇଥିଲେ । ଏଠାରେ ଭାଷା ଭବନ ନିର୍ମାଣ ଲାଗି ୨୦୦୫-୦୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧କୋଟି ୫ହଜାର ଟଙ୍କା ଯୋଗାଇଥିବା ବେଳେ ୨୦୧୭ ସେପ୍ଟେମ୍ବର ବେଳକୁ ବ୍ୟାଙ୍କରେ ଜମାରହି ସୁଧ ସହ ଏହି ଅର୍ଥର ପରିମାଣ ପ୍ରାୟ ୧ କୋଟି ୨୭ ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ଏବେ ତାହା ପାଖାପାଖି ଦେଢ଼କୋଟି ଟଙ୍କା ହେବ ବୋଲି କୁହାଯାଉଛି ।
ଭାଷା ଭବନ ନିର୍ମାଣ ପାଇଁ ୨୦୧୦ ମସିହାରେ ବ୍ୟୟ ଅଟକଳ ଓ ନକ୍ସା ପ୍ରସ୍ତୁତ ଲାଗି ଇଡ୍କୋ ଓ ପୂର୍ତ୍ତ ବିଭାଗକୁ କୁହାଯାଇଥିଲା । ତଦନୁଯାୟୀ ପୂର୍ତ୍ତ ବିଭାଗ ପ୍ରାୟ ୨ କୋଟି ୮୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ସହ ନକ୍ସା ପ୍ରସ୍ତୁତ କରିଥିଲେ ଯାହାକୁ ରାଜ୍ୟ ସରକାର ମଧ୍ୟ ଅନୁମୋଦନ ଦେଇଛନ୍ତି ।
ପ୍ରଶାସନିକ ଅନୁମୋଦନ ପରେ ଉକ୍ତ ଜମିର ମୃତ୍ତିକା ପରୀକ୍ଷଣ ଆଦି ସରିଥିଲା ଏବଂ ପୂର୍ତ୍ତ ବିଭାଗକୁ ୨୦୧୬ ମସିହାରେ କାର୍ଯ୍ୟାଦେଶ ମଧ୍ୟ ଦିଆଯାଇଥିଲା । ସରକାରୀ ତଥ୍ୟ ମୁତାବକ ପୂର୍ତ୍ତ ବିଭାଗ ଭାଷା ଭବନ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷକରି ସର୍ବନିମ୍ନ ଦର ଦର୍ଶାଇଥିବା ସଂସ୍ଥାକୁ ବି କାର୍ଯ୍ୟାଦେଶ ପ୍ରଦାନ କରିବାକୁ ପଦକ୍ଷେପ ନେଇଥିଲେ । ତେବେ କୌଣସି କାରଣରୁ ସ୍ମାର୍ଟସିଟିର ନିର୍ବାହୀ ଅଧିକାରୀ ଏଠାରେ କାମ ନକରିବା ପାଇଁ ଜଣାଇବାରୁ ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିଛି ।
ଏହାପରେ ସଚିବାଳୟ ପଛପଟେ ନିର୍ମିତ ହୋଇଥିବା ବହୁତଳ ବିଶିଷ୍ଟ ଟାୱାର ଖାରବେଳ ଭବନରେ ଭାଷା ପ୍ରତିଷ୍ଠାନ ରଖିବାକୁ ସଂସ୍କୃତି ବିଭାଗ ଓ ପୂର୍ତ୍ତ ବିଭାଗ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଏହି ପ୍ରସ୍ତାବକୁ ୨୦୧୭ ଜୁଲାଇ ୨୭ ତାରିଖରେ ମୁଖ୍ୟ ଶାସନ ସଚିବ ମଧ୍ୟ ଅନୁମୋଦନ କରିଥିଲେ । ତେବେ ଖାରବେଳ ଭବନକୁ ସଚିବାଳୟ ବା ଲୋକସେବା ଭବନରୁ କେତେକ ବିଭାଗ ସ୍ଥାନାନ୍ତରିତ ହୋଇଥିବା ବେଳେ ଏଠାରେ ମୁଣ୍ଡ ଗୁଞ୍ଜିବାକୁ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଜାଗା ମିଳିଲା ନାହିଁ ।
କେତେବେଳେ ଜନଶିକ୍ଷା ସାଧନ କେନ୍ଦ୍ରରେ ତ ଆଉ କେତେବେଳେ ସଂସ୍କୃତି ନିର୍ଦ୍ଦେଶାଳୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଜାକିଜୁକି ହୋଇ ପଡ଼ିରହୁଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବିଶ୍ୱ ବାଂଲା ସରଣୀ ନାମରେ ଏକ ପ୍ରମୁଖ ରାସ୍ତା ନାମିତ ହୋଇଥିବା ବେଳେ ସେଠାରେ ବି ସୁଦୃଶ୍ୟ ବିଶ୍ୱ ବାଂଲା ଭବନ ନିର୍ମିତ ହୋଇଛି । ଅଥଚ ଓଡ଼ିଆ ଭାଷାକୁ ନେଇ ଓଡ଼ିଶାରେ ଗର୍ବ କରାଯାଉଥିବା ବେଳେ ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣ ପାଇଁ ଟଙ୍କା ଜମି ଆଦି ଥିବା ବେଳେ ଆନ୍ତରିକତା ଅଭାବରୁ ଏହାର କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ।