Home Assembly ଭତ୍ତା ଅପେକ୍ଷାରେ ୭ଲକ୍ଷରୁ ଅଧିକ

ଭତ୍ତା ଅପେକ୍ଷାରେ ୭ଲକ୍ଷରୁ ଅଧିକ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ବର୍ଗର ୭ଲକ୍ଷରୁ ଅଧିକ ବ୍ୟକ୍ତି ଭତ୍ତା ପାଇବାପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମଧୁବାବୁ ପେନ୍‍ସନ ଯୋଜନାରେ ସାମିଲ ପାଇଁ ଆବେଦନ କରିଛନ୍ତି ।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଏବେ ମୋଟ୍‍ ୫୬,୮୧,୯୮୨ ଜଣ ବ୍ୟକ୍ତି ଭତ୍ତା ପାଉଛନ୍ତି । ଏମାନଙ୍କ ମଧ୍ୟରେ ମଧୁବାବୁ ଭତ୍ତା ଯୋଜନାରେ ୩୬ଲକ୍ଷ ୬୪ ହଜାର ସାମିଲ ଥିବାବେଳେ କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧିନରେ ୨୦,୧୭,୯୭୮ ଜଣ ହିତାଧିକାରୀ ରହିଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ୫ଟି ବର୍ଗରେ ଲୋକେ ଭତ୍ତା ପାଉଛନ୍ତି । ଏଥିରେ ସର୍ବାଧିକ ସାଢେ ୧୨ଲକ୍ଷ ଭତ୍ତାଧାରୀ ୬୦ ରୁ ୮୦ବର୍ଷ ବୟସ ମଧ୍ୟରେ ରହିଛନ୍ତି ଓ ସେମାନେ ମାସକୁ ୧୦୦୦ ଟଙ୍କାର ଭତ୍ତା ପାଉଛନ୍ତି । ୮୦ବର୍ଷରୁ ଅଧିକ ବୟସର ୧.୫୫ ଲକ୍ଷରୁ ଅଧିକ ବ୍ୟକ୍ତି ମାସକୁ ୩୫୦୦ ଟଙ୍କାର ଭତ୍ତା ପାଉଥିବାବେଳେ ଜାତୀୟ ବିଧବା ଭତ୍ତା ଯୋଜନାରେ ୮୦ବର୍ଷରୁ କମ୍‍ ବୟସର ୫ଲକ୍ଷ ମହିଳା ମାସକୁ ୧୦୦୦ ଟଙ୍କା କରି ପାଉଛନ୍ତି । ଏହି ଯୋଜନାରେ ୮୦ବର୍ଷରୁ ଅଧିକ ବୃଦ୍ଧା ମାସକୁ ୩୫୦୦ ଟଙ୍କା ପାଉଥିବାବେଳେ ୮୦ ପ୍ରତିଶତ କିମ୍ବା ଅଧିକ ଭିନ୍ନକ୍ଷମ ଥିବା ୮୯,୩୭୯ ଜଣ ମାସକୁ ୩୫୦୦ ଟଙ୍କା କରି ପାଉଛନ୍ତି ।

ମଧୁବାବୁ ପେନ୍‍ସନ ଯୋଜନାରେ ହିତାଧିକାରୀମାନେ ୭ଟି ବର୍ଗରେ ରହିଛନ୍ତି । ଏହି ଯୋଜନରେ ମାସକୁ ୧୦୦୦ ଟଙ୍କା କରି ଭତ୍ତା ପାଉଥିବା ୨୦ଲକ୍ଷ ହିତାଧିକାରୀଙ୍କ ବୟସ ୬୦ ରୁ ୮୦ବର୍ଷ ମଧ୍ୟରେ ରହିଥିବାବେଳେ ୪୦ ରୁ ୫୯ ପ୍ରତିଶତ ଭିନ୍ନକ୍ଷମ ହୋଇ ମାସକୁ ୧୦୦୦ ଟଙ୍କା ଭତ୍ତା ପାଉଥିବା ୩ଲକ୍ଷ ହିତାଧିକାରୀ ରହିଛନ୍ତି । ଏହି ଯୋଜନାରେ ମାସିକ ୩୫୦୦ ଟଙ୍କା ପାଉଥିବା ୮୦ବର୍ଷ ବୟସରୁ ଅଧିକ ବୟସର ହିତାଧିକାରୀଙ୍କ ସଂଖ୍ୟା ୨ଲକ୍ଷରୁ ଅଧିକ ଥିବାବେଳେ ମାସିକ ୧୨୦୦ ଟଙ୍କା ଭତ୍ତା ପାଉଥିବା ୬୦ ରୁ ୭୯ ପ୍ରତିଶତ ଭିନ୍ନକ୍ଷମଙ୍କ ସଂଖ୍ୟା ୧.୮୬ ଲକ୍ଷ ରହିଛି । ମାସକୁ ୩୫୦୦ ଟଙ୍କା ଭତ୍ତା ପାଉଥିବା ୮୦ପ୍ରତିଶତ ବା ତାହାଠାରୁ ଅଧିକ ପରିମାଣର ଭିନ୍ନକ୍ଷମ ହିତାଧିକାରୀଙ୍କ ସଂଖ୍ୟା ୬୦,୯୫୪ ରହିଛି । ମଧୁବାବୁ ପେନ୍‍ସନ ଯୋଜନାରେ ମାସିକ ୧୦୦୦ ଟଙ୍କା କରି ବିଧବା ଭତ୍ତା ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ୭.୪୦ ଲକ୍ଷ ଥିବାବେଳେ ସମ ପରିମାଣର ଭତ୍ତା ପାଉଥିବା ଅବିବାହିତା ଓ ସ୍ୱାମୀ ପରିତ୍ୟକ୍ତାଙ୍କ ସଂଖ୍ୟା ୧ଲକ୍ଷରୁ ଅଧିକ ରହିଛି ।

ଭତ୍ତା ପାଇବାପାଇଁ ରାଜ୍ୟରେ ୭ଲକ୍ଷରୁ ଅଧିକ ଆବେଦନକାରୀ ଅପେକ୍ଷାରେ ଥିବାବେଳେ ୧୩,୬୧,୮୨୯ଜଣ ଭିନ୍ନକ୍ଷମ ୟୁନିକ୍‍ ଡିଜାବିଲିଟି କାର୍ଡ ପାଇଁ ଆବେଦନ କରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)