ଭୁବନେଶ୍ୱର : କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ପୁଷ୍ଟିହୀନତା ଓ ରକ୍ତହୀନତା ଏବେ ବି ପ୍ରମୁଖ ସମସ୍ୟା ହୋଇ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ବ୍ୟାପକ ଯୋଜନା ସତ୍ତ୍ୱେ ଏହି ସମସ୍ୟା କମିବା ପରିବର୍ତ୍ତେ ବଢ଼ି ଚାଲିଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ଗତ ଦୁଇଟି ରିପୋର୍ଟର ବିଶ୍ଲେଷଣରୁ ଏହି ଉଦ୍ବେଗଜନକ ତଥ୍ୟ ମିଳୁଛି ।
୨୦୨୨ ବର୍ଷରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ୨୦୧୯-୨୧ ବର୍ଷର ସ୍ଥିତିକୁ ନେଇ କରାଯାଇଥିଲା । ଏହା ପୂର୍ବରୁ ୨୦୧୫-୧୬ ବର୍ଷର ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ ରିପୋର୍ଟ ପ୍ରକାଶ ପାଇଥିଲା । ପୂର୍ବାପେକ୍ଷା ବର୍ତ୍ତମାନର ସ୍ଥିତି ଅତି ଗମ୍ଭୀର ଥିବା ଜଣାପଡୁଛି ।
ସମଗ୍ର ଦେଶରେ ୫ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କ ରକ୍ତହୀନତା କ୍ଷେତ୍ରରେ ସଂଗୃହୀତ ତଥ୍ୟ ମୁତାବକ ଜାତୀୟ ସ୍ୱାସ୍ଥ୍ୟ ସର୍ଭେ-୪ର ରିପୋର୍ଟରେ ୫୮.୬ ପ୍ରତିଶତ ଶିଶୁଙ୍କଠାରେ ରକ୍ତହୀନତା ଥିବା ଉଲ୍ଲେଖ ଥିବାବେଳେ ସ୍ୱାସ୍ଥ୍ୟ ସର୍ଭେ-୫ ରିପୋର୍ଟରେ ଏହା କମିବା ପରିବର୍ତ୍ତେ ବୃଦ୍ଧି ପାଇ ୬୭.୧ ପ୍ରତିଶତ ହୋଇଛି । ସେହିଭଳି ୧୫ରୁ ୪୯ ବର୍ଷ ବୟସ୍କ ଅଣଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ରକ୍ତହୀନତାର ହାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ-୬ରେ ୫୩.୨ ପ୍ରତିଶତ ଦର୍ଶାଯାଇଥିବା ବେଳେ ସ୍ୱାସ୍ଥ୍ୟ ସର୍ଭେ-୫ରେ ଏହା ୫୭.୨ ପ୍ରତିଶତ ରହିଛି ।
ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଗତ ରିପୋର୍ଟରେ ରକ୍ତହୀନତା ହାର ଯାହା ଥିଲା ବର୍ତ୍ତମାନର ରିପୋର୍ଟରେ ତାହା ବି ଅଧିକ ରହୁଛି । ମୋଟାମୋଟି ଭାବେ ଦେଶର ୫୭ରୁ ୫୯ ପ୍ରତିଶତ ମହିଳା ରକ୍ତହୀନତା ଭୋଗୁଥିବା ବେଳେ ପୁରୁଷମାନଙ୍କ କ୍ଷେତ୍ରରେ ଏହି ହାର ୨୫ରୁ ୩୧ ପ୍ରତିଶତ ରହିଛି ।
ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ-୪ ମୁତାବକ ଓଡ଼ିଶାରେ ୫ବର୍ଷ ବୟସ ପର୍ଯ୍ୟନ୍ତ ୪୪.୬ ପ୍ରତିଶତ ଶିଶୁ ରକ୍ତହୀନତାରେ ପୀଡିତ ଥିବାବେଳେ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ-୫ ମୁତାବକ ଏହା ୬୪.୨ ପ୍ରତିଶତ ରହିଛି । ମହିଳାମାନଙ୍କ କ୍ଷେତ୍ରରେ ଓଡ଼ିଶାରେ ୫୧ ପ୍ରତିଶତ ପୂର୍ବ ରିପୋର୍ଟ ଅନୁଯାୟୀ ରକ୍ତହୀନତା ଭୋଗୁଥିବା ବେଳେ ସର୍ବଶେଷ ରିପୋର୍ଟରେ ଏହି ହାର ୬୪ରୁ ୬୫ ପ୍ରତିଶତ ଥିବା ଦର୍ଶାଯାଇଛି । ତେବେ ଗତ ରିପୋର୍ଟରେ ରାଜ୍ୟରେ ପୁରୁଷମାନଙ୍କ କ୍ଷେତ୍ରରେ ରକ୍ତହୀନତାର ହାର ୨୮ରୁ ୩୦ ପ୍ରତିଶତ ମଧ୍ୟରେ ଥିବାବେଳେ ଏବେ ତାହା ପ୍ରାୟ ଅପରିବର୍ତ୍ତିତ ରହିଛି ।
ବୟସ ଅନୁପାତରେ ଉଚ୍ଚତା ଏବଂ ଓଜନ ଅନୁପାତରେ ଉଚ୍ଚତା କ୍ଷେତ୍ରରେ ଜାତୀୟ ଓ ରାଜ୍ୟ ସ୍ତରରେ କିଛିଟା ସୁଧାର ଆସିଥିଲେ ମଧ୍ୟ ଏବେ ବି ୫ବର୍ଷ ବୟସରୁ କମ୍ ପ୍ରତି ୩ ଜଣରେ ଜଣେ ଶିଶୁର ଉଚ୍ଚତା ବୟସ ଅନୁପାତରେ କମ୍ ରହୁଥିବା ବେଳେ ପ୍ରତି ୫ଜଣରେ ଜଣେ ଶିଶୁର ଓଜନ ଉଚ୍ଚତା ଅନୁପାତରେ ଆମ ଦେଶରେ କମ୍ ରହୁଛି । ଏହା ଅପପୁଷ୍ଟିର ପ୍ରମୁଖ ଲକ୍ଷଣ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଶିଶୁ ଓ ଗର୍ଭବତୀ ମା’ମାନଙ୍କର ରକ୍ତହୀନତା ଓ ପୁଷ୍ଟିହୀନତା ଦୂର କରିବା ପାଇଁ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ସମେତ ସାରା ଦେଶରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ଅଣ୍ଡା, ଛତୁଆ ସମେତ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଏବଂ ସ୍ଥଳ ବିଶେଷରେ ଔଷଧ ମଧ୍ୟ ମାଗଣାରେ ବିତରଣ କରାଯାଉଛି । ଏହାଛଡା ଆଶାକର୍ମୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ଘରକୁ ଘର ବୁଲି ସ୍ଥିତିରେ ଉନ୍ନତି ଆଣିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି ।
ବିଶେଷକରି ୨୦୨୦ରୁ କୋଭିଡ ଆତଙ୍କ ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ଅନେକ ପରିବାରର ରୋଜଗାର ଉପରେ ପ୍ରତିକୂଳ ପ୍ରଭାବ ପଡିବା ପରିପ୍ରେକ୍ଷୀରେ ରକ୍ତହୀନତା ଓ ପୁଷ୍ଟିହୀନତା ସମସ୍ୟା ପୂର୍ବାପେକ୍ଷା କିଛି ଅଧିକ ଦେଖାଯାଉଥିବା ବେଳେ ଆଗାମୀ ଦିନରେ ଏହା ନିୟନ୍ତ୍ରଣକୁ ଆସିଯିବ ବୋଲି ଉଭୟ ଶିଶୁ ଓ ମହିଳା ବିକାଶ ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଆଶାବ୍ୟକ୍ତ କରୁଛନ୍ତି । (ତଥ୍ୟ)