Home Finance ବ୍ୟାଙ୍କିଙ୍ଗ୍‍ ଆଉଟ୍‍ଲେଟ୍‍ ପାଇଁ ଚିନ୍ତାରେ ସିଏସ୍‍ପି

ବ୍ୟାଙ୍କିଙ୍ଗ୍‍ ଆଉଟ୍‍ଲେଟ୍‍ ପାଇଁ ଚିନ୍ତାରେ ସିଏସ୍‍ପି

ଭୁବନେଶ୍ୱର : ରାଜ୍ୟ ସରକାର ୪୩୭୩ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‍ ସେବା ଯୋଗାଇବାପାଇଁ ସେଠାରେ ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡିକ ସହାୟତାରେ “ସିଏସ୍‍ପି ପ୍ଲସ” ବ୍ୟାଙ୍କିଙ୍ଗ୍‍ ଆଉଟଲେଟ୍‍ ଖୋଲିବାକୁ ଯୋଜନା କରିଥିବାବେଳେ ପୂର୍ବରୁ ସେଠାରେ କାର୍ଯ୍ୟରତ ବିଭିନ୍ନ ବ୍ୟାଙ୍କ୍‍ର “ସିଏସ୍‍ପି” ଗୁଡିକ ଏବେ ଚିନ୍ତାରେ ପଡିଛନ୍ତି । ସରକାରଙ୍କର ଏହି ଯୋଜନାରେ ପ୍ରଥମେ ସେମାନଙ୍କୁ ସାମିଲ ପାଇଁ ଦାବି ଉଠିବା ଆରମ୍ଭ କଲାଣି ।

ଦୀର୍ଘଦିନ ହେଲା ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥା ଓ ରାଷ୍ଟ୍ରାୟତ ବ୍ୟାଙ୍କ୍‍ ସହାୟତାରେ ପଞ୍ଚାୟତଗୁଡିକରେ ଗ୍ରାହକ ସେବା କେନ୍ଦ୍ର ବା ସିଏସ୍‍ପି କାର୍ଯ୍ୟ କରୁଛି । ସେଠାରେ ଋଣ ପ୍ରଦାନକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ବ୍ୟାଙ୍କିଙ୍ଗ୍‍ ସେବା ସହିତ ସାମାଜିକ ସୁରକ୍ଷା ଯୋଜନାରେ ବୀମା, ଭତ୍ତା ପ୍ରଦାନ ଆଦିର ସେବା ମିଳୁଛି । ତେବେ ଏହି ସିଏସ୍‍ପି ଚଳାଉଥିବା ବ୍ୟକ୍ତିମାନେ ନିଜ ହାତରୁ ଘରଭଡା ଦେବା ସହିତ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ଓ ଗ୍ରାହକ ସେବାରୁ ମିଳୁଥିବା କମିଶନରେ କୌଣସି ପ୍ରକାରେ ଚଳି ଯାଉଛନ୍ତି । ମହାମାରୀ କୋଭିଡ ସମୟରେ ଏହି ସିଏସ୍‍ପିଗୁଡିକ ପଞ୍ଚାୟତ ସ୍ତରରେ ବ୍ୟାଙ୍କିଙ୍ଗ୍‍ସେବା କ୍ଷେତ୍ରରେ ବରଦାନ ସଦୃଶ୍ୟ ହୋଇଥିଲେ ।

ଏବେ ରାଜ୍ୟ ସରକାର ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ୍‍ ସହାୟତାରେ ୪୩୭୩ ପଞ୍ଚାୟତରେ “ସିଏସ୍‍ପି ପ୍ଲସ” ଖୋଲିବା ସହିତ ଏଥିପାଇଁ ଅର୍ଥ ପ୍ରଦାନ କରିବାକୁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏଥିରେ ସିଏସ୍‍ସି ପ୍ଲସ ଖୋଲିବାପାଇଁ ୫ବର୍ଷ ସକାଶେ ମାଗଣାରେ ଘର, ଏକ କାଳୀନ ପାଣ୍ଠି ଯୋଗାଣ ସହିତ ୩ବର୍ଷ ପାଇଁ ଚଳନ୍ତି ଖର୍ଚ୍ଚ ସକାଶେ ଅର୍ଥ ପ୍ରଦାନ କରିବେ ।

