Home News in Odia ବୌଦ୍ଧ ପର୍ଯ୍ୟଟରୁ ଫାଇଦା ଉଠାଉନି ଓଡିଶା

ବୌଦ୍ଧ ପର୍ଯ୍ୟଟରୁ ଫାଇଦା ଉଠାଉନି ଓଡିଶା

ଭୁବନେଶ୍ୱର : ବୌଦ୍ଧ କିର୍ତ୍ତୀଗୁଡିକୁ ପର୍ଯ୍ୟଟନ ସହ ଯୋଡି ଏଗୁଡିକର ବ୍ୟାପକ ପ୍ରଚାର ପ୍ରସାର ସହିତ ସଂରକ୍ଷଣ ଉପରେ କେନ୍ଦ୍ର ସରକାର ଗୁୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମରେ ବିପୁଳ ଅର୍ଥ ବରାଦ କରିଥିବାବେଳେ ଏଥିରୁ ଓଡିଶା ଫାଇଦା ଉଠାଇ ପାରୁନାହିଁ ।

ଇତି ମଧ୍ୟରେ ବୌଦ୍ଧ ପର୍ଯ୍ୟଟନ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ୩୮ଟି ଐତିହ୍ୟସ୍ଥଳୀର ସଂରକ୍ଷଣ ପାଇଁ ୨୨୫ କୋଟି ଟଙ୍କା ବରାଦ କରିଛନ୍ତି । ଅନ୍ୟ ରାଜ୍ୟମାନେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ରକୁ ଆବେଦନ କରି ଫାଇଦା ଉଠାଉଥିବାବେଳେ ଓଡିଶା ଏହି ଯୋଜନାରେ ଲାଭବାନ୍‍ ହେବା ତ ଦୂରରକଥା ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦେଇନଥିବା ଜଣାପଡିଛି ।

ଓଡିଶାରେ ବହୁ ବୌଦ୍ଧ କିର୍ତ୍ତୀରାଜମାନ ରହିଛି । ଲଳିତଗିରି, ରତ୍ନଗିରି, ଉଦୟଗିରି ଠାରୁ ଆରମ୍ଭକରି ଧଉଳି ପାହାଡ ପର୍ଯ୍ୟନ୍ତ ବୌଦ୍ଧ ସ୍ମୃତି ବିଜଡିତ ବହୁ ଐତିହ୍ୟସ୍ଥଳୀ ଓଡିଶାରେ ରହିଛି । ଏମିତିକି ଦ୍ୱିତୀୟ ବୁଦ୍ଧ ବୋଲି କୁହାଯାଉଥିବା ପଦ୍ମସମ୍ଭବଙ୍କ ଜନ୍ମଭୂମି ଓ କର୍ମସ୍ଥଳୀ ବି ଓଡିଶା ଭୂଖଣ୍ଡରେ ରହିଥିଲା । ଏହାଛଡା ରାଜ୍ୟର ବହୁ ଅଞ୍ଚଳରେ ଆଉ ଅନେକ ବୌଦ୍ଧ କିର୍ତ୍ତୀରାଜି ରହିଛି । ଏମିତିକି ଭଗବାନ ବୁଦ୍ଧଙ୍କ ପବିତ୍ର ଚିତାଭସ୍ମଭରା ପାତ୍ର ବି ଓଡିଶାରେ ଥିବା କୁହାଯାଉଛି ।

କଳିଙ୍ଗ ଯୁଦ୍ଧର ଭୟାବହତା ପରେ ସମ୍ରାଟ ଅଶୋକଙ୍କ ମନରେ ଯେଉଁ ପରିବର୍ତ୍ତନ ହୋଇଥିଲା ସେଥିରେ ସେ ହିଂସା ତରବାରୀର ଜୟ ବିଜୟ ନୁହେଁ ବୋଲି ଉଲ୍ଲେଖ କରିବା ସହ ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ଓଡିଶାମାଟି ମଗଧର ସମ୍ରାଟଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା । ଲଳିତଗିରି ଓ ରତ୍ନଗିରି ଭଳି ଅଞ୍ଚଳରେ ସେ ସମୟରେ ନାଳନ୍ଦା ଭଳି ଶିକ୍ଷାନୁଷ୍ଠାନମାନ ମଧ୍ୟ ଗଢି ଉଠିଥିଲା । ଏମିତିକି ଓଡିଶାରେ ବୌଦ୍ଧଧର୍ମ ଓ ସଂସ୍କୃତି ଏତେ ବ୍ୟାପକ ହୋଇଥିଲା ଯେ ଭଗବାନ ବୁଦ୍ଧଙ୍କୁ ଶ୍ରଜଗନ୍ନାଥଙ୍କ ଅନ୍ୟଏକ ଅବତାର ଭାବେ ମଧ୍ୟ ଗ୍ରହଣ କରାଯାଇଥିଲା ।

