Home Culture ଭାଷା ପ୍ରତିଷ୍ଠାନରେ ପହଞ୍ଚି ପାରୁନାହାନ୍ତି ଭାଷାପ୍ରେମୀ

ଭାଷା ପ୍ରତିଷ୍ଠାନରେ ପହଞ୍ଚି ପାରୁନାହାନ୍ତି ଭାଷାପ୍ରେମୀ

ଭୁବନେଶ୍ୱର : ଓଡିଆ ଭାଷା ପ୍ରତିଷ୍ଠାନକୁ ଆସିପାରୁ ନାହାନ୍ତି ଓଡିଆ ଭାଷାପ୍ରେମୀ । ଖାରବେଳଭବନର କଡା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଏହି ପ୍ରତିଷ୍ଠାନର ଦପ୍ତର ଚାଲୁଥିବାବେଳେ ଅଧିକାରୀ ନଥିବାରୁ ଏଠାକୁ ଆସିବାପାଇଁ ଚାହୁଁଥିବା ଭାଷାପ୍ରେମୀମାନେ ପାଶ୍‍ ଯୋଗାଡ କରିପାରୁ ନାହାନ୍ତି । ଏଥିଯୋଗୁଁ ଓଡିଆ ସାହିତ୍ୟିକ ଓ ଭାଷାପ୍ରେମୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ଓଡିଆ ଭାଷା ପ୍ରତିଷ୍ଠାନ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିୟନ୍ତ୍ରଣରେ ରହିଥିଲା । କିଛି ବର୍ଷ ପାଇଁ ଏହାର ଦପ୍ତର ପାଞ୍ଚ ନମ୍ବର ୟୁନିଟ୍‍ର ବିଭାଗୀୟ ମୁଖ୍ୟ ଦପ୍ତର ପଛପଟକୁ ଥିବା ଜନଶିକ୍ଷା ସାଧନ କେନ୍ଦ୍ରରେ ଚାଲୁଥିଲା । ପରବର୍ତ୍ତୀ ସମୟରେ ଭାଷା ପ୍ରତିଷ୍ଠାନକୁ ସଂସ୍କୃତି ବିଭାଗ ନିୟନ୍ତ୍ରଣକୁ ଅଣାଗଲା । ଜନଶିକ୍ଷା ସାଧନ କେନ୍ଦ୍ରର ସତ୍ତା ଏକ ପ୍ରକାର ଲୋପ ପାଇଯାଇଥିବାବେଳେ ଏଠାରେ ବିଭାଗର ଅନ୍ୟ ଦପ୍ତର କାର୍ଯ୍ୟ କରିବା ପରିପ୍ରେକ୍ଷୀରେ ଓଡିଆ ଭାଷା ପ୍ରତିଷ୍ଠାନକୁ ଭଞ୍ଜକଳା ମଣ୍ଡପ ପଛପଟରେ ଥିବା ସଂସ୍କୃତି ବିଭାଗର ନିର୍ଦ୍ଦେଶାଳୟ ସଂସ୍କୃତି ଭବନକୁ ସ୍ଥାନାନ୍ତର କରାଯାଇଥିଲା ।

ବିଭିନ୍ନ ସମୟରେ ଓଡିଆ ଭାଷାପ୍ରେମୀ ଏବଂ ଓଡିଆ ଅଧ୍ୟାପକମାନଙ୍କୁ ଏହାର ନିର୍ଦ୍ଦେଶକ ଦାୟିତ୍ୱରେ ରଖାଯାଉଥିଲା । ତେବେ ପରବର୍ତ୍ତୀ ସମୟରେ କେତେବେଳେ ଓଡିଆ ରାଜ୍ୟ ମ୍ୟୁଜିୟମର କର୍ମଚାରୀଙ୍କୁ ତ ଆଉ କେତେବେଳେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ଓଡିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଦାୟିତ୍ୱ ଅତିରିକ୍ତ ଭାବେ ଦିଆଯାଉଛି । ଏହି ପରମ୍ପରା ପ୍ରାୟ ଦଶବର୍ଷ ଧରି ଚାଲିଆସିଛି । ଏବେ ଓଡିଶା ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, ଲଳିତକଳା ଏକାଡେମୀ, ଉର୍ଦ୍ଦୁ ଏକାଡେମୀ ଆଦିର କେହି ସଭାପତି ନଥିବାରୁ ଏହାର ଦାୟିତ୍ୱ ବି ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ତୁଲାଇବାକୁ ପଡୁଛି । ଫଳରେ ଓଡିଆ ଭାଷା ପ୍ରତିଷ୍ଠାନକୁ ବିଭାଗୀୟ ନିର୍ଦ୍ଦେଶକ ପୂର୍ଣ୍ଣ ସମୟ ଦେବା ସମ୍ଭବପର ହେଉନାହିଁ ।

ଓଡିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ନିର୍ମାଣ ଲାଗି ରାଜ୍ୟ ସରକାର ରାଜଧାନୀର ଖାରବେଳନଗର ଅଞ୍ଚଳରେ ଏକ ବିସ୍ତୃତଜମି ଯୋଗାଇ ଦେବା ସହ ଏଥିପାଇଁ ପ୍ରାୟ ୧୦ବର୍ଷ ତଳେ ଅର୍ଥ ବରାଦ ମଧ୍ୟ କରିଥିଲେ । ଏହି ଦପ୍ତର ନିର୍ମାଣ ଲାଗି ପ୍ଲାନର ପ୍ରଶାସନିକ ମଞ୍ଜୁରୀ ମିଳିସାରି ଟେଣ୍ଡର ପ୍ରକ୍ରିୟା ପୂର୍ତ୍ତ ବିଭାଗ ଆରମ୍ଭ କରିବାବେଳେ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ଆପତ୍ତି ଯୋଗୁଁ ଭାଷା ଭବନ ନିର୍ମାଣ ହୋଇପାରୁ ନାହିଁ । ଏବେ ରାଜ୍ୟ ସରକାର ସଂସ୍କୃତି ଭବନରୁ ଭାଷା ପ୍ରତିଷ୍ଠାନକୁ ନବ ନିର୍ମିତ ଖାରବେଳଭବନକୁ ଉଠାଇ ନେଇଛନ୍ତି । ସେଠାରେ ରାଜ୍ୟ ସଚିବାଳୟର ଆଉ କେତେକ ବିଭାଗର ଦପ୍ତର ଚାଲୁଥିବା ପରିପ୍ରେକ୍ଷୀରେ କଡା ନିରାପତ୍ତା ବ୍ୟବସ୍ଥା ରହିଛି । ଭାଷା ପ୍ରତିଷ୍ଠାନର ନିୟମିତ ନିର୍ଦ୍ଦେଶକ ନଥିବାରୁ ଏଠାକୁ ଆସିବାକୁ ଚାହୁଁଥିବା ସାହିତ୍ୟିକ ଓ ଭାଷା ପ୍ରେମୀମାନେ ପାଶ୍‍ ପାଇପାରୁ ନାହାନ୍ତି ।

ଅନ୍ୟ ପକ୍ଷରେ ଓଡିଆ ଭାଷା ପ୍ରତିଷ୍ଠାନ ଲାଗି ଯେତେସଂଖ୍ୟକ କର୍ମଚାରୀ ରହିବାକଥା ସେ ସମସ୍ତ ପଦ ପଦବୀ ପ୍ରାୟତଃ ଖାଲି ପଡିଛି । ମଝିରେ ମଝିରେ ସରକାରୀ କର୍ମଚାରୀମାନଙ୍କୁ ଓଡିଆରେ ନଥିପତ୍ର କାମ ପାଇଁ କେବଳ ଏହି ସଂସ୍ଥା ମାଧ୍ୟମରେ ବିଷୟ ବିଶେଷଜ୍ଞମାନେ ତାଲିମ ଦେଉଛନ୍ତି । କିନ୍ତୁ ଭାଷା ପ୍ରତିଷ୍ଠାନ ତାହାର ମୌଳିକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ କରିପାରୁ ନାହିଁ । ଅବସ୍ଥା ଏଭଳି ହୋଇଛି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ନିଷ୍ପତ୍ତି ସତ୍ୱେ ପ୍ରାୟ ୧୦ବର୍ଷ ଧରି ଏହି ସଂସ୍ଥା ଓଡିଆ ବର୍ଣ୍ଣବୋଧ ବହିଟିଏ ଛପାଇ ପାରୁନାହିଁ । ତୁରନ୍ତ ଓଡିଆ ଭାଷା ପ୍ରତିଷ୍ଠାନ ପାଇଁ ଜଣେ ଭାଷା ବିଜ୍ଞାନୀଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିବା ସହିତ ତାହାର ପୂର୍ଣ୍ଣ ପରିଷଦ ଗଠନ କରିବା, ଭାଷା ପ୍ରତିଷ୍ଠାନପାଇଁ ଆବଶ୍ୟକ ପଡୁଥିବା କର୍ମଚାରୀ ପଦବୀ ପୂରଣ ଓ ଏହାର ନିଜସ୍ୱ ସୌଧ ନିର୍ମାଣ ଲାଗି ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)