Home News in Odia ଭରସା ଦେଶୀୟ ପର୍ଯ୍ୟଟକ

ଭରସା ଦେଶୀୟ ପର୍ଯ୍ୟଟକ

ଭୁବନେଶ୍ୱର : ଓଡିଶାର ପର୍ଯ୍ୟଟନ ଶିଳ୍ପ ଏବେ ଘରୋଇ ପର୍ଯ୍ୟଟକଙ୍କ ଉପରେ ନିର୍ଭରଶୀଳ । କାରଣ ଓଡିଶାକୁ ଯେତିକି ପରିମାଣରେ ଘରୋଇ ପର୍ଯ୍ୟଟକ ଆସୁଛନ୍ତି ତାହାର ଦୁଇ ପ୍ରତିଶତ ବି ବିଦେଶୀ ପର୍ଯ୍ୟଟକ ଆସୁନାହାନ୍ତି ।

ଦେଶର ବିଭିନ୍ନ ରାଜ୍ୟରେ ପର୍ଯ୍ୟଟକମାନଙ୍କ ଆଗମନ ସଂକ୍ରାନ୍ତରେ କେନ୍ଦ୍ର ସରକାର କରିଥିବା ଆକଳନ ଅନୁଯାୟୀ ୨୦୧୮ମସିହାରେ ଓଡିଶାକୁ ଏକ କୋଟି ୫୨ଲକ୍ଷରୁ ଅଧିକ ଦେଶୀୟ ପର୍ଯ୍ୟଟକ ଆସିଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଏକ ଲକ୍ଷ ୧୧ହଜାର ରହିଥିଲା । ଏହା ପରବର୍ଷ ଅର୍ଥାତ୍‍ ୨୦୧୯ ରେ ଉଭୟ ଦେଶୀୟ ପର୍ଯ୍ୟଟକ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇଥିଲା । ଏହିବର୍ଷ ଓଡିଶାକୁ ୧.୫୩ କୋଟି ଦେଶୀୟ ପର୍ଯ୍ୟଟକ ଆସିଥିବାବେଳେ ବିଦେଶୀ ପର୍ଯ୍ୟଟନଙ୍କ ସଂଖ୍ୟା ୧.୧୫ ଲକ୍ଷ ରହିଥିଲା । କିନ୍ତୁ ଏହା ପରିବର୍ତ୍ତୀ ବର୍ଷରେ କରୋନା ପ୍ରଭାବ ଯୋଗୁଁ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ଢେର ହ୍ରାସ ପାଇଥିଲା । ବିଶେଷକରି ସମଗ୍ର ବିଶ୍ୱରେ ବିମାନ ଚଳାଚଳ ବନ୍ଦ ଯୋଗୁଁ ବିଦେଶୀ ପର୍ଯ୍ୟଟକମାନେ ଆସିପାରିନଥିଲେ । ସେଇପାଇଁ ୨୦୨୦ ରେ ଓଡିଶାକୁ ୧୦ହଜାର ବିଦେଶୀ ଆସିଥିବାବେଳେ ୨୦୨୧ ରେ ୨ହଜାର ଏବଂ ୨୦୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୨ ହଜାରରେ ପହଞ୍ଚିଥିଲା ।

ତେବେ କରୋନା ପ୍ରଭାବ ସତ୍ୱେ ପଞ୍ଜାବ, ରାଜସ୍ଥାନ, ମହରାଷ୍ଟ୍ର, ତାମିଲନାଡୁ ଏପରିକି ସିକିମ ଓ ଉତ୍ତରାଖଣ୍ଡ ଆଦି ରାଜ୍ୟକୁ ଓଡିଶା ତୁଳନାରେ ଢେର ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ସୂଚନା ଅନୁଯାୟୀ ଭାରତକୁ ୬୨ଟି ଅଧିକ ଦେଶରୁ ପର୍ଯ୍ୟଟକମାନେ ଆସୁଥିବାବେଳେ ଆମେରିକୀୟ ଆଗନ୍ତୁକଙ୍କ ସଂଖ୍ୟା ଢେର ଅଧିକ ରହିଛି ।

ତେବେ ଓଡିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍‍ ରହିବାପାଇଁ ବିମାନ ସଂଯୋଗକୁ ଦାୟୀ କରାଯାଉଛି । ପର୍ଯ୍ୟଟନଶିଳ୍ପ ସହିତ ଜଡିତ ବିଶେଷଜ୍ଞମାନଙ୍କ ମତରେ ଓଡିଶାକୁ ଅନ୍ୟ ରାଜ୍ୟ ଭଳି ଆର୍ନ୍ତଜାତୀୟ ବିମାନ ସୁବିଧା ନାହିଁ । ଓଡିଶା ସରକାରଙ୍କ ଠାରୁ ରିହାତି ନେଇ ଯେଉଁ କେତୋଟି ହାତଗଣତି ବିମାନ ଭୁବନେଶ୍ୱରରୁ ବିଦେଶକୁ ଉଡୁଛି ସେଥିରେ ବିଦେଶୀ ପର୍ଯ୍ୟଟକମାନେ ସେଭଳି ଭାବେ ଆସୁନାହାନ୍ତି । ସେହିଭଳି ଓଡିଶାର ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ଭୁବନେଶ୍ୱରରୁ ନିୟମିତ ବିମାନ ସଂଯୋଗ ନଥିବାରୁ ବିଦେଶୀ ପର୍ଯ୍ୟଟକମାନେ ସମୟ ଦୃଷ୍ଟିରୁ ଅନ୍ୟ ରାଜ୍ୟ ମୁହାଁ ହେଉଛନ୍ତି ।

ତେବେ ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେବା ସହିତ ବିଭିନ୍ନ ଦେବାଳୟର ରୂପାନ୍ତରଣ କରୁଥିବାରୁ ଦେଶୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଆଦି ରାଜ୍ୟରୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଓଡିଶାର ପୁରୀ, କୋଣାର୍କ ସମେତ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ଆସୁଛନ୍ତି । ବର୍ତ୍ତମାନ ରାଜ୍ୟରେ ଉଡାନ ଯୋଜନାରେ ଏକାଧିକ ସ୍ଥାନକୁ ବିମାନ ସେବା ଉପଲବ୍ଧ ହେଉଥିବାରୁ ଆଗାମୀ ଦିନରେ ରାଜ୍ୟକୁ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକମାନେ ଆସିବା ନେଇ ପର୍ଯ୍ୟଟନ ଶିଳ୍ପ ସହିତ ବ୍ୟବସାୟୀମାନେ ଆଶାବାଦୀ ଅଛନ୍ତି । (ତଥ୍ୟ)