ତେବେ ସରକାରଙ୍କ ଏହି ଘୋଷଣା କରିବା ସମୟରେ ପଞ୍ଚାୟତ ସ୍ତରରେ ସେବା ଯୋଗାଉଥିବା ସିଏସ୍‍ପିଗୁଡିକ କଥା ବିଚାରକୁ ନେଇନଥିବା ଅଭିଯୋଗ ଆଣିବା ସହିତ ଏ ନେଇ ଜିଲ୍ଲାପାଳଙ୍କୁ ଭେଟିବାଲାଗି ସିଏସପି ଅପରେଟରମାନେ ଏକାଠି ହେବାରେ ଲାଗିଛନ୍ତି । ଜଗତ୍‍ସିଂହପୁର ଜିଲ୍ଲାରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହିତ ଯେଉଁ ପଞ୍ଚାୟତରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‍ର ସିଏସ୍‍ପିଗୁଡିକ କାର୍ଯ୍ୟ କରୁଛି ସେଠାରେ ଅନ୍ୟ ବ୍ୟାଙ୍କ୍‍କୁ ସିଏସ୍‍ପି ପ୍ଲସ ଖୋଲିବାପାଇଁ ଅନୁମତି ନଦେବାକୁ ଦାବି ହେଉଛି । ଯଦି ସରକାର ସିଏସ୍‍ପି ପ୍ଲସ ଖୋଲିବାକୁ ଯାଉଛନ୍ତି ତେବେ କୋଭିଡ ଭଳି ମହାମାରୀ ସମୟରେ ସେବା ଜାରି ରଖିଥିବା ଏସ୍‍ବିଆଇର ସିଏସ୍‍ପିଗୁଡିକୁ ଅଗ୍ରାଧିକାର ଦେବା ସହିତ ସେମାନଙ୍କୁ ସରକାରଙ୍କ ଘୋଷଣା ମୁତାବକ ସମସ୍ତ ସହାୟତା ଯୋଗାଇ ଅଧିକ ମଜବୁତ କରିବାକୁ ଦାବି ଉଠାଲାଣି ।

ଉଲ୍ଲେଖନୀୟ ଯେ ଜଗତ୍‍ସିଂହପୁର ଜିଲ୍ଲାରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ୍‍ ସହାୟତାରେ ୧୦୧ଟି ସିଏସ୍‍ପି ପ୍ଲସ ଖୋଲିବାପାଇଁ ଯୋଜନା ହୋଇଥିବାବେଳେ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏସ୍‍ବିଆଇର ୧୨୦ରୁ ଅଧିକ ସିଏସ୍‍ପି କାର୍ଯ୍ୟ କରୁଛି । ଏହି ସିଏସ୍‍ପିଗୁଡିକ ସାମାଜିକ ସୁରକ୍ଷା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବୀମାର ଲକ୍ଷ୍ୟ ପୂରଣ କରିପାରୁ ନଥିବାରୁ କର୍ତ୍ତୃପକ୍ଷ ସେମାନଙ୍କ କମିଶନ କାଟିବାରେ ଲାଗିଛନ୍ତି ।

ଯଦି ସେମାନଙ୍କ ସିଏସ୍‍ପି ନିକଟରେ ସରକାର ଆଉ ଗୋଟିଏ ଲେଖାଁଏ ସିଏସ୍‍ପି ପ୍ଲସ ନିଜ ଅର୍ଥରେ ସ୍ଥାପନ କରିବେ ତେବେ ମହାମାରୀ ସମୟରେ ଲୋକଙ୍କୁ ନିରନ୍ତର ସେବା ଯୋଗାଇଥିବା ଏହି ସିଏସ୍‍ପିଗୁଡିକ ପ୍ରଭାବିତ ହେବା ସହିତ ଆଗାମୀ ଦିନରେ ବନ୍ଦ ହୋଇଯିବ ଏବଂ ସରକାରୀ ସହାୟତା ବନ୍ଦ ପରେ ସରକାରଙ୍କ ପ୍ରୋତ୍ସାହନରେ ଖୋଲିଥିବା ସିଏସ୍‍ପି ପ୍ଲସଗୁଡିକ ମଧ୍ୟ ଅନୁରୂପ ଦଶା ଭୋଗିବ ବୋଲି କୁହାଯାଉଛି । ତେଣୁ ସିଏସ୍‍ପି ପ୍ଲସ ଖୋଲିବା ପୂର୍ବରୁ ନିରନ୍ତର ସେବା ଜାରି ରଖିଥିବା ସିଏସ୍‍ପିଗୁଡିକୁ ପ୍ରଥମେ ବିଚାରକୁ ନେବାପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଏବେ ଦାବି ଉଠିବାରେ ଲାଗିଲାଣି । (ତଥ୍ୟ)