ଭୁବନେଶ୍ୱର : ଭକ୍ତ କବି ମଧୁସୂଦନ ରାଓଙ୍କୁ ଜମି ଲୁଟେରା ବି ଛାଡି ନାହାନ୍ତି । ତାଙ୍କ ଉପାର୍ଜିତ ଅର୍ଥରେ ଭୁବନେଶ୍ୱରରେ ଭକ୍ତ କବି କିଣିଥିବା ପ୍ରାୟ ୧୦ଏକର ଜମିକୁ ମାଫିଅମାନେ ଜାଲିଆତି କରି ବିକି ଦେଇଛନ୍ତି । ପ୍ରଶାସନ କିମ୍ବା ବ୍ୟକ୍ତିବିଶେଷ ଏହି ଜମି ହଡପ ଘଟଣା ପ୍ରତି ଗୁରୁତ୍ୱାରୋପ କରୁନଥିବାରୁ ଭକ୍ତକବିଙ୍କ ଉତ୍ତରାଧିକାରୀମାନେ ଜମି ଦଖଲ ନେଇପାରୁ ନାହାନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଭକ୍ତ କବି ମଧୁସୂଦନ ରାଓଙ୍କ ରଚିତ ବର୍ଣ୍ଣବୋଧ ଓଡିଆ ଲିପି ସାହିତ୍ୟର ମୂଳଦୂଆ । ପୀଢି ପରେ ପୀଢି ବର୍ଣ୍ଣବୋଧ ପଢି ଓଡିଆ ଭାଷା ଶିଖିଛନ୍ତି । ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ହାଇସ୍କୁଲକୁ ଭକ୍ତକବିଙ୍କ ନାମରେ ନାମିତ କରାଯାଇଛି । ତେବେ ସଂସ୍କୃତି ବିଭାଗ ନିୟନ୍ତ୍ରଣରେ ଥିବା ଓଡିଆ ଭାଷା ପ୍ରତିଷ୍ଠାନ ଭକ୍ତ କବିଙ୍କ ବର୍ଣ୍ଣବୋଧକୁ ବିକୃତ କରି ଛାପିବା ପରେ ସାରା ରାଜ୍ୟରେ ପ୍ରବଳ ପ୍ରତ୍ରିକ୍ରିୟା ପ୍ରକାଶ ପାଇଥିଲା ଏବଂ ହାଇକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଏହି ତ୍ରୁଟିପୂର୍ଣ୍ଣ ବର୍ଣ୍ଣବୋଧ ବିତରଣ ଉପରେ ଅଙ୍କୁଶ ଲାଗିଥିଲା । ହାଇକୋର୍ଟରେ ମାମଲା ଶେଷ ହେବାର ପ୍ରାୟ ୭ବର୍ଷ ପରେ ଆଜି ପୁଣି ମୂଳ ବର୍ଣ୍ଣବୋଧ ପ୍ରକାଶ ପାଇଛି ।
ଭକ୍ତକବିଙ୍କ ଜଣେ ଉତ୍ତରାଧିକାରୀ କହିଛନ୍ତି ଯେ ଭୁବନେଶ୍ୱରର ଜାଗମରା ଅଞ୍ଚଳରେ ଏକଦା ଭକ୍ତକବି ପ୍ରାୟ ୧୦ଏକର ଚାଷଜମି କିଣିଥିଲେ । ବହୁବର୍ଷ ଧରି ତାହା ଭାଗ ଦିଆଯାଉଥିଲା । ପରବର୍ତ୍ତୀ ସମୟରେ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ପାୱାର ଅଫ୍ ଆଟର୍ଣ୍ଣି କରାଯାଇ ଏହି ଜମିକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ଲୋକଙ୍କୁ କିଛି ପ୍ରଭାବଶାଳୀ ଜମି ଦଲାଲ ବିକ୍ରି କରିଦେଇଛନ୍ତି । ଉକ୍ତ ଜମି ଉପରେ ମଧ୍ୟ ଅନେକ ବ୍ୟକ୍ତି ଘର କରିଛନ୍ତି । ଏମିତିକି ଇତି ମଧ୍ୟରେ ଏଥିରୁ କିଛି ଜମି ତିନି ଚାରିଥର ବିକ୍ରି ହୋଇ ସାରିଲାଣି ।
ଓଡିଆ ଅସ୍ମିତା ସହିତ ଭକ୍ତକବି ମଧୁସୂଦନ ରାଓଙ୍କ ସମ୍ପର୍କ ଆବେଗିକ ଭାବେ ଜଡିତ । ଏ ପରିପ୍ରେକ୍ଷୀରେ ଭକ୍ତକବିଙ୍କ ଜମିର ପୁରୁଦ୍ଧାର କରି ତାହା ଉପରେ ଏକ ଭବ୍ୟ ଭାଷା ସ୍ମାରକ ନିର୍ମାଣ ପାଇଁ ତାଙ୍କର କେତେ ଉତ୍ତରାଧିକାରୀ ମଧ୍ୟ କହୁଛନ୍ତି ।
କେବଳ ଭକ୍ତକବି ମଧୁସୂଦନ ରାଓ ନୁହନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୈତୃକ ଗାଁ ଓ ଆଖପାଖରେ ପ୍ରାୟ ୧୬ ଏକର ଚାଷଜମି ମଧ୍ୟ ଅନ୍ୟମାନେ କବଜାକରି ନେଇଥିବା ଘେନି ଅଭିଯୋଗ ହେଉଛି । ଏ ପ୍ରସଙ୍ଗ ବାରମ୍ବାର ଉଠୁଥିଲେ ମଧ୍ୟ ହଡପ ଜମିକୁ ଫେରାଇ ଆଣିବା ଦିଗରେ ପ୍ରଶାସନିକ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁନାହାନ୍ତି । ଏମିତିକି ଯେଉଁ ବ୍ୟକ୍ତି ଓ ସଂଗଠନମାନେ ମଧୁବାବୁଙ୍କ ପୈତୃକ ବାସଗୃହର ସଂରକ୍ଷଣ ପାଇଁ ଏହାକୁ ସରକାର ଦଖଲକୁ ନେବାକୁ ବିବୃତ୍ତି ଜାରି କରୁଛନ୍ତି ସେମାନେ କିନ୍ତୁ ହଡପ ହୋଇଥିବା ୧୬ଏକର ଚାଷଜମିର ପୁନରୁଦ୍ଧାର ପ୍ରସଙ୍ଗରେ ନିରବ ରହୁଛନ୍ତି ।
ଏହି ଦୁଇ ବରପୁତ୍ରଙ୍କ ଛଡା ଓଡିଶା ଇତିହାସ ସହ ଜଡିତ ଆଉ ଅନେକ ଯୁଗପୁରୁଷଙ୍କ ସମ୍ପତ୍ତି ଜମି ମାଫିଅମାନେ ହଡପ କରିଥିବାର ବହୁ ଉଦାହରଣ ରହିଛି । କେବଳ ସେତିକି କାହିଁକି ଓଡିଆ ଜାତିର ଦେବତା ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମେତ ଏକାମ୍ରକ୍ଷେତ୍ରର ପୀଠାଧିପତି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଲାଗି ରହିଥିବା ବ୍ୟାପକ ଜମି ଏବେ ବି ଜବରଦଖଲକାରୀଙ୍କ କବଳରେ ରହିଛି । (ତଥ୍ୟ)