ଦେଶ ବିଦେଶରେ ବୌଦ୍ଧ ସଂସ୍କୃତି ସହ ଜଡିତ ଐତିହ୍ୟସ୍ଥଳୀଗୁଡିକୁ ବିକାଶ କରାଯିବା ଫଳରେ ସେଠାକୁ ଗବେଷକ, ବୁଦ୍ଧିଜୀବୀ ଏବଂ ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନଙ୍କ ସୁଅ ଛୁଟୁଛି । କିନ୍ତୁ ଓଡିଶାରେ ବୌଦ୍ଧ ଐତିହ୍ୟର ବହୁ ପ୍ରାଚୀନ ସ୍ମୃତି ଥିବା ସତ୍ୱେ ରାଜ୍ୟର କୌଣସି ବୌଦ୍ଧ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମରେ ସ୍ଥାନ ପାଇପାରି ନାହିଁ । ଅନ୍ୟ ରାଜ୍ୟର ବୌଦ୍ଧ ପ୍ରକଳ୍ପଗୁଡିକ ଏଥିଲାଗି କେନ୍ଦ୍ର ସରକାରଙ୍କ ଠାରୁ ବିପୁଳ ସହାୟତା ରାଶି ପାଉଥିବାବେଳେ ଓଡିଶା ସରକାର ପ୍ରସ୍ତାବ ଦେଉନଥିବାରୁ ରାଜ୍ୟର ବୌଦ୍ଧ ବିହାରଗୁଡିକ ବିକାଶ ଲାଗି କେନ୍ଦ୍ରୀୟ ସହାୟତାରୁ ବଞ୍ଚିତ ହୋଇଛନ୍ତି ।

ଏଥିଘେନି ପର୍ଯ୍ୟଟନଶିଳ୍ପ ସହ ଜଡିତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଏବଂ ଗବେଷକମାନେ ନିରାଶାବ୍ୟକ୍ତ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଓ ପ୍ରସାଦ କାର୍ଯ୍ୟକ୍ରମରେ ବୌଦ୍ଧ ଐତିହ୍ୟସ୍ଥଳୀଗୁଡିକୁ ଯୋଡୁଥିବାବେଳେ ବିହାର ଭଳି ରାଜ୍ୟ ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ବିପୁଳ ଆର୍ଥିକ ସହାୟତା ପାଇ ବୌଦ୍ଧ ପର୍ଯ୍ୟଟନସ୍ଥଳୀଗୁଡିକର ବିକାଶ ଘଟାଉଥିବାରୁ ସେଠାକୁ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ବିଶେଷକରି ପ୍ରାଚ୍ୟ ଓ ଦକ୍ଷିଣପୂର୍ବ ଏସୀୟ ରାଜ୍ୟଗୁଡିକର ବୁଦ୍ଧ ପ୍ରେମୀମାନେ ଆକୃଷ୍ଟହୋଇ ବିହାର ଆଦି ରାଜ୍ୟକୁ ବୁଲିବାକୁ ଆସୁଛନ୍ତି । କେନ୍ଦ୍ର ସରକାରଙ୍କ ବୁଦ୍ଧ ବିକାଶ ଯୋଜନାରୁ ମଧ୍ୟ ଫାଇଦା ଉଠାଉଛନ୍ତି । ଏ ପରିପ୍ରେକ୍ଷୀରେ ବିଳମ୍ବିତ ହେଲେ ମଧ୍ୟ ଓଡିଶା ସରକାର ରାଜ୍ୟର ବୌଦ୍ଧପୀଠଗୁଡିକର ଉନ୍ନତିବିଧାନ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)