ଭୁବନେଶ୍ୱର : ଓଡ଼ିଶାରେ ବ୍ୟାବସାୟିକ ବ୍ୟାଙ୍କଗୁଡିକ ଯେତେ ଜମା ସଂଗ୍ରହ କରୁଛନ୍ତି ତାହାର ଅଧା ବି ରାଜ୍ୟରେ ବିନିଯୋଗ କରୁନାହାନ୍ତି । ଓଡ଼ିଶାରୁ ସଂଗୃହୀତ ଅର୍ଥ ଏହି ବ୍ୟାଙ୍କମାନେ ଅନ୍ୟତ୍ର ଖଟାଉଛନ୍ତି । ବିଶେଷକରି କୃଷିଋଣ ଦେବା ପାଇଁ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କଗୁଡିକ କୁନ୍ଥୁ କୁନ୍ଥୁ ହେଉଥିବା ବେଳେ ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ସମବାୟ ବ୍ୟାଙ୍କ ।
କେନ୍ଦ୍ର ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟର ତଥ୍ୟ ମୁତାବକ ଓଡ଼ିଶାରେ କାରବାର କରୁଥିବା ସିଡ୍ୟୁଲ୍ଡ ବ୍ୟାଙ୍କଗୁଡିକ ୨୦୨୦-୨୧ ବର୍ଷରେ ୩,୩୬,୫୬୭ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ଋଣ ଦେଇଛନ୍ତି ୧,୪୩,୬୭୬ କୋଟି ଟଙ୍କା । ପୂର୍ବବର୍ଷମାନଙ୍କରେ ବି ସ୍ଥିତି ଏହିପରି ଥିବାରୁ ଅଧିକ ଋଣ ମଞ୍ଜୁର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯିବା ସତ୍ତ୍ୱେ ବି ସ୍ଥିତିରେ ବିଶେଷ ସୁଧାର ଆସୁନାହିଁ ।
ଫଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସ୍ୱରୋଜଗାର ଯୋଜନାଠାରୁ ଆରମ୍ଭ କରି କୃଷି ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଓଡ଼ିଶାରେ ଏହି ବ୍ୟାଙ୍କଗୁଡିକ ଠାରୁ ଆଶାନୁରୂପ ପୁଞ୍ଜି ମିଳୁନାହିଁ । ଗୋଟିଏପଟେ ରାଜ୍ୟ ସରକାରଙ୍କ ଟ୍ରେଜେରୀ ଓ ଅନ୍ୟ ଆକାଉଣ୍ଟଗୁଡିକର କାରବାର ମୁଖ୍ୟତଃ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କଗୁଡିକରେ ହେଉଛି ଏବଂ ବଜେଟର ମୁଖ୍ୟାଂଶ ଏମାନଙ୍କ ପାଖରେ ଜମା ରହୁଛି । ଅଥଚ ସରକାରୀ ନେଣଦେଣ ସମବାୟ ବ୍ୟାଙ୍କରେ ବହୁତ କମ୍ ହେଉଥିଲେ ମଧ୍ୟ ସେମାନେ କିନ୍ତୁ ଅଗ୍ରାଧିକାର ଭିତ୍ତିରେ ଓଡ଼ିଶାରେ କୃଷିଋଣ ଦେଇଚାଲିଛନ୍ତି ।
