ଜଗତ୍ସିଂହପୁର : ଜିଲ୍ଲାରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ଲୋକଙ୍କୁ ଏବେ ବୟସ ଚିନ୍ତା ଘାରିଛି । ଠିକଣା ବୟସ ଜଣାନପଡିବା ଯୋଗୁଁ ଅନେକ ଭତ୍ତାଧାରୀ ଜୁଲାଇ ମାସର ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କୁ ନିଜର ବୟସ ଦର୍ଶାଇବାକୁ କୁହାଯାଉଥିବାବେଳେ କେଉଁ ପ୍ରମାଣପତ୍ର ଧରି କେଉଁଠାରେ ବୟସ ଦର୍ଶାଇବେ ତାହାକୁ ନେଇ ଅନେକ ଦ୍ୱନ୍ଦରେ ପଡିଛନ୍ତି ।
ଜିଲ୍ଲାର ପଲ୍ଲୀ ସମେତ ଆଉ କେତେକ ପଞ୍ଚାୟତରେ ଏଭଳି ସ୍ଥିତି ପରଲକ୍ଷିତ ହୋଇଛି । ଏହିସବୁ ପଞ୍ଚାୟତରେ ନିୟମିତ ଭତ୍ତାଧାରୀଙ୍କ ମଧ୍ୟରୁ ଅନେକ ଜୁଲାଇମାସର ଭତ୍ତା ପାଇ ନାହାନ୍ତି । ବୟସ ପ୍ରମାଣପତ୍ର ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ବିଶେଷକରି ଯେଉଁମାନେ ନିଜକୁ ୮୦ବର୍ଷ କିମ୍ବା ତଦୁର୍ଦ୍ଧ ଦର୍ଶାଇ ମାସକୁ ୩୫୦୦ ଟଙ୍କାର ଭତ୍ତା ପାଉଥିଲେ ଏବେ ସେମାନଙ୍କ ବୟସକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । ଏମାନଙ୍କ ମଧ୍ୟରୁ ଅନେକଙ୍କର ଭୋଟର ପରିଚୟପତ୍ର ଓ ଆଧାରକାର୍ଡରେ ଥିବା ବୟସ ମଧ୍ୟରେ ତାଳମେଳ ନାହିଁ ।
ଭତ୍ତା ପାଇଁ ଆବେଦନ ସମୟରେ ଯିଏ ନିଜର ବୟସ ଯେତେ କହିଲା ସେହି ଅନୁଯାୟୀ ଆବେଦନ ହୋଇଥିଲା । ସେତେବେଳେ ଭୋଟର ପରିଚୟପତ୍ର କିମ୍ବା ଆଧାରକାର୍ଡ ଦେଖାଯାଇନଥିଲା । ସେହି ଅନୁଯାୟୀ ଲୋକେ ଭତ୍ତା ପାଇଁ ଚାଲିଥିଲେ । ଯେତେବେଳେ ଭତ୍ତା ପରିମାଣ ମାସିକ ୫୦୦ ଓ ୭୦୦ ଟଙ୍କା ଥିଲା ସେତେବେଳେ ବୟସ ଉପରେ ସେତେଟା କେହି ଗୁରୁତ୍ୱ ଦେଉନଥିଲେ । ମାସକୁ ମାସ ନିୟମିତ ଭତ୍ତା ମିଳୁଥିଲା ।
ଏବେ ବୟସ୍କଙ୍କ ଭତ୍ତା ପରିମାଣ ମାସିକ ୩୫୦୦ ଟଙ୍କା ହେବାପରେ ଭତ୍ତାଧାରୀଙ୍କ ବୟସ ବାସ୍ତବରେ ୮୦ବର୍ଷ କି ନୁହେଁ ତାହାକୁ ନେଇ ଖୋଳତାଡ ଚାଲିଛି । କର୍ତ୍ତୃପକ୍ଷ ଭୋଟର ପରିଚୟପତ୍ରରେ ଥିବା ବୟସ ସହିତ ଭତ୍ତାଧାରୀଙ୍କ ବୟସ ମିଳାଇବାରୁ କେତେକ ଭତ୍ତାଧାରୀଙ୍କ ବୟସ ୮୦ବର୍ଷ ହୋଇନଥିବାବେଳେ ସେମାନେ କିନ୍ତୁ ବର୍ଦ୍ଧିତ ଭତ୍ତା ପାଇ ଚାଲିଛନ୍ତି । ଅବଶ୍ୟ ଏଥିରେ ସେମାନଙ୍କର ସେଭଳି କିଛି ଦୋଷ ନାହିଁ । କାରଣ କର୍ତ୍ତୃପକ୍ଷ ଭତ୍ତା ମଞ୍ଜୁର ସମୟରେ ଗାଁ ଗହଳର ଏହି ବୃଦ୍ଧ ବୃଦ୍ଧାମାନଙ୍କର ପ୍ରକୃତ ବୟସ କେତେ ତାହାକୁ ଭୋଟର ତାଲିକା କିମ୍ବା ଅନ୍ୟାନ୍ୟ ଜନ୍ମ ପ୍ରମାଣପତ୍ର ସହିତ ମିଳାଇନଥିଲେ । ଏବେ କିନ୍ତୁ ଭୋଟର ପରିଚୟପତ୍ରରେ ଥିବା ବୟସ ଆଧାରରେ ସେମାନଙ୍କୁ ଭତ୍ତା ଦେବାପାଇଁ ନିଷ୍ପତ୍ତି ହୋଇଥିବା ଜଣାଯାଇଛି ।
ବୟସକୁ ନେଇ ଏଭଳି ଦ୍ୱନ୍ଦ ଉପୁଜିବା ପରେ ଏବେ କିଛି ଭତ୍ତାଧାରୀଙ୍କର ଭତ୍ତାକୁ ଅଟକାଇ ଦିଆଯାଇଛି । ଫଳରେ ପ୍ରତିମାସରେ ବ୍ୟାଙ୍କ୍ରୁ ଭତ୍ତାଗଣ୍ଡାକ ପାଉଥିବା ବୁଢା ବୁଢୀମାନେ ଏବେ ବ୍ୟାଙ୍କ୍ଶାଖା ଓ ଜନସେବାକେନ୍ଦ୍ରକୁ ଦଉଡିବାରେ ଲାଗିଛନ୍ତି । ସେମାନଙ୍କୁ ପୂର୍ବରୁ ଏ ନେଇ କୌଣସି ସୂଚନା ଦିଆଯାଇନଥିବାରୁ ଏଭଳି ଅବସ୍ଥା ଉପୁଜିଛି । ତେଣୁ ବୟସକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଏମାନଙ୍କ ନିକଟରେ ପହଞ୍ଚି ପ୍ରକୃତ ବୟସ ଆଧାରରେ ଭତ୍ତା ପ୍ରଦାନ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)