ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି ।
ରବିବାର ଅର୍ଥାତ ଜୁନ୍ ୨୭ ତାରିଖ ଦିନ ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର୍ ପେଜ୍ @stscdev, @scstrti ଖୋଲି ପାରମ୍ପରିକ କଳା, ଗଣ୍ଡ ଚିତ୍ରକଳା ଦେଖିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।
ଭାରତର କେନ୍ଦ୍ରାଞ୍ଚଳରେ ଥିବା ରାଜ୍ୟ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ପୂର୍ବଭାଗ ଓ ଛତିଶଗଡ଼ଠାରେ ସର୍ବାଧିକ ଜନଜାତି ଗୋଷ୍ଠୀ ଭାବେ ଗଣ୍ଡ ଜନଜାତି ଗୋଷ୍ଠୀ ବସବାସ କରିଥା’ନ୍ତି । ଓଡ଼ିଶାର ନବରଙ୍ଗପୁର, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ଗଣ୍ଡ ଜନଜାତି ଗୋଷ୍ଠୀଙ୍କ ବାସସ୍ଥାନ । କନ୍ଧ ଜନଜାତି ପରେ ଓଡ଼ିଶାରେ ବାସ କରୁଥିବା ଜନଜାତିଙ୍କ ମଧ୍ୟରେ ଗଣ୍ଡ ସର୍ବବୃହତ ଜନଜାତି ଅଟନ୍ତି ।
ପ୍ରତ୍ୟେକ ଗଣ୍ଡ ପରିବାର ଆନୁଷ୍ଠାନିକ ପୂଜାରୀତି ସମୟରେ କାନ୍ଥରେ ଚିତ୍ରକଳା ଅଙ୍କନ କରି ପାଳନ କରିଥା’ନ୍ତି । ପ୍ରତ୍ୟେକ ଗୋତ୍ରର ପ୍ରତୀକ ଭାବେ ଗୃହୀତ ଜୀବଜନ୍ତୁଙ୍କ ପ୍ରତିକୃତିକୁ ନେଇ କାନ୍ଥରେ ଚିତ୍ର ଅଙ୍କନ ସହିତ ପୂଜା କରାଯାଇଥାଏ । ବିଭିନ୍ନ ଗୋତ୍ରର ପ୍ରତୀକ ହେଉଛନ୍ତି ବ୍ୟାଘ୍ର, ମୟୂର, କଇଁଛ, ଛଞ୍ଚାଣ, ହାତୀ, ସର୍ପ ।
ଭାରତର ଗଣ୍ଡ ଚିତ୍ରକଳା ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍ ସୁଖ୍ୟାତି ଅର୍ଜନ କରିଛି । ଓଡ଼ିଶାର ଗଣ୍ଡ ଜନଜାତିଙ୍କର ଚିତ୍ରକଳାରେ ବିଶେଷତା ରହିଛି । ଆଗରୁ ଚିତ୍ରକଳାରେ କୃତି୍ରମ ରଙ୍ଗ ବ୍ୟବହାର ହେଉନଥିଲା । ପ୍ରାକୃତିକ ରଙ୍ଗ ନାଲିମାଟି ଓ ଦୀପର କଳାକୁ ସେମାନେ ରଙ୍ଗ ଭାବେ ବ୍ୟବହାର କରୁଥିଲେ ।
ସମୟର ପରିବର୍ତ୍ତନ ସହିତ ଏଥିରେ ମଧ୍ୟ ପରିବର୍ତ୍ତନ ହୋଇଛି । ସଂପ୍ରତି ଗଣ୍ଡ ଚିତ୍ରକଳାରୁ ଆର୍ଥିକ ଲାଭ ମିଳିବା ସହିତ ଏହି ଜନଜାତି ଗୋଷ୍ଠୀର ରୋଜଗାରରେ ସହାୟକ ହୋଇପାରିଛି । ଏବେ ଗଣ୍ଡ ଚିତ୍ରକଳାରେ କାନ୍ଭାସ୍ ଓ ଏକି୍ରଲିକ୍ ରଙ୍ଗ ବ୍ୟବହାର କରାଯାଉଛି ।