୨୦୧୫-୧୬ ବର୍ଷରେ ଏହି ବ୍ୟାବସାୟିକ ବ୍ୟାଙ୍କଗୁଡିକ ଓଡ଼ିଶାରେ ୨,୦୯,୨୧୫ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ରାଜ୍ୟରେ ମାତ୍ର ୮୫,୪୩୬ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଥିଲେ । ସେହିଭଳି ଆର୍ଥିକ ସର୍ଭେ ରିପୋର୍ଟର ତଥ୍ୟ ମୁତାବକ ୨୦୧୬-୧୭ ବର୍ଷରେ ଏହି ବ୍ୟାଙ୍କଗୁଡିକ ୨,୪୫,୨୮୧ କୋଟି ଟଙ୍କାର ପୁଞ୍ଜି ଓଡ଼ିଶାରୁ ଯୋଗାଡ କରିଥିବା ବେଳେ ବିନିଯୋଗ କରିଛନ୍ତି ମାତ୍ର ୯୩,୩୬୬ କୋଟି । ସେହିଭଳି ୨୦୧୭-୧୮ ବର୍ଷରେ ୨,୬୮,୯୦୫ କୋଟି ଟଙ୍କାର ଜମା ସଂଗ୍ରହ ହୋଇଥିବା ବେଳେ ଋଣ ଦିଆଯାଇଛି ୧,୦୧,୦୧୯ କୋଟିର ।
୨୦୧୮-୧୯ ବର୍ଷରେ ଓଡ଼ିଶାରେ ବ୍ୟାବସାୟିକ ସିଡ୍ୟୁଲ୍ଡ ବ୍ୟାଙ୍କଗୁଡିକର ଜମା ସଂଗ୍ରହ ପରିମାଣ ୩,୦୯,୫୫୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଏମାନେ ଏଠାରେ ଋଣ ଦେଇଛନ୍ତି ୧,୧୯,୮୯୩ କୋଟି ଟଙ୍କାର । ସେହିଭଳି ୨୦୧୯-୨୦ ବର୍ଷରେ ଏହି ବ୍ୟାଙ୍କଗୁଡିକ ଓଡ଼ିଶାର ଜମାକାରୀଙ୍କ ଠାରୁ ୩,୪୧,୧୪୦ କୋଟି ଟଙ୍କାର ଜମା ସଂଗ୍ରହ କରିବାରେ ସକ୍ଷମ ହୋଇଥିବା ବେଳେ କୁନ୍ଥୁକୁନ୍ଥୁ ହୋଇ ସେବର୍ଷ ଋଣ ଦେଇଥିଲେ ମାତ୍ର ୧,୩୪,୮୬୨ କୋଟି ଟଙ୍କାର ।
ବଡ ବଡ ସଂସ୍ଥାକୁ ଶିଳ୍ପ ଓ ବ୍ୟବସାୟ ପାଇଁ ସହଜରେ ଋଣ ମିଳିଯାଉଛି । ଏମିତିକି ସରକାରୀ କର୍ମଚାରୀ, ବ୍ୟବସାୟୀ, କର୍ପୋରେଟ ଚାକିରିଆ ଓ ଅନ୍ୟ ସଂପନ୍ନ ଲୋକଙ୍କୁ ଗୃହଋଣ ଓ ଗାଡିଋଣ ଆଦି ଅତି ସହଜରେ ମିଳିଯାଉଛି । ଅଥଚ ଚାଷୀମାନଙ୍କୁ କୃଷିଋଣ ଦେବା କ୍ଷେତ୍ରରେ ଘରୋଇ ବ୍ୟାଙ୍କମାନେ ଏକ ପ୍ରକାର ଆଗ୍ରହ ପ୍ରକାଶ କରୁନଥିବା ବେଳେ ବ୍ୟାବସାୟିକ ବ୍ୟାଙ୍କଗୁଡିକ ଏ କ୍ଷେତ୍ରରେ ମୋଟା ଅଙ୍କର ପୁଞ୍ଜି ଖଟାଉ ନାହାନ୍ତି । କିନ୍ତୁ ସମବାୟ ବ୍ୟାଙ୍କମାନେ ଓଡ଼ିଶାରେ ରେକର୍ଡ ପରିମାଣର କୃଷିଋଣ ଦେଇଚାଲିଛନ୍ତି ।
କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମ ସ୍ୱରୋଜଗାର ଯୋଜନାରେ ଥିବା ବିଭିନ୍ନ ସ୍କିମ୍ ପାଇଁ ଖଦିବୋର୍ଡ ଓ ଅନ୍ୟ ସରକାରୀ ସଂସ୍ଥାମାନେ ଯେତେସବୁ ସୁପାରିସ୍ ପଠାଉଛନ୍ତି ସେଥିରୁ ଅଧିକାଂଶ ବ୍ୟାବସାୟିକ ବ୍ୟାଙ୍କମାନେ ବିଭିନ୍ନ ଆଳ ଦେଖାଇ ଅଯୋଗ୍ୟ ଘୋଷଣା କରୁଥିବାରୁ ଏ କ୍ଷେତ୍ରରେ ଆତ୍ମନିଯୁକ୍ତି ଯେତେ ବୃଦ୍ଧି ପାଇବା କଥା ତାହା ହୋଇପାରୁ ନାହିଁ ।