ଭୁବନେଶ୍ୱର : ରାଜ୍ୟ ସରକାର ତରବରିଆଭାବେ ଗ୍ରାମସଭାରେ ପ୍ରଧାନମନ୍ତ୍ରୀ ଆବାସକୁ ଚଞ୍ଚକତା କରନ୍ତି ତାହାଲେ ବିଜେପି ବରଦାସ୍ତ କରିବ ନାହିଁ । ୨୪ଘଣ୍ଟା ମଧ୍ୟରେ ହିତାଧିକାରୀଙ୍କ ତାଲିକା କାନ୍ଥ ମାରନ୍ତୁ ରାଜ୍ୟ ସରକାର । ଯଦି ରାଜ୍ୟ ସରକାର ଏଥିରୁ ବିଚ୍ୟୁତି ହୁଅନ୍ତି ତାହାଲେ ଆଗାମୀ ଦିନରେ ବିଜେପି ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାର ପୂର୍ବ ନୋଟିସ ନଦେଇ ବା ଅନିୟମତି ଭାବେ ଗ୍ରାମସଭା ଡାକିବା ସଂପୂର୍ଣ୍ଣ ଅସିଦ୍ଧ ଓ ବେନିୟମ ଅଟେ । ଆଜି ପ୍ରତି ପଂଚାୟତରେ ହକି ଖେଳ ପ୍ରଦର୍ଶନ କରିବା ପାଇଁ ଗ୍ରାମ ସଭାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।
ପଂଚାୟତର ଉନ୍ନତିକରଣ ଥିବା ଅର୍ଥରୁ ୩୦ହଜାର ଟଙ୍କାକୁ ଏସଏଚଜି ମାଧ୍ୟମରେ ଲୋକଙ୍କୁ ଖାଇବାକୁ ଦେବା ଓ ସ୍ଥାନୀୟ ଅଂଚଳରେ ଛୋଟ ଛୋଟ ଖେଳ କରାଇ ନିଜସ୍ୱ ପ୍ରଚାର କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ପଟେ ସ୍ଥାନୀୟ ଅଂଚଳର ବିକାଶ ପାଇଁ ପଂଚାୟତରେ ଟଙ୍କାର ଅଭାବ ହେଉଛି ବୋଲି ରାଜ୍ୟ ସରକାର କହୁଥିବାବେଳେ ଅନ୍ୟ ପଟେ ପଂଚାୟତର ବିକାଶ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ହକି ଖେଳର ପ୍ରଚାର ଓ ପ୍ରସାର ଆଳରେ ନିଜର ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ।
ହକି ଉଦ୍ଘାଟନ କାର୍ଯ୍ୟକ୍ରମକୁ ଗ୍ରାମସଭାର ନାଁ ଦେଇ ରାଜ୍ୟ ସରକାର ଅର୍ଥକୁ ହଡପ କରୁଛନ୍ତି । ଗାଁ ମାନଙ୍କରେ ବର୍ଷକୁ ୩ଥର ଯଥା-ଜାନୁୟାରୀ ୨୬, ଅଗଷ୍ଟ ୧୫ ଓ ଅକ୍ଟୋବର ୨ରେ ଗ୍ରାମସଭା ହେବାର ଯୋଜନା ରହିଛି । କିନ୍ତୁ ଜାନୁୟାରୀ ୨୬କୁ ମାତ୍ର ୧୬ଦିନ ଥିବାବେଳେ ରାଜ୍ୟ ସରକାର ତରବରିଆଭାବେ କାହିଁକି ଗ୍ରାମସଭା ଡାକିଛନ୍ତି । ମନରେଗା ଟଙ୍କା, ଭତା ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦରେ ଗ୍ରାମସଭାରେ ଆଲୋଚନା ହେବା ନିହାତି ଆବଶ୍ୟକ । ତରବରିଆ ଭାବେ ଗ୍ରାମ ସଭା ଡାକିଲେ ସଚେତନତା ହୋଇପାରିବ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟେଂଟାଟିଭ୍ ତାଲିକା ପ୍ରସ୍ତୁତ କରାଯାଇ ଗତ ଡିସେମ୍ବର ୨୧ ତାରିଖ ସୁଦ୍ଧା ପ୍ରତ୍ୟେକ ପଂଚାୟତ କାନ୍ଥରେ ଲାଗିବା କଥା । ବିଭିନ୍ନ ଅଭିଯୋଗର ସତ୍ୟାସତ୍ୟକୁ ତର୍ଜମା କରି ଏକ ପୂର୍ଣ୍ଣାଙ୍ଗ ତାଲିକାକୁ ସାର୍ବଜନୀନ କରାଯିବାର ନିୟମ ରହିଛି । ଆବାସ ଯୋଜନା ହିତାଧିକାରୀ ତାଲିକାରେ ରାଜ୍ୟ ସରକାର ୨୦୧୯ରେ ଯେଉଁ ଚଂଚକତା କରିଥିଲେ, ତାକୁ ବିଜେପି ତରଫରୁ ବିରୋଧ କରାଯାଇଥିଲା । ୨୦୧୮-୧୯ର ସର୍ଭେ ସମୟରେ ବିଜୁ ଜନତା ଦଳର ସମର୍ଥକ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମିଥ୍ୟା ତାଲିକା ପ୍ରସ୍ତୁତ କରିଥିଲେ । ଠିକ୍ ସେମିତି ଏବେବି ବିଜୁ ଜନତା ଦଳ ଦଳୀୟ ଆଧାରରେ ତାଲିକା ପ୍ରସ୍ତୁତ କରୁଛି ।
ଚଳିତ ଥର ମଧ୍ୟ ପାଖାପାଖି ୯୦% ପଂଚାୟତରେ ରାଜ୍ୟ ସରକାର ତାଲିକା ପ୍ରସ୍ତୁତ କରିସାରିଥିଲେ ସୁଦ୍ଧା ତାଙ୍କୁ ଲୁଚାଇ ରଖିବା ସହ ଲୋକଙ୍କ ଆଢ଼ୁଆଳରେ ରଖିବା ପାଇଁ ଅପଚେଷ୍ଟା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଟାଳଟୁଳନୀତି ଅବଲମ୍ବନ କର ପ୍ରକୃତ ହିତାଧିକାରୀଙ୍କୁ ବଂଚିତ ରଖୁଛନ୍ତି । ଏହି କାରଣରୁ ତାଲିକାକୁ ସାର୍ବଜନୀନ କରାଯାଉନାହିଁ ଏବଂ ସାଧାରଣ ଲୋକ ହିତାଧିକାରୀ ସଂପର୍କରେ ଜାଣିପାରିବେ ନାହିଁ । ହକି ଖେଳ ଆଳରେ ଗ୍ରାମସଭା ଡାକି ଦେଇ ଅତି ଚତୁରତାର ସହ ହିତାଧିକାରୀ ଚୟନରେ କରିଥିବା ଟାଳଟୁଳ ନୀତିକୁ ଲୁଚାଇବା ପାଇଁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ପଂଚାୟତ କାନ୍ଥରେ ହିତାଧିକାରୀ ତାଲିକା ନମାରି ଗ୍ରାମସଭାରେ ନାଁ ଉଲ୍ଲେଖ କରିବାର ରାଜ୍ୟ ସରକାର ହୀନ ଷଡଯନ୍ତ୍ର କରିଛନ୍ତି । ରାଜ୍ୟ ସରକାର ଓଡ଼ିଶାର ଗରିବ ଲୋକଙ୍କ ଅଧିକାରକୁ ଖନନ ଓ ଚୋରୀ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ କ୍ଷେତ୍ରରେ ଏକଥାକୁ ବରଦାସ୍ତ କରାଯିବ ନାହିଁ । ଗ୍ରାମସଭାରେ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ଆଲୋଚନା ହେବ ନାହିଁ, ତେବେ ରାଜ୍ୟ ସରକାର ଏହି ଗ୍ରାମସଭାକୁ ଅସିଦ୍ଧ ଘୋଷଣା କରନ୍ତୁ ।
ରାଜ୍ୟ ସରକାର ତରବରିଆଭାବେ ଗ୍ରାମସଭାରେ ପ୍ରଧାନମନ୍ତ୍ରୀ ଆବାସକୁ ଚଂଚକତା କରନ୍ତି ତାହାଲେ ବିଜେପି ବରଦାସ୍ତ କରିବ ନାହିଁ । ୨୪ଘଂଟା ମଧ୍ୟରେ ହିତାଧିକାରୀଙ୍କ ତାଲିକା କାନ୍ଥ ମାରନ୍ତୁ ରାଜ୍ୟ ସରକାର । ଯଦି ରାଜ୍ୟ ସରକାର ଏଥିରୁ ବିଚୁତି ହୁଅନ୍ତି ତାହାଲେ ଆଗାମୀ ଦିନରେ ବିଜେପି ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।