ଭୁବନେଶ୍ୱର : ବ୍ୟାଙ୍କ୍ ଶାଖା ନଥିବା ରାଜ୍ୟର ୪୩୭୩ଟି ପଞ୍ଚାୟତରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ୍ ଯଥା ଭାରତୀୟ ଷେଟ ବ୍ୟାଙ୍କ୍, ପଞ୍ଜାବ ନେସନାଲ ବ୍ୟାଙ୍କ୍, ୟୁକୋ ବ୍ୟାଙ୍କ୍, ୟୁନିୟନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସହିତ ସମନ୍ୱୟ ରକ୍ଷା କରି ସିଏସ୍ସି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେ୍ଟ ଖୋଲିବା ଯୋଜନାକୁ ଆଜି ରାଜ୍ୟ କ୍ୟାବିନେଟ୍ ସବୁଜ ସଙ୍କେତ ଦେଇଛି । ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟ୍ ସହାୟତା ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ରେ ପାରିତ ଏହି ପ୍ରସ୍ତାବ ସଂକ୍ରାନ୍ତରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଓଡିଶା ସରକାରଙ୍କର ମୁଖ୍ୟ କାର୍ଯ୍ୟକ୍ରମ । ହେଲେ ରାଜ୍ୟର ଅଧିକାଂଶ ସ୍ଥାନରେ ବ୍ୟାଙ୍କ୍ର ଉପସ୍ଥିତି ଢେର କମ୍ ରହିଛି ।
ରାଜ୍ୟର ମୋଟ୍ ୬୭୯୮ଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ପଞ୍ଚାୟତ ଅର୍ଥାତ୍ ୪୩୭୩ଟିରେ ସ୍ଥାୟୀ ବ୍ୟାଙ୍କ୍ ଶାଖା ନାହିଁ । ଆର୍ଥିକ ଅର୍ନ୍ତଭୁକ୍ତିକରଣ ପାଇଁ ବ୍ୟାଙ୍କସେବା ଜରୁରୀ ହୋଇଥିବାରୁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ପାଇଁ ଏକ ସ୍ଥାୟୀ ବ୍ୟାଙ୍କ ଶାଖାର ଆବଶ୍ୟକତା ରହିଛି ।
ବ୍ୟାଙ୍କଗୁଡିକ ଦ୍ୱାରା ବ୍ୟାଙ୍କ୍ ବିହୀନ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ୍ ଶାଖାର ସ୍ଥାପନ କ୍ଷେତ୍ରରେ ଅଗ୍ରଗତି ଅତ୍ୟନ୍ତ ମନ୍ଥର ଏବଂ ନଗଣ୍ୟ । ତେଣୁ ସିଏସ୍ସି ପ୍ଲସ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବାପାଇଁ ଓଡିଶା ସରକାର ଏକ ଉଚ୍ଚାଭିଳାସୀ ଲକ୍ଷ୍ୟ ନେଇ ଆଗେଇ ଆସିଛନ୍ତି ।
ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ରେ ସିଏସସି ପ୍ଲସ ବ୍ୟାଙ୍କିଙ୍ଗ୍ ଆଉଟଲେ୍ଟ ମାଧ୍ୟମରେ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ୍ ବିହୀନ ୪୩୭୩ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବାପାଇଁ ଏହି ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ । ଏହି ସେବା ପାଇଁ ଓଡିଶା ସରକାର ୫ବର୍ଷ ପର୍ଯ୍ୟନ୍ତ ମାଗଣାରେ ଘର ଯୋଗାଇ ଦେବେ । ଏହା ବାଦ୍ ରାଜ୍ୟ ସରକାର ମଧ୍ୟ ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ବର୍ଷ ପାଇଁ ଚଳନ୍ତି ଖର୍ଚ୍ଚ ବହନ କରିବେ ।
ଏହି ଯୋଜନା ରାଜ୍ୟରେ ଆର୍ଥିକ ଅର୍ନ୍ତଭୁକ୍ତିକରଣକୁ ବଡ ଧରଣର ପ୍ରୋତ୍ସାହନ ଦେବ । ରାଜ୍ୟର ସମସ୍ତ ବ୍ୟାଙ୍କ୍ ବିହୀନ ପଞ୍ଚାୟତରେ ରହୁଥିବା ଲୋକମାନେ ମାଗଣାରେ ସବୁ ପ୍ରକାର ବ୍ୟାଙ୍କିଙ୍ଗ୍ ସେବା ପାଇପାରିବେ । ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ସେମାନଙ୍କ ଘର ଦୁଆର ମୁହଁରେ ଡିବିସି ଯୋଜନାର ସୁବିଧା ସହିତ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସେବା ପାଇପାରିବେ ।