Home Assembly ଭତ୍ତା ଅପେକ୍ଷାରେ ୫ଲକ୍ଷରୁ ଅଧିକ

ଭତ୍ତା ଅପେକ୍ଷାରେ ୫ଲକ୍ଷରୁ ଅଧିକ

ଭୁବନେଶ୍ୱର : ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାରେ ଭତ୍ତା ପାଇଁ ରାଜ୍ୟରେ ୫,୮୯,୪୫୬ଜଣ ଆବେଦନକରି ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ୮୦ବର୍ଷରୁ ଅଧିକ ବୟସର ୪ହଜାରରୁ ଅଧିକ ଅପେକ୍ଷା କରି ରହିଛନ୍ତି ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦନ ଗଣ୍ଡ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ମଧୁବାବୁ ପେନ୍‍ସନ ଯୋଜନାରେ ୨୪,୫୩,୬୩୯ଜଣ ବ୍ୟକ୍ତି ସାମାଜିକ ସୁରକ୍ଷା ଭତ୍ତା ପାଉଥିବାବେଳେ ଜାତୀୟ ପେନସନ୍‍ ଯୋଜନାରେ ୧୫,୧୭,୫୧୪ ଜଣ ଏହି ଭତ୍ତା ପାଉଛନ୍ତି ।

ରାଜ୍ୟରେ ଥିବା ୬୦ରୁ ୭୯ ବର୍ଷ ବୟସର ବ୍ୟକ୍ତିମାନେ ସାମାଜିକ ସୁରକ୍ଷା ଯୋଜନାରେ ମାସକୁ ୧୦୦୦ ଟଙ୍କା କରି ଭତ୍ତା ପାଉଥିବାବେଳେ ୮୦ବର୍ଷ କିମ୍ବା ତଦୁର୍ଦ୍ଧ ବୟସର ବ୍ୟକ୍ତିମାନେ ମାସକୁ ୩୫୦୦ ଟଙ୍କା କରି ଭତ୍ତା ପାଉଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇବାପାଇଁ ମୋଟ୍‍ ୫,୮୯,୪୫୬ ଜଣ ଆବେଦନ କରି ଅପେକ୍ଷାରେ ରହିଛନ୍ତି । ଏହି ଅପେକ୍ଷା ତାଲିକାରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୭,୦୮୭ ଜଣ ରହିଥିବାବେଳେ ଝାରସୁଗୁଡା ଜିଲ୍ଲାରୁ ୫୧୬୬ ଜଣ ରହିଛନ୍ତି ।

ସେହିଭଳି ୮୦ବର୍ଷରୁ ଅଧିକ ବୟସର ୪୧୭୩ ଜଣ ବ୍ୟକ୍ତି ଭତ୍ତା ପାଇଁ ପାଇଁ ଆବେଦନକରି ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୬୧୭ଜଣ ଗଞ୍ଜା ଜିଲ୍ଲାରୁ ଥିବାବେଳେ ସବୁଠାରୁ କମ୍‍ ୧୬ଜଣ କନ୍ଧମାଳ ଜିଲ୍ଲାରେ ଅଛନ୍ତି । ଝାରସୁଗୁଡା ଜିଲ୍ଲାରେ ୮୦ବର୍ଷ ବୟସରୁ ଅଧିକ ୬୮ଜଣ ବ୍ୟକ୍ତି ଭତ୍ତା ପାଇବାପାଇଁ ଅପେକ୍ଷାରେ ଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।