ଭୁବନେଶ୍ୱର : ରାଜଧାନୀର ଖାଓ ଗଳିରେ ଭୁବନେଶ୍ୱର ମେୟରଙ୍କ ଚଢାଉ ସମୟରେ ଲାଇସେନ୍ସପ୍ରାପ୍ତ ଅଧିକାଂଶ ଦୋକାନ ମାଲିକ ନିଜ ଦୋକାନକୁ ଭଡା ଦେଇଥିବା ନଜରକୁ ଆସିଥିବାବେଳେ ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ଏଭଳି ଚାଲିଥିବା ଜଣାଯାଇଛି । ବିଶେଷକରି ସାଧାରଣ ପ୍ରଶାସନ, ବିଡିଏ, ବିଏମ୍ସି ଆଦି ସରକାରୀ ସଂସ୍ଥାରୁ ଆତ୍ମନିର୍ଭରଶୀଳ ପାଇଁ ଶସ୍ତାରେ ଦୋକାନ ଘର ନେଇଥିବା ଲୋକେ ସେଠାରେ ନିଜେ ବ୍ୟବସାୟ କରିବା ବଦଳରେ ମୋଟା ଅଙ୍କରେ ତାହାକୁ ଭଡା ଦେଇଛନ୍ତି ।
ସ୍କୁଲ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ଖାରବେଳନଗର ଅଞ୍ଚଳରେ ଥିବା ଖାଓଗଳିରେ ମେୟର ସଦଳବଳେ ଚଢଉ କରିବା ସମୟରେ ଦେଖା ଯାଇଥିଲା ଯେ ଯେଉଁ ଯୁବକମାନେ ଏଠାରେ ଦୋକାନ କରିବାପାଇଁ ଲାଇସେନ୍ସ ନେଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ ଦୋକାନକୁ ଭଡାରେ ଲଗାଇଛନ୍ତି । ତେଣୁ ବର୍ତ୍ତମାନ ଏହି ଦିଗ ଉପରେ ବିଏମ୍ସି ଖୋଳତାଡ ଆରମ୍ଭ କରିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ବିଭିନ୍ନ ୟୁନିଟ୍ରେ ବିଡିଏ, ବିଏମ୍ସି ଓ ସାଧାରଣ ପ୍ରଶାସନ ଦୋକାନଘର ନିର୍ମାଣ ସହିତ ତାହାକୁ ବିଭିନ୍ନ ଲୋକଙ୍କୁ ଭଡା ସୂତ୍ରରେ ଦେଇଛନ୍ତି । ଏହି ଭଡାର ପରିମାଣ ଅତି ନଗଣ୍ୟ । ଦୀର୍ଘଦିନ ଧରି ଭଡାରେ ସେଭଳି କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଦୋକାନ ଘର ପାଇଥିବା ଅଧିକାଂଶ ବ୍ୟକ୍ତି ମାସକୁ ମାସ ଭଡା ପଇଠ କରୁଥିଲେ ମଧ୍ୟ ସେମାନେ ଏଠାରେ ନିଜେ ବ୍ୟବସାୟ କରିବା ବଦଳରେ ତାହାକୁ ଭଡାରେ ଲଗାଇ ଦେଇଛନ୍ତି ।
ରାଜଧାନୀରେ ଏବେ ଭେଣ୍ଡିଂ ଜୋନରେ ଦୋକାନଟିଏ ପାଇବାପାଇଁ ବ୍ୟବସାୟୀମାନେ ଡହଳ ବିକଳ ହେଉଥିବାବେଳେ ସେମାନଙ୍କ ମିଳିଥିବା କେତେକ ଭେଣ୍ଡିଂଜୋନ୍ ବି ଭଡାରେ ଲାଗିଛି । ଭେଣ୍ଡିଂ ଜୋନ୍ ନେଇଥିବା ଲୋକେ ଏଥିରୁ ମୋଟା ଅଙ୍କର ଭଡା ଆଦାୟ କରୁଥିବାବେଳେ ଏହିସବୁ ସ୍ଥାନରେ କି ପ୍ରକାର ବ୍ୟବସାୟ ଚାଲୁଛି ତାହା ଉପରେ ବିଏମ୍ସିର ନଜର ନାହିଁ ।
ସେହିଭଳି ସାଧାରଣ ପ୍ରଶାସନ ବିଭାଗରୁ ଦୋକାନଘର ପାଇଥିବା ଅଧିକାଂଶ ଲୋକେ ସେଠାରେ ନିଜର ବ୍ୟବସାୟ କରିବା ବଦଳରେ ତାହାକୁ ଗୋଦାମ ଓ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି । ଖୋଦ ଲୋକସେବା ଭବନ ଆଖପାଖରେ ଏଭଳି ଭଡା କାରବାର ଚାଲୁଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଉଥିବା ଲକ୍ଷ୍ୟ କରାଯାଉନାହିଁ । ଘରଭଡା ଆଦାୟ କରୁଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଥରୁଟିଏ ହେଲେ ଏହାର ଖୋଳତାଡ ହେଉନଥିବାରୁ ବେଧଡକ ଭାବେ ଏଭଳି କାରବାର ଚାଲିଛି । ଖାଓ ଗଳି ଏବେ ବିଏମସିର ଆଖି ଖୋଲିଥିବାବେଳେ ଆଗାମୀ ଦିନରେ ଅନ୍ୟାନ୍ୟ ସ୍ଥାନରେ ଯାଞ୍ଚ ପାଇଁ ବିଏମ୍ସି ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି । (ତଥ୍ୟ)