Home Administration ବଢ଼ିଲା ମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ

ବଢ଼ିଲା ମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ

ଭୁବନେଶ୍ୱର : ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ବନ୍ଧା ପଡ଼ିଥିବା ମନ୍ତ୍ରୀମାନଙ୍କ କ୍ଷମତା ଏବେ ବନ୍ଧନମୁକ୍ତ ହେବାକୁ ଯାଉଛି । କ୍ୟାବିନେଟ୍‍ ବୈଠକ ଲାଗି ଅଫିସରମାନଙ୍କର ଯେଉଁ ଦବ୍‍ଦବା ଥିଲା ତାହାକୁ ସଂକୁଚିତ କରି ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଗଢ଼ାଯାଇଥିବା କ୍ୟାବିନେଟ୍‍ ନିକଟକୁ ପୁଣି ତାହା ଫେରାଇ ଅଣାଯାଉଛି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ନିଷ୍ପତ୍ତିକୁ ଦଳମତ ନିର୍ବିଶେଷରେ ସ୍ୱାଗତ କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ରାଜ୍ୟ କ୍ୟାବିନେଟ୍‍ ବୈଠକରେ ବହୁ ନୀତିଗତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ । ବିଭିନ୍ନ ବିଭାଗ ସେମାନଙ୍କର ପ୍ରସ୍ତାବ ଉପରେ ତର୍ଜମା କରିବା ପରେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଏହି ପ୍ରସ୍ତାବ କ୍ୟାବିନେଟ୍‍ର ଆଲୋଚନା ଓ ମଞ୍ଜୁରୀ ପାଇଁ ଆସିଥାଏ । ପୂର୍ବରୁ ବେଳେ ବେଳେ ବିଭିନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ୍‍ରେ ଘମାଘୋଟ ଆଲୋଚନା ସହ ତର୍କ ବିତର୍କ ବି ହେଉଥିଲା ଏବଂ ସ୍ଥଳ ବିଶେଷରେ ନିର୍ଦ୍ଦିଷ୍ଟ ପ୍ରସ୍ତାବକୁ ପରବର୍ତ୍ତୀ କ୍ୟାବିନେଟ୍‍ରେ ଆଲୋଚନା ପାଇଁ ରଖାଯିବାର ବହୁ ନଜିର ରହିଛି । ତେବେ ୨୦୧୨ ମସିହା ପରଠାରୁ ଏହି ପ୍ରକ୍ରିୟାକୁ ସଂକୁଚିତ କରିଦିଆଯାଇଥିଲା ।

ପୂର୍ବ ସରକାରର ଅନେକ ମନ୍ତ୍ରୀ କ୍ୟାବିନେଟ୍‍ ପୂର୍ବରୁ କ୍ୟାବିନେଟ୍‍ ପ୍ରସ୍ତାବ ସଂପର୍କରେ ଜାଣୁନଥିଲେ । ପ୍ରଥା ଅନୁଯାୟୀ ଏମାନଙ୍କୁ କ୍ୟାବିନେଟ୍‍ ଏଜେଣ୍ଡା କିମ୍ବା ପ୍ରସ୍ତାବ ପତ୍ର ଆଦି ବୈଠକ ପୂର୍ବରୁ ପ୍ରସ୍ତୁତି ଲାଗି ଦିଆଯାଉନଥିଲା । କ୍ୟାବିନେଟ୍‍ ବୈଠକରେ ଉପସ୍ଥିତ ମନ୍ତ୍ରୀମାନଙ୍କ ଦସ୍ତଖତ ନେଇ ଅନେକ ବୈଠକ କେଇ ମିନିଟ୍‍ ଭିତରେ ସରିଯାଉଥିଲା । ଫଳରେ ଗଣମାଧ୍ୟମର ପ୍ରତିନିଧିମାନେ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ପ୍ରସ୍ତାବ ସଂପର୍କରେ ପଚାରିବା ବେଳେ ସେମାନେ ନିଜେ ଏହାର ଉତ୍ତର ରଖିବା ପରିବର୍ତ୍ତେ ଏ ସଂକ୍ରାନ୍ତରେ ଜାଣିନଥିବାରୁ ସଚିବଙ୍କୁ ପଚାରିବା ପାଇଁ କହିବା ଘଟଣା ବାରମ୍ବାର ଅତୀତରେ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଏମିତିକି କ୍ୟାବିନେଟ୍‍ ବୈଠକରେ ପ୍ରାୟ ସବୁ ବିଭାଗର ଅଧିକାରୀମାନଙ୍କୁ ବସିବାକୁ ବି ସୁଯୋଗ ଦିଆଯାଉଥିଲା ।

