ଭୁବନେଶ୍ୱର : ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟରେ ୭୭ ହଜାରରୁ ଅଧିକ ଅବିବାହିତା ମହିଳା ଭତ୍ତା ପାଉଛନ୍ତି । ଏମାନଙ୍କ ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ରହିଥିବା ଜଣାଯାଇଛି ।
ରାଜ୍ୟରେ ବିଭିନ୍ନ ଯୋଜନାରେ ଭତ୍ତା ହିତାଧିକାରୀଙ୍କ ସଂକ୍ରାନ୍ତରେ ମିଳିଥିବା ସରକାରୀ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍ ୭୭,୨୬୩ ଅବିବାହିତା ମହିଳା ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଛନ୍ତି । ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୯୨୭ଜଣ ଥିବାବେଳେ ସୁନ୍ଦରଗଡ ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୫୬୦୬ ଜଣ ରହିଛନ୍ତି । ବରଗଡ ଜିଲ୍ଲାରେ ଏହି ସଂଖ୍ୟା ୫୪୭୭ ଥିବାବେଳେ ସମ୍ବଲପୁର ଜିଲ୍ଲାରେ ୪୯୯୫ ଜଣ ରହିଛନ୍ତି । ସବୁଠାରୁ କମ୍ ୪୫୨ଜଣ ଅବିବାହିତା ନୂଆପଡା ଜିଲ୍ଲାରେ ଭତ୍ତା ପାଉଥିବା ଜଣାଯାଇଛି ।
ସେହିଭଳି ରାଜ୍ୟରେ ଭତ୍ତା ପାଉଥିବା ବିଧବା ମହିଳାଙ୍କ ସଂଖ୍ୟା ୧୧ଲକ୍ଷ ୪୨ ହଜାର ରହିଛି । ଏଥି ମଧ୍ୟରୁ ମଧୁବାବୁ ପେନ୍ସନ ଯୋଜନାରେ ୬.୨୦ଲକ୍ଷ ସାମିଲ ହୋଇଥିବାବେଳେ ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନ୍ସନ ଯୋଜନାରେ ୫.୨୧ଲକ୍ଷ ସାମିଲ ହୋଇଛନ୍ତି । ବିଧବା ଭତ୍ତା ପାଉଥିବା ମହିଳାଙ୍କ ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧.୧୪ଲକ୍ଷ ଥିବାବେଳେ ମୟୁରଭଞ୍ଜ ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୬୦,୯୦୧ ଜଣ ରହିଛନ୍ତି ।
ଅନୁରୂପ ଭାବେ ରାଜ୍ୟରେ ୧୨.୪୪ ଲକ୍ଷ ଭିନ୍ନକ୍ଷମ ସାମାଜିକ ସୁରକ୍ଷାରେ ଭତ୍ତା ପାଉଛନ୍ତି । ଏମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୬.୭୪ଲକ୍ଷରୁ ଅଧିକଥିବାବେଳେ ମହିଳାଙ୍କ ସଂଖ୍ୟା ୫.୬୯ଲକ୍ଷ ରହିଛି ।
ଏବେ ବି ରାଜ୍ୟରେ ପାଖପାଖି ୫ଲକ୍ଷ ଲୋକ ବିଭିନ୍ନ ବର୍ଗରେ ଭତ୍ତା ପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି । ତେବେ ଏମାନଙ୍କୁ ନୂଆ ଭତ୍ତା ମିଳିବା ବଦଳରେ ଖାଲି ପଡୁଥିବା ସ୍ଥାନରେ ସାମିଲ କରାଯାଉଛି । ଭିନ୍ନକ୍ଷମମାନଙ୍କୁ ଏ କ୍ଷେତ୍ରରେ ଅଗ୍ରାଧିକାର ମିଳୁଛି ।
ସେହିଭଳି ରାଜ୍ୟରେ ପ୍ରାୟ ୪୮ଲକ୍ଷ ଭତ୍ତା ପ୍ରଦାନ କରାଯାଉଥିବାବେଳେ କେନ୍ଦ୍ର ସରକାର ଯେଉଁ ୨୦ଲକ୍ଷ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷାରେ ଭତ୍ତା ଯୋଗାଉଛନ୍ତି ସେମାନଙ୍କ ପାଇଁ ଅନ୍ଲାଇନ୍ ଜରିଆରେ ଭତ୍ତା ପ୍ରଦାନ ବାଧ୍ୟମତାମୂଳକ କରାଯାଇଛି । ତେବେ ବିଭିନ୍ନ ଲୋକଙ୍କ ବ୍ୟାଙ୍କ୍ ଖାତାକୁ ଭତ୍ତା ପଠାଯିବା ପରେ ଏବେ ରାଜ୍ୟର ବହୁ ପଞ୍ଚାୟତରେ ହିତାଧିକାରୀଙ୍କ ଅଜଣାତରେ ଭତ୍ତା ଟଙ୍କା ଉଠୁଥିବା ନଜରକୁ ଆସିଛି । ଏଭଳି ମାଳ ମାଳ ଅଭିଯୋଗ ଆସୁଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି । (ତଥ୍ୟ)