Home Health ଭକ୍ତଙ୍କ ଲାଗି ପ୍ରାଥମିକ ଚିକିତ୍ସା

ଭକ୍ତଙ୍କ ଲାଗି ପ୍ରାଥମିକ ଚିକିତ୍ସା

ପୁରୀ: ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତ, ସେବକ ଓ ମନ୍ଦିର କର୍ମକର୍ତ୍ତାମାନଙ୍କୁ ଆବଶ୍ୟକସ୍ଥଳେ ତତ୍କାଳ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ଶ୍ରୀମନ୍ଦିର ନିକଟରେ ଏକ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ପ୍ରାଥମିକ ଚିକିିତ୍ସା କେନ୍ଦ୍ର ସ୍ଥାପନ କରାଯାଇଛି । ଆସନ୍ତା ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଅବସରରେ ଏହା ଉଦଘାଟିତ ହେବ ।

ଭକ୍ତ, ସେବାୟତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗୋଟିଏ ଶୀତତାପ ନିୟନ୍ତ୍ରିତ କଣ୍ଟେନରରେ ପ୍ରତିଷ୍ଠା ହୋଇଥିବା ଏହି ଆଶୁ ଚିକିତ୍ସା କେନ୍ଦ୍ରରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସେବା ଯୋଗାଇ ଦିଆଯିବ । ଏଠାରେ ତାଲିମପ୍ରାପ୍ତ ମେଡ଼ିକାଲ କର୍ମଚାରୀଙ୍କ ସମେତ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ଚିକିତ୍ସା ସମ୍ବନ୍ଧୀୟ ଅନ୍ୟାନ୍ୟ ଉପକରଣ ମହଜୁଦ ରହିବ । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ।

ପ୍ରାଥମିକ ଚିକିତ୍ସା କେନ୍ଦ୍ରର ସୁପରିଚାଳନା ଲାଗି ଉଭୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣେକରି ନୋଡାଲ ଅଫିସର ନିଯୁକ୍ତ ହେବେ । ଜରୁରୀ ପରିସ୍ଥିତିରେ ଗୁରୁତର ରୋଗୀଙ୍କୁ ଅଧିକ ଚିକିତ୍ସା ଯୋଗାଇଦେବା ଲାଗି ଅନ୍ୟ ଡାକ୍ତରଖାନାକୁ ନେବା ପାଇଁ ଏଠାରେ ସମସ୍ତ ସୁବିଧା ରହିବ ।