ଭୁବନେଶ୍ୱର : ଶାରୀରିକ ଭିନ୍ନକ୍ଷମମାନଙ୍କ ପାଇଁ ଚାଲିଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନକୁ ରାଜ୍ୟ ସରକାର ୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରଖିବେ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଜିଲ୍ଲା ପ୍ରଶାସନଗୁଡିକୁ ଜଣାଇ ଦିଆଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ୨୦୧୬-୧୭ ବର୍ଷରୁ ଆରମ୍ଭ ହୋଇ ୫ବର୍ଷ ପର୍ଯ୍ୟନ୍ତ ଚାଲିବାର ଥିଲା । ତେବେ ୨୦୨୧-୨୨ ଆର୍ଥିକ ବର୍ଷ ପରେ ଏହାକୁ ବନ୍ଦ ନ କରି ରାଜ୍ୟ ସରକାର ଉକ୍ତ ଯୋଜନାକୁ ଏବେ ଆଉ ୫ବର୍ଷ ବଢ଼ାଇଥିବା ବିଷୟ ଶାରୀରିକ ଭିନ୍ନକ୍ଷମ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁମିତା ନାୟକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ଲେଖିଥିବା ଏକ ପତ୍ରରେ ଦର୍ଶାଇଛନ୍ତି ।
ତେବେ ଏଥର ଏହି ଅଭିଯାନରେ ଯେଉଁ ଭିନ୍ନକ୍ଷମମାନେ ସାମିଲ ହେବେ ସେ ସମସ୍ତଙ୍କ ଆଧାର ଲିଙ୍କ୍ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ଶାରୀରିକ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ ବେଳେ ଆଧାର ଲିଙ୍କର ବ୍ୟବହାର କରାଯିବା ସହିତ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଯଦି କୌଣସି ଆର୍ଥିକ ସହାୟତା ଦିଆଯାଏ ତେବେ ତାହା ମଧ୍ୟ ସେମାନଙ୍କ ଆଧାର ଲିଙ୍କ୍ ଥିବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଯୋଗାଇ ଦିଆଯିବ ।
ଏହି ଯୋଜନା ମୁତାବକ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ସାମର୍ଥ୍ୟ ଶିବିରମାନ ଆୟୋଜନ କରାଯାଇ ଶାରୀରିକ ଭିନ୍ନକ୍ଷମମାନଙ୍କୁ ସାର୍ଟିଫିକେଟ ପ୍ରଦାନ ସହିତ ବିଭିନ୍ନ ଉପକରଣ ଏବଂ ଆବଶ୍ୟକସ୍ଥଳେ ଆର୍ଥିକ ସହାୟତା ଦିଆଯିବ । ଏଥିଲାଗି ଗୋଟିଏ ଗୋଟିଏ ଶିବିରରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଖର୍ଚ୍ଚ ହୋଇପାରେ ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି ।
ଶାରୀରିକ ଭିନ୍ନକ୍ଷମମାନେ ଉପଯୁକ୍ତ ସାର୍ଟିଫିକେଟ୍ ଅଭାବରୁ ସାଧାରଣ ସେବା ପାଇବା କ୍ଷେତ୍ରରେ ବହୁ ସମୟରେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି । ଶିବିର ମାଧ୍ୟରେ ସେମାନଙ୍କ ହାତପାଆନ୍ତାରେ ସାର୍ଟିଫିକେଟ ଓ ଆବଶ୍ୟକୀୟ ଅନ୍ୟାନ୍ୟ ସରଞ୍ଜାମ ଯୋଗାଇ ଦେବା ବେଳେ ଶାରୀରିକ ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଚାଲିଥିବା ଅଭିଯାନ ସଫଳ ହେବ ବୋଲି ଆଶା କରାଯାଉଛି ।
ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ ସୁବିଧା ରହିଥିବା ବେଳେ ଉଚ୍ଚଶିକ୍ଷା ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍କଲାରସିପ୍ର ବ୍ୟବସ୍ଥା ରହିଛି । ଏମିତିକି ଭିନ୍ନକ୍ଷମଙ୍କ ପିଲାମାନେ ବି ଏଭଳି ବୃତ୍ତି ପାଇବାକୁ ହକ୍ଦାର । ତେବେ କେତେକ କ୍ଷେତ୍ରରେ ଆଇନର ତ୍ରୁଟିପୂର୍ଣ୍ଣ ତର୍ଜମା ଉପରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭିନ୍ନକ୍ଷମମାନେ ସକ୍ଷମମାନଙ୍କଠାରୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଧିକ ନମ୍ବର ରଖିଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ମିଳୁନଥିବା ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିଛି ଏବଂ ଏ ସଂକ୍ରାନ୍ତରେ ମାମଲା ଆଗକୁ ନ ବଢ଼ାଇ ଲୋକସେବା ଆୟୋଗ ଅଧିକ ନମ୍ବର ରଖିଥିବା ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ କାଏମ ରଖି ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ନାମ ପଠାଇବା ଲାଗି ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆୟୋଗଙ୍କୁ ବାରମ୍ବାର ପତ୍ର ଲେଖୁଛନ୍ତି ।
୧୪ବର୍ଷରୁ କମ୍ ଭିନ୍ନକ୍ଷମ ପିଲାମାନଙ୍କୁ ଓପେପା ପାଣ୍ଠିରୁ ଅର୍ଥ ଖର୍ଚ୍ଚକରି ଉପକରଣ ଯୋଗାଇ ଦେବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ସରକାର କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୧ର ଜନଗଣନା ଅନୁଯାୟୀ ଓଡ଼ିଶାରେ ୧୨,୪୪,୪୦୨ ଜଣ ଶାରୀରିକ ଭିନ୍ନକ୍ଷମ ଥିଲେ । ଯାହା ରାଜ୍ୟ ଜନସଂଖ୍ୟାର ଶତକଡା ୨.୯୬ ଭାଗ । ଏ କ୍ଷେତ୍ରରେ ଜାତୀୟ ହାର ୨.୨୧ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ଅଧିକ ୦.୭୫ ପ୍ରତିଶତ ରହିଛି । (ତଥ୍ୟ)