ଇତିମଧ୍ୟରେ ରାଜ୍ୟ ସରକାର ଏହି ପରମ୍ପରାକୁ ବିସର୍ଜନ ଦେବା ପାଇଁ ନିଷ୍ପତ୍ତି ନେବାରୁ ସଂସଦୀୟ ବ୍ୟାପାର ବିଭାଗ ସୂଚନା ଜାରି କରିଛି । କେଉଁଦିନ କ୍ୟାବିନେଟ୍‍ ବୈଠକ ବସିବ ତାହା ଅତିକମ୍‍ରେ ୫ଦିନ ପୂର୍ବରୁ ସ୍ଥିର ହେବ । ଫଳରେ ମନ୍ତ୍ରୀମାନେ କ୍ୟାବିନେଟ୍‍ ସମୟରେ ଅନ୍ୟ କାର୍ଯ୍ୟକ୍ରମ ରଖିବେ ନାହିଁ । କେବଳ ସେତିକି ନୁହେଁ, କ୍ୟାବିନେଟ୍‍ରେ କେଉଁସବୁ ପ୍ରସ୍ତାବ ଆଲୋଚନା ପାଇଁ ଆସିବ ତାହା ବିଭାଗୀୟ ମନ୍ତ୍ରୀଙ୍କ ଜ୍ଞାତ ସାରରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସ୍ଥିର ହେବ ଏବଂ ଏହି ପ୍ରସ୍ତାବ କ୍ୟାବିନେଟ୍‍ ବସିବାର ଅନ୍ୟୁନ ୩ଦିନ ପୂର୍ବରୁ ଚୂଡ଼ାନ୍ତ ହେବ । କେବଳ ସେତିକି ନୁହେଁ, ବିଭିନ୍ନ ବିଭାଗର କ୍ୟାବିନେଟ୍‍ ଏଜେଣ୍ଡା ସହ ବିସ୍ତୃତ ପ୍ରସ୍ତାବର ପ୍ରତିଲିପି ମନ୍ତ୍ରୀମାନଙ୍କୁ ବୈଠକର ଅନ୍ତତଃ ଦୁଇଦିନ ପୂର୍ବରୁ ଜଣାଇ ଦିଆଯିବ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ମନ୍ତ୍ରୀମାନେ କ୍ୟାବିନେଟ୍‍ ପ୍ରସ୍ତାବ ସଂକ୍ରାନ୍ତରେ ପ୍ରସ୍ତୁତ ହୋଇ ବୈଠକକୁ ଆସିପାରିବେ ଏବଂ ବୈଠକରେ ସକରାତ୍ମକ ଆଲୋଚନା ମଧ୍ୟ କରିପାରିବେ ବୋଲି ଆଶା କରାଯାଉଛି ।

ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଏଣିକି କ୍ୟାବିନେଟ୍‍ ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ଛଡ଼ା ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ସଂସଦୀୟ ବ୍ୟାପାର ବିଭାଗର ସଚିବ ଉପସ୍ଥିତ ରହିପାରିବେ । ଅନ୍ୟ ସଚିବମାନେ କ୍ୟାବିନେଟ୍‍ ପ୍ରକୋଷ୍ଠର ପାଖରେ ଥିବା ଅନ୍ୟ କକ୍ଷରେ ବୈଠକ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରି ରହିବେ ଏବଂ ଯଦି କୌଣସି ବିଭାଗର ସଚିବଙ୍କ ଉପସ୍ଥିତି ଅନୁଭବ କରାଯିବ ତେବେ ସେମାନଙ୍କୁ କ୍ୟାବିନେଟ୍‍ ପ୍ରକୋଷ୍ଠକୁ ଡକାଯାଇପାରିବ ।

୨୦୧୨ ପର୍ବରୁ ମନ୍ତ୍ରୀମାନଙ୍କ ନିକଟକୁ କ୍ୟାବିନେଟ୍‍ ଏଜେଣ୍ଡା ସହ ବିଭାଗୱାରୀ ବିସ୍ତୃତ ପ୍ରସ୍ତାବ ପଠାଯାଉଥିଲା । ହଠାତ୍‍ ଏହା କାହିଁକି ବନ୍ଦ କରିଦିଆଯାଇ ସଚିବ କୈନ୍ଦ୍ରୀକ କରି ମନ୍ତ୍ରୀମାନଙ୍କ କ୍ଷମତାକୁ ସଂକୁଚିତ କରାଗଲା ସେ ସଂକ୍ରାନ୍ତରେ କିନ୍ତୁ କେହି କିଛି କହୁନାହାନ୍ତି । (ତଥ୍ୟ)