Home Culture ଭାଷା ଭବନ ଟଙ୍କାର ସୁଧ ବଢୁଛି

ଭାଷା ଭବନ ଟଙ୍କାର ସୁଧ ବଢୁଛି

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରାୟ ୧୫ବର୍ଷ ତଳେ ଜମି ଯୋଗାଇ ଦେବା ସଂଗେ ସଂଗେ ଆର୍ଥିକ ବ୍ୟବସ୍ଥା କରିଥିଲେ ମଧ୍ୟ ଭାଷା ଭବନ ନିର୍ମାଣ ହୋଇପାରୁ ନାହିଁ । ଏଥିଲାଗି ବରାଦ ହୋଇଥିବା ଅର୍ଥ ବ୍ୟାଙ୍କରେ ଜମା ରହି କେବଳ ସୁଧ ବଢ଼ିବାରେ ଲାଗିଛି ।

ଇତିମଧ୍ୟରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି ଏବଂ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପ୍ରଣୟନ କରାଯାଇଥିବା ଓଡ଼ିଶା ସରକାରୀ ଭାଷା ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଲାଗି ସରକାରୀ ସ୍ତରରେ ଅନେକ ଘୋଷଣା ବି ହୋଇଛି । ଏହାଛଡା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ଲାଗି ମଧ୍ୟ ୨୦୧୮ ମସିହାରୁ ରାଜ୍ୟ ସରକାର ନିଷ୍ପତ୍ତି ନେଇ କାମ ଆରମ୍ଭ କରିଛନ୍ତି । କିନ୍ତୁୁ ଓଡ଼ିଆ ଭାଷାର ଅଭିବୃଦ୍ଧି ଓ ପ୍ରଚାର ପ୍ରସାର ଲାଗି ଗଢ଼ା ଯାଇଥିବା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଘର ଖଣ୍ଡିଏ ନଥିବାରୁ ଏହି ପ୍ରତିଷ୍ଠାନ କେତେବେଳେ କାହା ପିଣ୍ଡାରେ ଆଶ୍ରୟ ନେଉଛି ।

୨୦୦୯ ମସିହାରେ ରାଜ୍ୟ ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନ ପାଇଁ ରାଜଧାନୀର ଖାରବେଳନଗର ଅଞ୍ଚଳରେ ଖଦିବୋର୍ଡର ପଛପଟେ ୫୩,୨୫୦ ବର୍ଗଫୁଟ ପରିମିତ ଅଞ୍ଚଳର ଏକ ଜାଗା ଯୋଗାଇ ଦେଇଥିଲେ ଏବଂ ଭାଷା ପ୍ରତିଷ୍ଠାନର ଭିତ୍ତିଭୂମିର ବିକାଶ ଲାଗି ୧ କୋଟି ୫ ହଜାର ଟଙ୍କା ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦେଇଥିଲେ । ଭାଷା ଭବନ ନିର୍ମାଣ ପାଇଁ ଯେତେ ଅର୍ଥ ଦରକାର ପଡିବ ତାହା ରାଜ୍ୟ ସରକାର ତୁରନ୍ତ ଯୋଗାଇ ଦେବେ ବୋଲି ମଧ୍ୟ ସରକାରୀ ଭାବେ ଘୋଷଣା କରାଯାଇଥିଲା । ଏହି ଜମି ଉପରେ ଭାଷା ଭବନ ନିର୍ମାଣ ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଇଡକୋ ଓ ପୂର୍ତ୍ତ ବିଭାଗର ସହାୟତା ନିଆଯାଇ ପ୍ଲାନ୍‍ ପ୍ରସ୍ତୁତି ସହ ତାହାର ପ୍ରଶାସନିକ ମଞ୍ଜୁରି ମଧ୍ୟ ହାସଲ କରାଯାଇଥିଲା । କେବଳ ସେତିକି ନୁହେଁ, ଭାଷା ଭବନ ନିର୍ମାଣ ଲାଗି ପୂର୍ତ୍ତ ବିଭାଗ ମଧ୍ୟ ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିଥିଲେ । ଏସବୁ ସତ୍ତ୍ୱେ ଖାରବେଳନଗରରେ ଆବଣ୍ଟିତ ଜମିରେ ଭାଷା ଭବନ ନିର୍ମାଣ ପାଇଁ ଖଣ୍ଡିଏ ହେଲେ ଇଟା ପକାଯାଇ ନାହିଁ ।

