Home General ଭତ୍ତା ପାଇଁ ବାର ଦୁଆର

ଭତ୍ତା ପାଇଁ ବାର ଦୁଆର

ଭୁବନେଶ୍ୱର : ବୟସ ୭୦ ଟପିଲାଣି । କାମ କରିବାକୁ ବଳ ପାଉନାହିଁ । ଯେଉଁ ସାଙ୍ଗସାଥିମାନେ ପାଠଶାଠ ପଢି ଚାକିରି କରିଥିଲେ ସେମାନେ ଅବସର ଗ୍ରହଣ କଲେଣି । ହେଲେ ଆଧାରକାର୍ଡରେ ବୟସ କମ୍‍ ଥିବାରୁ ୭୦ବର୍ଷ ବୟସ ଟପିଥିବା କେନ୍ଦୁଝରର ମଙ୍ଗୁଳୁ ମୁଣ୍ଡା କିନ୍ତୁ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି ।

ମଙ୍ଗୁଳୁଙ୍କ ଘର ହେଉଛି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନିର୍ବାଚନମଣ୍ଡଳୀରେ । ଏହି ନିର୍ବାଚନମଣ୍ଡଳୀ କେନ୍ଦୁଝର ସଦର ଅର୍ନ୍ତଗତ ବଲାଣି ପଶ୍ଚିର କୁଣ୍ଢେଇ ଗାଁରେ ତାଙ୍କ ଘର । ଜାତିରେ କୋହ୍ଲ । ଆଧାର କାର୍ଡ ପ୍ରସ୍ତୁତ ସମୟରେ କେହି ଜଣେ ତାଙ୍କର ଜନ୍ମତାରିଖ ୧୯୭୦ ମସିହା ଏପ୍ରିଲ ମାସ ୧୮ ତାରିଖ ବୋଲି ଲେଖିଦେଇଛି । ତଦନୁଯାୟୀ ତାଙ୍କର ଆଧାରକାର୍ଡ ବୟସ ହେଉଛି ୫୪ବର୍ଷ । ହେଲେ ବାସ୍ତବରେ ମଙ୍ଗୁଳୁଙ୍କ ବୟସ ୭୦ ହେଲାଣି । ତାଙ୍କର ସବୁ ସାଙ୍ଗସାଥିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ପ୍ରତିମାସ ଭତ୍ତା ପାଉଛନ୍ତି ।

ବୟସାଧିକ୍ୟ କାରଣରୁ ମଙ୍ଗୁଳୁ ଆଉ କାମଦାମ କରିପାରୁ ନାହାନ୍ତି । ସମସ୍ତେ ଜାଣୁଛନ୍ତି ମଙ୍ଗୁଳୁଙ୍କୁ ଅଧିକ ବୟସ । ସେ ଭତ୍ତା ପାଇବାକୁ ଯୋଗ୍ୟ । ହେଲେ ଆଧାରକାର୍ଡରେ ଥିବା ବୟସ ଆଧାରରେ ଭତ୍ତା ଦିଆଯାଉଥିବାରୁ ସେ ଏଥିରୁ ବଞ୍ଚିତ ହୋଇଛନ୍ତି । ଆଧାରକାର୍ଡ ଖଣ୍ଡିକ ଧରି ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଘୂରି ବୁଲୁଛନ୍ତି । ହେଲେ କେହି ତାଙ୍କ କଥା ଶୁଣୁ ନାହାନ୍ତି । ଏବେ ତାଙ୍କର ଶେଷ ଭରସା ହେଉଛନ୍ତି ତାଙ୍କ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଭତ୍ତା ଭଣ୍ଡାକ ପାଇବାପାଇଁ ମଙ୍ଗୁଳୁ ଏବେ ରାଜଧାନୀ ଆସିବାକୁ ଯୋଜନା କରୁଛନ୍ତି ।

କେବଳ ମଙ୍ଗୁଳୁ ମୁଣ୍ଡାଙ୍କ କ୍ଷେତ୍ରରେ ଯେ ଏହା ଘଟିଛି ତାହା ନୁହେଁ, ଆଧାରକାର୍ଡରେ ବୟସଗତ ତ୍ରୁଟି ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ସାମାଜିକ ସୁରକ୍ଷା ଯୋଜନାରୁ ବାଦ୍‍ ପଡୁଛନ୍ତି । ଯେଉଁମାନେ ଲାଗିପାତି ଆଧାରକାର୍ଡରେ ସଂଶୋଧନ କରିପାରୁଛନ୍ତି ସେମାନେ ଭତ୍ତା ପାଇବା ତାଲିକାରେ ରହୁଛନ୍ତି ନଚେତ ମଙ୍ଗୁଳୁଙ୍କ ଭଳି ନିଜର ଆଧାରକାର୍ଡ ଖଣ୍ଡିକ ଧରି ବାରଦୁଆର ବୁଲୁଛନ୍ତି ।

ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବାପରେ ଏବେ ଭୂତ କାର୍ଡ (ଜାଲ୍‍ ରାସନକାର୍ଡ) ବିଷୟରେ ଖୋଳତାଡ ଆରମ୍ଭ କରିଛନ୍ତି । ଏହାକୁ ଅନେକ ସ୍ୱାଗତ କରୁଥିବାବେଳେ ମଙ୍ଗୁଳୁଙ୍କ ଭଳି କେତେ ଲୋକ ବୟସଗତ ତ୍ରୁଟିରୁ ଭତ୍ତା ତାଲିକାରୁ ବାଦ୍‍ ପଡିଛନ୍ତି ଓ କେତେ ଲୋକ ଭତ୍ତା ମାନଦଣ୍ଡକୁ ଉଲ୍ଲଙ୍ଘନ କରି ସେଥିରେ ନିଜ ନାମ ଦରଜ କରିଛନ୍ତି ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)