ଭାଷାପ୍ରେମୀମାନେ କହୁଛନ୍ତି ଯେ ଏହି ଜମିରେ ଭାଷା ଭବନ ନିର୍ମାଣ କ୍ଷେତ୍ରରେ ପ୍ରଧାନ ପ୍ରତିବନ୍ଧକ ସାଜିଛି ଭୁବନେଶ୍ୱର ସ୍ମାର୍ଟସିଟି । ଏହି ସଂସ୍ଥାର ସ୍ନିକ୍‍ ପ୍ରୋଜେକ୍ଟ ଅଞ୍ଚଳ ମଧ୍ୟରେ ଭାଷା ଭବନର ଜମି ଆସୁଥିବାରୁ ସେଠାରେ କୌଣସି ନିର୍ମାଣ କାର୍ଯ୍ୟ କରାଇ ଦିଆଯାଉନାହିଁ । ଇତିମଧ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ଦପ୍ତର ଜନଶିକ୍ଷା ସାଧନ କେନ୍ଦ୍ର ପରିସରରୁ ଅସ୍ଥାୟୀ ଭାବେ ଭଞ୍ଜ କଳା ମଣ୍ଡପ ପଛରେ ଥିବା ସଂସ୍କୃତି ଭବନକୁ ଯାଇଛି । ଏହି ସଂସ୍ଥା ପାଇଁ ବର୍ତ୍ତମାନର ଖାରବେଳ ଭବନ ପରିସରରେ ଘର ଯୋଗାଇ ଦେବା ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସ୍ଥିର କରାଯାଇଥିଲା ଏବଂ ଏହି ପ୍ରସ୍ତାବ ମଧ୍ୟ ୨୭.୦୭.୨୦୧୭ରେ ମୁଖ୍ୟ ଶାସନ ସଚିବଙ୍କ ଅନମୋଦନ ଲାଭ କରିଥିଲା । ଏହି ବହୁତଳ ପ୍ରାସାଦରେ ଭାଷା ଭବନ ଯଥାଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସଂସ୍କୃତି ମନ୍ତ୍ରୀ ମଧ୍ୟ ରାଜ୍ୟ ବିଧାନସଭାରେ ୧୬.୦୯.୨୦୧୭ରେ କହିଥିଲେ । ଏବେ ଭାଷା ଭବନ ପାଇଁ ମିଳିଥିବା ଅର୍ଥ ବ୍ୟାଙ୍କରେ ଜମା ରହି କେବଳ ସୁଧ ବଢ଼ୁଛି । ଖରବେଳ ଭବନକୁ ଅନ୍ୟାନ୍ୟ ବିଭାଗ ସ୍ଥାନାନ୍ତରିତ ହୋଇଥିଲେ ମଧ୍ୟ ଏଥିରୁ ଭାଷା ପ୍ରତିଷ୍ଠାନକୁ ବାଦ୍‍ ଦିଆଯାଇଛି ।

ଓଡ଼ିଆ ଭାଷା ପ୍ରତିଷ୍ଠାନ ପାଇଁ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ନାହାନ୍ତି । ଡେପୁଟେସନ ଭିତରେ ଅନ୍ୟ ସଂସ୍ଥାରୁ ଅଧ୍ୟାପକ କିମ୍ବା ଅନ୍ୟ କର୍ମଚାରୀଙ୍କୁ ଆଣି କେତେବେଳେ କାମ ତୁଲାଯାଉଛି ତ ଆଉ କେତେବେଳେ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ଏହାର ଅତିରିକ୍ତ ଦାୟିତ୍ୱରେ ରଖାଯାଉଛି । ଏହାଫଳରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଫଳ ହୋଇପାରୁ ନାହିଁ । ପଶ୍ଚିମବଙ୍ଗ ସରକାର କଲିକତାରେ ବିଶ୍ୱ ବାଂଲା ଭବନ ନିର୍ମାଣ କରି ତାଙ୍କ ଭାଷା, ସାହିତ୍ୟ, ସଂସ୍କୃତିକୁ ଯେଭଳି ରୁଦ୍ଧିମନ୍ତ କରୁଛନ୍ତି, ଓଡ଼ିଶାରେ ତାହାଠାରୁ ଅଧିକ କାମ ହେବା ଆବଶ୍ୟକ ବୋଲି ବରିଷ୍ଠ ସାହିତ୍ୟିକ ଓ ଗବେଷକମାନେ ମତ ଦେଉଛନ୍ତି । (ତଥ୍ୟ)